fbpx
BSKY
BJD SHG SKY
BJD MC SKY

ସୁରକ୍ଷାକର୍ମୀଙ୍କ ସହ ଟିଏମସି କର୍ମୀଙ୍କ ଖଣ୍ଡଯୁଦ୍ଧ

କୋଲକାତା,୧୭/୫: ନାରଦା ଷ୍ଟିଙ୍ଗ ମାମଲାରେ ସୋମବାର ସିବିଆଇ ପକ୍ଷରୁ ନିଅ।।ଇଥିବା କାର୍ଯ୍ୟାନୁଷ୍ଠାନ ପରେ ପଶ୍ଚିମବଙ୍ଗରେ ରାଜନୀତି ପୁଣି ସରଗରମ ହୋଇଉଠିଛି । ତୃଣମୂଳ କଂଗ୍ରେସର ଦୁଇ ମନ୍ତ୍ରୀଙ୍କ ସମେତ ୪ ନେତାଙ୍କୁ ସିବିଆଇ ଉଠାଇ ନିଆଯିବା ପରେ ପରିସ୍ଥିତି ଅଶାନ୍ତ ହୋଇପଡ଼ିଛି । ଗିରଫଦାର ବିରୋଧରେ ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତା ସିବିଆଇ ଅଫିସ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏପରିକି ଦଳୀୟ କର୍ମକର୍ତ୍ତାମାନେ ସୁରକ୍ଷା କର୍ମୀଙ୍କ ଉପରକୁ ପଥର ମାଡ଼ କରିଥିଲେ ଏବଂ ବାଧ୍ୟହୋଇ ସୁରକ୍ଷା କର୍ମୀ ଲାଠିଚାର୍ଜ କରିଥିଲେ ।

ସୂଚନା ଯୋଗ୍ୟ ଯେ ୨୦୧୬ରେ ନାରଦା ଷ୍ଟିଙ୍ଗ ମାମଲାର ପୁନଃ ଯାଞ୍ଚ କରିବା ପାଇଁ ନିକଟରେ ରାଜ୍ୟପାଳଙ୍କଠାରୁ ଅନୁମତି ମିଳିଥିଲା । ଏହି ମାମଲାରେ ସିବିଆଇ ସୋମବାର ଟିଏମସି ନେତାଙ୍କ ଘରେ ଚଢ଼ଉ କରିଥିଲେ ଏବଂ ତାଙ୍କୁ ସିବିଆଇ ଅଫିସକୁ ନେଇଆସିଥିଲେ । ତେବେ ମନ୍ତ୍ରୀ ଫିରହାଦ ହକିମ, ମନ୍ତ୍ରୀ ସୁବ୍ରତ ବାନାର୍ଜୀ, ବିଧାୟକ ମଦନ ମିତ୍ରା ଓ କୋଲକାତାର ପୂର୍ବତନ୍ ମେୟର୍ ଶୋଭନ ଚାଟାର୍ଜୀଙ୍କୁ ଅଫିସ୍ ଆଣି ପଚରାଉଚରା କରିବା ପରେ ସିବିଆଇ ସେମାନଙ୍କୁ ଗିରଫ କରିଥିଲା । ଏହାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା ଏବଂ ଘଣ୍ଟାକ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ ଅଫିସରେ ପହଞ୍ଚି ଯାଇଥିଲେ । ଏହି ଗିରଫଦାରକୁ ସେ ବିରୋଧ କରିବା ସହ ସିବିଆଇ ତାଙ୍କୁ ମଧ୍ୟ ଗିରଫ କରୁ ବୋଲି ମମତା ଚେତାବନୀ ଦେଇଥିଲେ । ଏହା ପରେ ପରେ ସିବିଆଇ ଅଫିସ ସାମ୍ନାରେ ଟିଏମସି କର୍ମୀ ବହୁ ସଂଖ୍ୟାରେ ରୁଣ୍ଡ ହୋଇଯାଇଥିଲେ । ସିବିଆଇର କାର୍ଯ୍ୟାନୁଷ୍ଠାନ ବିରୋଧରେ ନାରାବାଜି କରିବା ସହ କର୍ମୀମାନେ ପଥର ଫିଙ୍ଗିବା ଆରମ୍ଭ କରିଦେଇଥିଲେ । ଫଳରେ ବାଧ୍ୟ ହୋଇ କେନ୍ଦ୍ରୀୟ ସୁରକ୍ଷା ବଳ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା ।

ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସର କର୍ମୀଙ୍କ ଦ୍ୱାରା କରାଯାଇଥିବା ପଥରମାଡ଼କୁ ନେଇ ରାଜ୍ୟପାଳ ଜଗଦୀପ ଧନଖଡ଼ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି । । ସେ ଟ୍ୱିଟ କରିଛନ୍ତି ଯେ ସିବିଆଇ ଅଫିସ ସାମ୍ନାରେ ପଥର ପିଙ୍ଗାଯାଉଛି ମାତ୍ର କୋଲକାତା ପୋଲିସ ନିରୁପାୟ ହୋଇ ସେଠାରେ ରହିବା ବଡ଼ ବିଡ଼ମ୍ବନା । ଏହି ମାମଲାକୁ ଶୀଘ୍ର ସମାଧାନ କରାଯାଉ ବୋଲି ମଧ୍ୟ ସେ ଆହ୍ୱାନ ଦେଇଛନ୍ତି । ତେବେ ତୃଣମୂଳ କଂଗ୍ରେସ ପକ୍ଷରୁ ସଫେଇ ଦିଆଯାଇଛି ଯେ ନିର୍ବାଚନରେ ହାରିବା ପରେ ବିଜେପି ପ୍ରତିଶୋଧପରାୟଣ ହୋଇଉଠିଛି । ସେଥିପାଇଁ ଜାଣିଶୁଣି କେନ୍ଦ୍ରର ନିର୍ଦ୍ଦେଶରେ ଟିଏମସି ନେତାଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯାଉଛି । କିନ୍ତୁ ବିଜେପି କହିଛି ଯେ, ଅଦାଲତଙ୍କ ଆଦେଶ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ହେଉଛି । ଏଥିରେ ପ୍ରତିଶୋଧର ପ୍ରଶ୍ନ କେଉଁଠୁ ଉଠୁଛି ବୋଲି ଟିଏମସି ଉଦ୍ଦେଶ୍ୟରେ ବିଜେପି ପ୍ରଶ୍ନ ଉଠାଇଛି ।

Get real time updates directly on you device, subscribe now.