ସିଂହଦ୍ବାରରେ ଲାଗିଲା ତିନିରଥ; ଆଜି ଶ୍ରୀଜିଉଙ୍କ ସୁନାବେଶ, ଲାଗି ହେବ 138 ପ୍ରକାର ସୁନା ଅଳଙ୍କାର
ରଥ ଉପରେ ଆଜି ଶ୍ରୀଜିଉଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜ୍ଜିତ ହେବେ ମହାପ୍ରଭୁ । ଲାଗି ହେବ 138 ପ୍ରକାର ସୁନା ଅଳଙ୍କାର ।
ପୁରୀ: ରଥ ଉପରେ ଆଜି ଶ୍ରୀଜିଉଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜ୍ଜିତ ହେବେ ମହାପ୍ରଭୁ । ଲାଗି ହେବ 138 ପ୍ରକାର ସୁନା ଅଳଙ୍କାର । ଅପରାହ୍ନ 5ଟାରୁ ଦାରୁବ୍ରହ୍ମଙ୍କର ସୁନାବେଶ ନୀତି ଆରମ୍ଭ ହେବ । ରାତି 11 ଟା ଯାଏଁ ଚାଲିବ ଦର୍ଶନ ।
ତେବେ ଆଡ଼ପମଣ୍ଡପରେ ଲୀଳାଖେଳା ସାରି ବାହୁଡ଼ିଲେ ମହାବାହୁ। ଭାଇଭଉଣୀଙ୍କୁ ଧରି ରତ୍ନବେଦୀ ଅଭିମୁଖେ ଫେରି ଆସିଛନ୍ତି ଦାରୁଦିଅଁ । ସିଂହଦ୍ଵାରରେ ଲାଗିଲା ତିନିରଥ । ଜନ୍ମ ପୀଠକୁ ପଛ କରି ଘଣ୍ଟଘଣ୍ଟା ଖୋଳତାଳ, ହୁଳହୁଳି ଭିତରେ ବଡଦାଣ୍ଡ ଉଛୁଳେଇ କର୍ମପୀଠକୁ ଫେରି ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଫେରି ଆସିଛି ସିନା, କଥା ଦେଇ ଆସିଛି ଗୁଣ୍ଡିଚା ରାଣୀଙ୍କୁ । ଅପେକ୍ଷା କରିଥାଅ….ପୁଣି ଆସିବି, ଆର ବର୍ଷକୁ ।
ସନ୍ଧ୍ୟା ୬.୪୦ ରେ ସିଂହଦ୍ଵାରରେ ଲାଗିଥିଲା ବଡ ଭାଇ ବଳଭଦ୍ରଙ୍କ ତଳଧ୍ଵଜ । ଏହାର କିଛି ସମୟ ପରେ ଭକ୍ତଙ୍କ ଗହଣରେ ଦର୍ପଦଳନରେ ପହଞ୍ଚିଥିଲେ ଭଉଣୀ ସୁଭଦ୍ରା । ସମସ୍ତଙ୍କୁ ପଠାଇ ସାରିବା ପରେ ପଛରେ ଝୁଲି ଝୁଲି ଆସିଥିଲା ନନ୍ଦିଘୋଷ । କେତେବେଳେ ଅଟକି ଯାଉଥିଲା ତ କେତେବେଳେ ଗଡି ଗଡି ଧାଉଁଥିଲା । ଭାବରେ ବିହ୍ଵଳ ହୋଇ ଯାଉଥିଲେ ଭକ୍ତ କାଳିଆର ଅପୂର୍ବ ଭାବଭଙ୍ଗୀ ଦେଖି । ଶେଷରେ ରାତି 9ଟାରେ ସିଂହଦ୍ଵାରରେ ଲାଗିଥିଲା ନନ୍ଦିଘୋଷ ।