fbpx

ଆଜି ନୀଳାଦ୍ରି ବିଜେ : ରତ୍ନସିଂହାସନକୁ ଫେରିବେ ନୀଳାଦ୍ରିନାଥ, ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ

ପୁରୀ (ଭାସ୍କର ନ୍ୟୁଜ୍): ଆଜି ନୀଳକନ୍ଦରକୁ ଫେରିବେ ନୀଳାଦ୍ରିନାଥ।  ସରିଲା ମହାପ୍ରଭୁଙ୍କ ଜନ୍ମବେଦି ଲୀଳା । ଏବେ ରତ୍ନ ସିଂହାସନକୁ ଫେରିବେ ମହାପ୍ରଭୁ । ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ ହେବେ ଦାରୁଦିଁଅ । ଶ୍ରୀମନ୍ଦିର ରତ୍ନବେଦିରେ ଉଭା ହେବେ ଶ୍ରୀବିଗ୍ରହ । ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ବାରଣ ନାହିଁ । ହେଲେ କାଳିଆସାଆନ୍ତଙ୍କ ବାଟ ଓଗାଳିବେ ମା’ଲକ୍ଷ୍ମୀ ଠାକୁରାଣୀ । ଠାକୁରଙ୍କ ମାନବୀୟ ଲୀଳାର ବିଶେଷ ପର୍ବ ଲକ୍ଷ୍ମୀ-ନାରାୟଣ କଳି ସମ୍ପନ୍ନ ହେବ । ଶେଷରେ ଶ୍ରୀଜଗନ୍ନାଥ ରସଗୋଲା ଦେଇ ଲକ୍ଷ୍ମୀ ଠାକୁରାଣୀଙ୍କ ମନ ଜିଣଲା ପରେ ମନ୍ଦିର ପ୍ରବେଶକୁ ମିଳିବ ଅନୁମତି।

ଚତୁର୍ଦ୍ଧାମୂର୍ତିଙ୍କ ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ନୀତି ଶୁକ୍ରବାର ଅନୁଷ୍ଠିତ ହେବ । ରଥ ଉପରେ ଶ୍ରୀଜୀଉମାନଙ୍କ ସଂନ୍ଧ୍ୟାଧୂ ନୀତି ସମ୍ପନ୍ନ ହେବା ପରେ ଚାରମାଳ ବନ୍ଧା ହେବ । ବିଜେ କାହାଳୀ ବାଜିବା ପରେ ବନ୍ଦାପନାଓ ଡ଼ୋରଲାଗି ନୀତି ଅନୁଷ୍ଠିତ ହେବ । ଗୋଟି ପହଣ୍ଡିରେ ପ୍ରଥମେ ଶ୍ରୀସୁଦର୍ଶନ, ପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁର ଶ୍ରୀମନ୍ଦିରକୁ ବିଜେ କରିବେ । ମା ମହାଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ରସଗୋଲା ଭୋଗ କରାଯିବା ସହ ରୁକ୍ମିଣୀ ବିବାହର ଗଇଁଠାଳ ଫିଟିବ ।

ଧାର୍ଯ୍ୟ ସମୟ ଅନୁସାରେ ସନ୍ଧ୍ୟାଧୂପ ନୀତି ସରିବ ସାଢେ୧ଟାରେ । ଏହାପରେ ପହଣ୍ଡି ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ରଥରେ ଚାରମାଳ ବନ୍ଧାଯିବ । ସିଂହାସନ ମାଜଣା ହେବ । ପୁଷ୍ପାଞ୍ଜଳି ଅର୍ପଣ କରାଯାଇ ବିଜେ କାହାଳି ବାଜିଲେ ପହଣ୍ଡି ଆରମ୍ଭ ହେବ । ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ଧାର୍ଯ୍ୟ ହୋଇଛି । ପହଣ୍ଡି ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ସରି ଅଖଣ୍ଡ ବଇଠା ବସିଥାଏ ।

 

Get real time updates directly on you device, subscribe now.