fbpx

ଦିନିକିଆ ସିରିଜରେ ସବୁ ଶେଷ: ଟିମ୍ ଇଣ୍ଡିଆର ପରାଜୟ ପଛରେ ରହିଛି ୫ଟି ବଡ଼ କାରଣ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିଜିଜ ବିଜୟ ପରେ ଦିନିକିଆରେ ଟିମ୍ ଇଣ୍ଡିଆ ହତାଶ ହୋଇଛି । ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆରେ ଭାରତକୁ ୨୧ ରନରେ ପରାସ୍ତ କରି ସିରିଜ ହାତେଇ ନେଇଛି ଅଷ୍ଟ୍ରେଲିଆ । ପୂର୍ବରୁ ଦୁଇ ଟିମ୍ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିଲେ । ତେବେ ଗତକାଲିର ପରାଜୟ ଦଳର ଅନେକ ଦୁର୍ବଳତାକୁ ପଦାରେ ପକାଇ ଦେଇଛି । ସାଧାରଣ ଭାବେ ଗୋଟିଏ ସିରିଜରେ ହାରିବା ପରେ ପରାଜୟର କାରଣକୁ ନେଇ ସମୀକ୍ଷା କରାଯାଇଥାଏ । ମାତ୍ର ଏହି ପରାଜୟରୁ ଶିଖିବା ହିଁ ହେଉଛି ପ୍ରକୃତ ବୁଦ୍ଧିମତ୍ତାର କାର୍ଯ୍ୟ । ଏହି ପରାଜୟ ପଛରେ ୫ଟି ବଡ଼ କାରଣ ରହିଛି ।

୧- ଭାରତୀୟ ଟପ ଅର୍ଡରରେ କ୍ରମାଗତ ବିଫଳତା ଭାରତକୁ ବ୍ୟାପଫୁଟକୁ ଠେଲି ଦେଇଥିଲା । ପ୍ରଥମ ମ୍ୟାଚରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲେ ହେଁ ଅନ୍ୟ ଖେଳାଳିଙ୍କ ଦ୍ୱାରା ତାହା ଭରଣା ହୋଇପାରିଥିଲା । ତୃତୀୟ ଦିନିକିଆରେ ଭାରତ ପ୍ରଥମରୁ ଭଲ ପ୍ରଦର୍ଶନ କରିଥିଲେ ହେଁ ଠିକଣା ସମୟରେ କେହି କ୍ରିଜରେ ତିଷ୍ଠି ପାରିନଥିଲେ ।

୨- ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟ କୁମାର ଯାଦବ ଟ୍ରିପଲ ଗୋଲ୍ଡେନ ଡକର ଶିକାର ହୋଇଥିଲେ । ଯଦି ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଗୋଟିଏ ସିରିଜରେ ବାରମ୍ବାର ପ୍ରଥମ ବଲରେ ଆଉଟ୍ ହୋଇ ପାଭିଲିଅନ ଫେରିବେ ତେବେ ଦଳରେ ଦଳରେ ତାଙ୍କର ଅବଦାନ ଶୂନ୍ୟ ବୋଲି ଗ୍ରହଣ କରିବାକୁ ହେବ ।

୩- ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ୧୩୮ ରନରେ ପାଞ୍ଚଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲେ ମଧ୍ୟ ଦଳୀୟ ସ୍କୋରକୁ ୨୬୯ରେ ପହଞ୍ଚାଇ ପାରିଥିଲା । ଏହା ଭାରତୀୟ ଦୁର୍ବଳ ବୋଲିଂକୁ ପ୍ରମାଣିତ କରୁଛି । ଯଦି କଙ୍ଗାରୁ କିଛି କମ୍ ରନ୍ କରିଥାନ୍ତା ହୁଏତ ଭାରତ ପାଇଁ ବିଜୟ ସହଜସାଧ୍ୟ ହୋଇପାରିଥାନ୍ତା ।

୪- ଭାରତୀୟ ବ୍ୟାଟ୍ସମ୍ୟାନ ଚଳିତ ସିରିଜରେ ଖରାପ ଶଟ୍ ଚୟନ କରି ଆଉଟ୍ ହୋଇଛନ୍ତି । ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଏପରି ଖେଳି ଆଉଟ୍ ହୋଇଥିଲେ, ଯାହାକି ଦଳ ପାଇଁ ବିପର୍ଯ୍ୟୟ ଆଣିଦେଇଥିଲା ।

୫- ଅଧିନାୟକ ରୋହିତ ଶର୍ମାଙ୍କଠାରେ ଉତ୍ସାହ ଦେଖିବାକୁ ମିଳିନଥିଲା । ନିର୍ଣ୍ଣାୟକ ମ୍ୟାଚରେ କିଛି ଖେଳାଳିଙ୍କ କ୍ରମରେ ପରିବର୍ତ୍ତନ କରିବା ବୋଧହୁଏ ଠିକ୍ ନିଷ୍ପତ୍ତି ନଥିଲା । କେଏଲ ରାହୁଲ, ସୂର୍ଯ୍ୟ କୁମାର ଓ ଅକ୍ଷର ପଟେଲଙ୍କୁ ଏପଟ ସେପଟ କରିବା ଦଳ ପାଇଁ କାଳ ସାଜିଥିଲା ।

Get real time updates directly on you device, subscribe now.