fbpx

ରଜରେ ନନ୍ଦନକାନନରେ ଚାଲିବ ରୋପୱେ: ମଜା ଉଠାଇବେ ପର୍ଯ୍ୟଟକ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଏକ ବଡ଼ ଖୁସି ଖବର । ରାଜଧାନୀ ଭୁବନେଶ୍ୱରର ବାରଙ୍ଗ ସ୍ଥିତ ନନ୍ଦନକାନନରେ ପର୍ଯ୍ୟଟକମାନେ ଖୁବଶୀଘ୍ର ରୋପୱେର ମଜା ଉଠାଇ ପାରିବେ । ଏହି ଅବସରେରେ ପର୍ଯ୍ୟଟକମାନେ ରୋପୱେରେ ବସି କାଞ୍ଜିଆ ହ୍ରଦ ଜଳରାଶିରେ ବୋଟିିଂର ମଜା ନେଇ ପାରିବେ । ଆସନ୍ତା ଜୁନ୍ ମାସ ୧୪ ତାରିଖରୁ ରଜ ଆରମ୍ଭ ହେଉଥିବା ବେଳେ ଏହି ଅବସରରେ ପର୍ଯ୍ୟଟକମାନେ ନନ୍ଦନକାନରେ ରୋପୱେର ମଜା ନେଇ ପାରିବେ ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ନନ୍ଦନକାନନରେ ରୋପୱେ ବ୍ୟବସ୍ଥା ରହିଥିଲେ ହେଁ ତାହା ଦୀର୍ଘ ୧୨ ବର୍ଷ ଧରି ବନ୍ଦ ହୋଇ ପଡ଼ି ରହିଥିଲା । ଏବେ ପୁଣି ଥରେ ନନ୍ଦନକାନନରେ ରୋପୱେ ଚାଲିବା ନେଇ ଗତ ମାର୍ଚ୍ଚରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲା । ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ୧୩ କୋଟି ଟଙ୍କା ବ୍ୟୟରେ ଏହି ରୋପୱେ ବ୍ୟବସ୍ଥା କରାଯାଇଛି । ସେଥିରେ ଥରକେ ୭୨ ଜଣ ବସିବାର ବ୍ୟବସ୍ଥା ରହିଥିବା ବେଳେ ଘଣ୍ଟାକୁ ୫୦୦ ଜଣ ପର୍ଯ୍ୟଟକ ମଜା ଉଠାଇ ପାରିବେ ।

ଗତ ୧୯୯୪ ମସିହାରେ ନନ୍ଦନକାନରେ ରୋପୱେ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ସମୟରେ ଯାନ୍ତ୍ରିକ ତ୍ରୁଟି କାରଣରୁ ତାହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ପରବର୍ତ୍ତୀ ସମୟରେ ତାହାକୁ ବନ୍ଦ କରି ଦିଆଯାଇଥିଲା । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟି ଦିଆଯିବା ସହିତ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ନିକଟରେ ମକଡ୍ରିଲ କରାଯାଇଥିଲା । ରୋପୱେରେ ଯାତାୟାତ କରୁଥିବା ପର୍ଯ୍ୟଟକମାନେ କୌଣସି ଦୁର୍ଘଟଣାର ସମ୍ମୁଖୀନ ହେଲେ ସେଥିରୁ କିପରି ବର୍ତ୍ତିବେ ସେନେଇ ନନ୍ଦନକାନନ କର୍ମଚାରୀଙ୍କୁ ଜ୍ଞାନ କୌଶଳ ପ୍ରଦାନ କରାଯାଇଛି । ଯଦି ଅଧାବାଟରେ ହଠାତ୍ ରୋପୱେ ଅଟକିଯିବ, ତେବେ କାଞ୍ଜିଆ ହ୍ରଦ ଦେଇ ବୋଟ ମାଧ୍ୟମରେ ଯାତ୍ରୀଙ୍କୁ ଉଦ୍ଧାର କରାଯିବ । ଏ ବାବଦରେ ନିକଟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।

ଗତ କିଛିମାସ ତଳେ ନନ୍ଦନକାନନର ରୋପୱେ ବ୍ୟବସ୍ଥାରେ ଆଧୁନିକୀକରଣ କରାଯାଇଥିଲା । ବିପଦମୁକ୍ତ ଓ ସ୍ୱୟଂଚାଳିତ ପୁଲିରୁ ରୋପୱେ ଖସିଲେ ଆପେ ଆପେ ଇଲେକ୍ଟ୍ରି ବିଚ୍ଛିନ୍ନ ହୋଇଯିବ । ଏହାକୁ ଚଲାଇବା ପାଇଁ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିବା ବେଳେ ଠିକା ସଂସ୍ଥା ଦାୟିତ୍ୱରେ ଥିବା ଲାଇସେନ୍ସପ୍ରାପ୍ତ ବ୍ୟକ୍ତି ୫ ବର୍ଷ ପର୍ଯ୍ୟନ୍ତ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ୧୩ ଲକ୍ଷ ଟଙ୍କା ପ୍ରଦାନ କରିବେ । ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ଏହାକୁ ୫ରୁ ୧୦ ଓ ୧୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ରୋପୱେ ପାଇଁ ପର୍ଯ୍ୟଟକଙ୍କଠାରୁ ଟିକେଟ ବାବଦକୁ ୯୫ ଟଙ୍କା ଆଦାୟ କରାଯିବ ବୋଲି ଜଣାପଡ଼ିଥିଲା ।

Get real time updates directly on you device, subscribe now.