fbpx

(VIDEO) ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ; ଜାଣନ୍ତୁ କଣ ରହିଛି ଏହାର ମାହାତ୍ମ୍ୟ

ହିନ୍ଦୁ ଧର୍ମରେ ଅନେକ ପୂଜା ପର୍ବ ରହିଛି । ଯାହାର ସ୍ୱତନ୍ତ୍ର ମହତ୍ୱ ଏବଂ ଗୁରୁତ୍ୱ ମଧ୍ୟ ରହିଛି । ତେବେ ଏହିସବୁ ପର୍ବପର୍ବାଣୀ ମଧ୍ୟରୁ ଗୋଟିଏ ହୋଉଛି ଶାମ୍ବ ଦଶମୀ । ଏହି ଦିନ ଭଗବାନ ସୂର୍ଯଙ୍କୁ ପୂଜା କରାଯାଇଥାଏ । ତେବେ ଚଳିତ ବର୍ଷର ପ୍ରଥମ ଦିନରେ ଅର୍ଥାତ୍ ଆଜି ପବିତ୍ର ଶାମ୍ବ ଦଶମୀ ପଡିଛି । ଏହି ଦିନରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯିବା ସହ ବିଭିନ୍ନ ପ୍ରକାର ଫୁଲ, ଫଳ, ପନିପରିବା, ଘାଣ୍ଟ ଆଦି ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ କରାଯାଇଥାଏ । ଏହାପରେ ଏହାକୁ ଛୋଟ ଛୋଟ ପିଲାଙ୍କୁ ଖାଇବାକୁ ଦିଆଯାଇଥାଏ । ତେବେ କୁହାଯାଏ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶାପଗ୍ରସ୍ତ ହୋଇ କୁଷ୍ଠ ରୋଗରେ ପିଡିତ ହୋଇଥିଲେ । ଏହାପରେ ସେ ଏହି ରୋଗେରୁ ମୁକ୍ତି ପାଇବା ପାଇଁ ଋଷି ଗର୍ଗଙ୍କ ପରାମର୍ଶ କ୍ରମେ ସୂର୍ଯ୍ୟଙ୍କୁ ପୂଜା କରିଥିଲେ । ଫଳରେ ଶାମ୍ବ କୁଷ୍ଠ ରୋଗରୁ ଆରୋଗ୍ୟ ଲାଭ କରିଥିଲେ । ଫଳରେ ସେବେଠାରୁ ଏହି ଶାମ୍ବଦଶମୀ ବ୍ରତ ପାଳନ କରାଯାଉଛି ।

ତେବେ ତିଥି ଅନୁଯାୟୀ, ପୌଷମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟଙ୍କର ପର୍ବ । ସେହିପରି ଶାମ୍ବ ଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ ବୋଲି ମଧ୍ୟ କୁହାଯାଏ । ଏହାକୁ କିହିବାର ତାତ୍ପର୍ଯ୍ୟ ହେଉଛି ଏହାପରେ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ୬ ମାସ ପର୍ଯ୍ୟନ୍ତ ପିଠାପଣାର ପର୍ବ ପଡେନାହିଁ । ସେପଟେ ଏଦି ଦିନ ପନିପରିବାରେ ଯେଉଁ ତାରକାରୀ ପ୍ରସ୍ତୁତ ହୁଏ ତାକୁ ଘଡଘଡା ତିଅଣ କୁହାଯାଏ । ଏହି ପର୍ବର ମୁଖ୍ୟ ହେଉଛି ଘାଣ୍ଟ ତରକାରୀ । ମହିଳାମାନେ ନିଜ ସନ୍ତାନମାନଙ୍କର ମଙ୍ଗଳ କାମନା କରି ଶାମ୍ବଦଶମୀକୁ ନିଷ୍ଠାର ସହ ପାଳନ କରନ୍ତି । ଏହି ପର୍ବର ବିଶେଷ୍ୱତ ହେଉଛି ସୂର୍ଯ୍ୟଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷକରି ଘରେ ତିନି ପ୍ରକାର ପୂଜା ଅନୁଷ୍ଠିତ ହୋଇଥାଏ । ଅରୁଣୋଦୟ ସମୟରେ ପ୍ରଥମ ଧୂପ ହୁଏ । ନାରୀମାନେ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ ବାଢନ୍ତି । ଏହି ବ୍ରହ୍ମ ମୁହୂର୍ତ୍ତରେ ପୂଜାନୈବେଦ୍ୟ ବା ପ୍ରଥମ ଧୂପ ଅନୁଷ୍ଠାନ କରି ସୂର୍ଯ୍ୟ ପୂରାଣ ପାରାୟଣ କରିଥାନ୍ତି । ମଧ୍ୟାହ୍ନରେ ସୂର୍ଯ୍ୟ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ୱିତୀୟ ଧୂପ ଦିଆଯାଇଥାଏ । ଏହା ଶାମ୍ବ ଦଶମୀର ମୁଖ୍ୟ ଧୂପ ବୋଲି କୁହାଯାଏ । ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡି, ଘଡଘଡା ତିଅଣ ଆଦି ଭୋଗ ହୁଏ । ଶେଷରେ ତୃତୀୟ ଧୂପ ସନ୍ଧ୍ୟା ସମୟରେ ଅସ୍ତାଚଳଗାମୀ ସୂର୍ଯ୍ୟଦେବଙ୍କ ନିମିତ୍ତ କରାଯାଏ । ଏହି ଧୂପରେ ମଧ୍ୟ ଏଣ୍ଡୁରୀ, କାକରା,ମାଲପୁଆ, ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ ।

ପୌରାଣିକ କଥା ଅନୁସାରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିସପ୍ତ ହୋଇ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ । ଚନ୍ଦ୍ରଭାଗାରେ ବୁଡ ପକାଇବା ସହ ସୂର୍ଯ୍ୟ ଦେବତାଙ୍କ ଆରାଧନା କରିବାପରେ ସେ କୁଷ୍ଠ ରୋଗରୁ ଭଲ ହୋଇଥିବା କୁହାଯାଏ । ଏହି ଦିନରେ ସୂର୍ଯ୍ୟ ଦେବତାଙ୍କ ପୂଜା ଲାଗି ବିଭିନ୍ନ ପ୍ରକାରର ପିଠା, ମିଠା ପ୍ରସ୍ତୁତ କରିବା ସହ ଘାଣ୍ଟ ତରକାରୀ ଭୋଗ ଲାଗିଥାଏ ।

Get real time updates directly on you device, subscribe now.