ରାତି ପାହିଲେ ସ୍ନାନ ପୂର୍ଣ୍ଣିମା, ଆଜିଠୁ ଜନସମୁଦ୍ର ପାଲଟିଲା ପୁରୀ
ରାତି ପାହିଲେ ସ୍ନାନ ପୂର୍ଣ୍ଣିମା, ଆଜି ସଂନ୍ଧ୍ୟାରୁ ପୁରୀରେ ଟ୍ରାଫିକ୍ ଜାମ୍ । ଫଳରେ ରାସ୍ତାରେ ଅଟକି ରହିଲା ଶହ ଶହ ଗାଡ଼ି ।
ପୁରୀ: ରାତି ପାହିଲେ ସ୍ନାନ ପୂର୍ଣ୍ଣିମା, ଆଜି ସଂନ୍ଧ୍ୟାରୁ ପୁରୀରେ ଟ୍ରାଫିକ୍ ଜାମ୍ । ଫଳରେ ରାସ୍ତାରେ ଅଟକି ରହିଲା ଶହ ଶହ ଗାଡ଼ି । ଏନେଇ ପୁରୀ ବାସିନ୍ଦା ଓ ଶ୍ରଦ୍ଧାଳୁଙ୍କ ଯାତାୟାତରେ ସମସ୍ଯା ହେଉଥିବା ଦେଖିବାକୁ ମିଳିଛି। ଏପରିକି ପାଦରେ ଚାଲିକି ଯିବା ବି ସମ୍ଭବ ହେଉନାହିଁ ।
ଏପଟେ ରାତି ପାହିଲେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ପୁରୀ ଶ୍ରୀମନ୍ଦିର ରତ୍ନ ବେଦୀ ଛାଡ଼ି ସ୍ନାନ ବେଦୀକୁ ବିଜେ କରିବେ ମହାପ୍ରଭୁ । 108 ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । କାଲି ଅପରାହଣ 4ଟାରେ ଦୁର୍ଲଭ ହାତୀ ବେଶରେ ମହାପ୍ରଭୁ ଦର୍ଶନ ଦେବେ। ଏଥିପାଇଁ ଏବେଠୁ ପୁରୀରେ ବଢ଼ିଲାଣି ଗହଳିଚହଳି । ମହାପ୍ରଭୁଙ୍କ ପହଣ୍ଡି, ଜଳ ଲାଗି ଓ ହାତୀ ବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ସେବାୟତ ଓ ପ୍ରଶାସନ ସମସ୍ତେ ପ୍ରସ୍ତୁତ ।
ଆଜି ମହାପ୍ରଭୁଙ୍କ ପହଣ୍ଡି ଲାଗି ପ୍ରଥମେ କୋଠ ସୁଆସିଆମାନେ ସିଂହାସନରେ ଚାର ମାଳ ବାନ୍ଧିବା ପରେ ଦଇତାପତିମାନେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି କରିଛନ୍ତି । ସ୍ନାନ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ 70 ପ୍ଲାଟୁନ ପୋଲିସ ଓ ଗୋଟିଏ ସେକ୍ସନ ଫୋର୍ସ ମୁତୟନ ହେବେ । ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ଜାରି କରାଯାଇଛି । କେନ୍ଦ୍ରାଞ୍ଚଳ ଆଇଜି , ପୁରୀ ଏସପି ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ପୁରୀ ବଡ଼ ଦାଣ୍ଡ ଓ ସମ୍ପୂର୍ଣ୍ଣ ସହର ସିସିଟିଭି ନଜରରେ ରହିବ । ତାତି ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରିମାଣର ପାଣି ବ୍ୟବସ୍ଥା ହୋଇଛି ।