fbpx

ଆଜି ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ! ଅନୁସରଣ କରାଯିବ ସିଇସି ଗାଇଡ୍‌ଲାଇନ୍‌

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବା ଏକପ୍ରକାର ସ୍ଥିର ହୋଇଛି । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ୧୧ ତାରିଖ ବିଧିବଦ୍ଧ ଘୋଷଣା କରାଯିବା ନେଇ ସୂଚନା ମିଳିଛି । ସୋମବାର ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ କରୋନା ସମୟରେ କିପରି ନିର୍ବାଚନ ସମ୍ପାଦିତ ହେବ ସେ ସଂପର୍କରେ ସର୍ବଦଳୀୟ ବୈଠକରେ ଆଲୋଚନା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ଏହି ଆଲୋଚନା ସମୟରେ ବିଜେଡି ପକ୍ଷରୁ ନିର୍ବାଚନକୁ ସମର୍ଥନ କରାଯାଇଥିବାବେଳେ କୋଭିଡ ପାଇଁ ନିର୍ବାଚନକୁ ତିନିମାସ ଘୁଞ୍ଚାଇବାକୁ କଂଗ୍ରେସ ପ୍ରସ୍ତାବ ଦେଇଛି ।

ପଛୁଆବର୍ଗଙ୍କୁ ସଂରକ୍ଷଣରୁ ବାଦ୍‌ ଦେବା ଓ ବିଭିନ୍ନ ଜିଲ୍ଲାରେ ଅନୁସୂଚିତ ଜନଜାତି ବର୍ଗପାଇଁ ସଂରକ୍ଷଣ ଠିକ୍‌ଭାବେ କରାଯାଇ ନଥିବାରୁ ନିର୍ବାଚନ ସ୍ଥଗିତ ରଖିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ସେହିପରି ଓବିସିକୁ ସଂରକ୍ଷଣରୁ ବାଦ୍‌ ଦେବା ପ୍ରସଙ୍ଗ ଉଠାଇ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ନିର୍ବାଚନ ସ୍ଥଗିତ ରଖିବାକୁ ବିଜେପି ଦାବି କରିଥିବାବେଳେ ପେସା ଆଇନ ଲାଗୁ ହୋଇଥିବା ଜିଲ୍ଲାରେ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ଅନୁସୂଚୀତ ଜନଜାତି ବର୍ଗଙ୍କୁ ସଂରକ୍ଷଣ ଦେବାକୁ ଦାବି କରିଛି । ତେବେ ବିଜେଡି ପକ୍ଷରୁ ପଞ୍ଚାୟତ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ଶେଷ ହୋଇଯାଉଥିବାରୁ କୋଭିଡ ଗାଇଡଲାଇନ ଆଧାରରେ ନିର୍ବାଚନ କରିବାକୁ ଦାବି କରାଯାଇଛି ।

ରାଜନୈତିକ ଦଳମାନଙ୍କ ସହ ଆଲୋଚନା ପରେ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ପାଢୀ କହିଛନ୍ତି ଯେ ଜାତୀୟ ନିର୍ବାଚନ ଆୟୋଗ (ସିଇସି) ୫ ରାଜ୍ୟର ନିର୍ବାଚନ ପାଇଁ ଯେଉଁ ଗାଇଡଲାଇନ୍‌ ଜାରି କରିଛନ୍ତି ସେହି ଗାଇଡ୍‌ଲାଇନ୍‌କୁ ଅନୁସରଣ କରାଯାଇ ନିର୍ବାଚନ କରାଯିବ ବୋଲି ସୂଚନା ଦେଇଛନ୍ତି । ତେବେ ଅପରାହ୍ନରେ ମୁଖ୍ୟ ନିର୍ବାଚନ କମିଶନ ରାଜଭବନ ଯାଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି । ସେହିପରି ପଞ୍ଚାୟତ ନିର୍ବାଚନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୋଲିସ ଡିଜି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ମୁଖ୍ୟ ନିର୍ବାଚନ କମିଶନର ଆଲୋଚନା କରିଛନ୍ତି । ନିର୍ବାଚନ କମିଶନରଙ୍କ ପ୍ରସ୍ତୁତିରୁ ଜଣାପଡୁଛି ଯେ ଖୁବ୍‌ଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହେବ ।

Get real time updates directly on you device, subscribe now.