fbpx

ଦେଶରେ କଂଗ୍ରେସର ରାଜୁତି ଶେଷ, ମୁଖ୍ୟ ବିରୋଧୀ ଦଳ ଆସନରେ ବସିବାକୁ ଯାଉଛି TMC: ଜାଣନ୍ତୁ କ’ଣ ରହିଛି ରାଜନୀତିର ଗଣିତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିକୁ ଧୂଳି ଚଟାଇ କ୍ଷମତା ଅକ୍ତିଆର କରିବା ପରେ ତୃଣମୂଳ କଂଗ୍ରେସ (ଟିଏମସି)ର ଜାତୀୟସ୍ତରରେ ରାଜୁତି ଆରମ୍ଭ ହୋଇଛି । ସୁପ୍ରିମୋ ମମତା ବାନାର୍ଜୀ ଗୋଆ, ତ୍ରିପୁରା, ଉତ୍ତରପ୍ରଦେଶ ଭଳି କିଛି ରାଜ୍ୟକୁ ଗସ୍ତ କରି ନିଜ ଆସ୍ଥାନ ଜମାଇଲେଣି । ଆଗକୁ ଆସାମ ଓ ମଣିପୁର ସହ ଅନ୍ୟ ରାଜ୍ୟରେ ମଧ୍ୟ ଟିଏମସି ଖେଳ ଆରମ୍ଭ କରିବାକୁ ଯୋଜନା କରୁଛି । ପଶ୍ଚିମବଙ୍ଗରେ ମଧ୍ୟ ଭାରତୀୟ ଜନତା ପାର୍ଟିର ଅନେକ ନେତା ଦଳ ପରିବର୍ତ୍ତନ କରି ଟିଏମସିରେ ମିଶି ସାରିଲେଣି । ପୁଣି ମେଘାଳୟରେ ଟିଏମସି କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ନିଜ ସପକ୍ଷକୁ ଆଣିବାରେ ସକ୍ଷମ ହୋଇଛି । ବର୍ତ୍ତମାନ ଉତ୍ତର-ପୂର୍ବାଞ୍ଚଳରେ ଟିଏମସି ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହେବାକୁ ଯାଉଛି । ଏହାପରେ ଧୀରେଧୀରେ ଟିଏମସି ଜାତୀୟ ରାଜନୀତିରେ ମଧ୍ୟ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହେବ ବୋଲି ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ତେବେ ଦିଦି ଯେ ୨୦୨୪ ମେଗା ଫାଇଟ ପୂର୍ବରୁ ନିଜକୁ ପ୍ରସ୍ତୁତ କରୁଛନ୍ତି, ଏଥିରେ ଦ୍ୱିମତ ନାହିଁ । ମାତ୍ର କଂଗ୍ରେସକୁ ମାତ୍ ଦେଇ ସେ ଆସନରେ ଟିଏମସି କ’ଣ ସତରେ ବସିପାରିବ? ବଙ୍ଗ ଦଖଲ ପରେ ପ୍ରଶାନ୍ତଙ୍କ ରଣନୀତିକୁ ଆଧାର କରି ଦିଦି ଦିଲ୍ଲୀ ଗସ୍ତରେ ଯାଇ ସୋନିଆ ଗାନ୍ଧି ଓ ରାହୁଲଙ୍କୁ ସାକ୍ଷାତ କରିଥିଲେ । ଟିଏମସି ଓ କଂଗ୍ରେସ ମିଶି ନରେନ୍ଦ୍ର ମୋଦିଙ୍କୁ କ୍ଷମତାରୁ ଦୂରେଇବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବୋଧହୁଏ ଉକ୍ତ ଆଲୋଚନା ସଫଳ ହୋଇନଥିଲା, ତେଣୁ ଏବେ ଦିଦି ଅକେଲା ଚଲୋରେ ନାରା ଦେଇ ଆଗକୁ ବଢ଼ିବାରେ ଲାଗିଛନ୍ତି । କଂଗ୍ରେସର ଯୁବରାଜଙ୍କ ଜାଗା ଦିଦି ଯେ ନେବାକୁ ଯାଉଛନ୍ତି ଏକଥା ବୋଧହୁଏ କଂଗ୍ରେସ ହାଇକମାଣ୍ଡଙ୍କୁ ହୃଦବୋଧ ହୋଇଥିଲା । ତେଣୁ ସେ ଦିଦିଙ୍କ ପ୍ରସ୍ତାବରେ ରାଜି ହୋଇନଥିବା ଚର୍ଚ୍ଚା ହୋଇଥିଲା । କ୍ଷମତା ଲଢ଼େଇ ପାଇଁ କଂଗ୍ରେସ ଓ ଦିଦିଙ୍କ ମଧ୍ୟରେ ଫାଇଟ ହେବ ନା ମିଲ କେ ଚଲେଙ୍ଗେ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ । ତେବେ ମୋଦିଙ୍କୁ ହରାଇବା ତ ଅଲଗା କଥା, ମୁଖ୍ୟ ବିରୋଧୀ ଦଳ ତଥା ନମ୍ବର ୨ ଆସନରେ କେଉଁ ଦଳ ରହିବ ତାହା ସମୟ କହିବ ।

Get real time updates directly on you device, subscribe now.