fbpx

ଭାରତରୁ ଭୁଟାନକୁ ଚାଲିବ ଟ୍ରେନ୍‌: ଦୁଇ ଦେଶ ମଧ୍ୟରେ ଏମ୍‌ଓୟୁ ଚୂଡ଼ାନ୍ତ ସୂଚନା

ନୂଆଦିଲ୍ଲୀ: ଭାରତ ଏବଂ ଭୁଟାନ ମଧ୍ୟରେ ଶକ୍ତି, ବାଣିଜ୍ୟ, ଡିଜିଟାଲ ଯୋଗାଯୋଗ, ମହାକାଶ ଏବଂ କୃଷି କ୍ଷେତ୍ରରେ ସହଯୋଗ ପାଇଁ ଶୁକ୍ରବାର ଅନେକ ବୁଝାମଣା ପତ୍ର (ଏମ୍‌ଓୟୁ) ବିନିମୟ ହେବା ସହ ଚୁକ୍ତିନାମା ସ୍ଵାକ୍ଷର ହୋଇଛି। ତେବେ ଦୁଇ ଦେଶ ମଧ୍ୟରେ ରେଳ ସଂଯୋଗ ସ୍ଥାପନ ନିମନ୍ତେ ଏମ୍‌ଓୟୁ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଭୁଟାନ ଗସ୍ତରେ ଯାଇଥିବାବେଳେ ଥିମ୍ଫୁରେ ଭୁଟାନ ପ୍ରତିପକ୍ଷ ଶେରିଙ୍ଗ୍‌ ଟୋବ୍‌ଗେଙ୍କ ଉପସ୍ଥିତିରେ ଏମ୍‌ଓୟୁ ବିନିମୟ ହୋଇଛି। ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ପୁନଃନବୀକରଣଯୋଗ୍ୟ ଶକ୍ତି, କୃଷି, ଯୁବ ବିନିମୟ, ପରିବେଶ, ଜଙ୍ଗଲ ଓ ପର୍ୟ୍ୟଟନ ଆଦି ବିଭିନ୍ନ ସେକ୍ଟରରେ ସହଯୋଗ ବଢ଼ାଇବା ଆବଶ୍ୟକ ବୋଲି ଉଭୟ ନେତା ଅନୁଭବ କରିଥିଲେ।

ସୂଚନା ଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲିଠୁ ଭୁଟାନ ଗସ୍ତରେ ରହିଥିଲେ । ୨ ଦିନିଆ ଏହି ଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭୁଟାନ ଏହାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିଛି । ତେବେ ଭୁଟାନରୁ ଏହାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରାପ୍ତ କରିବାରେ ମୋଦୀ ପ୍ରଥମ ବିଦେଶୀ ଶାସନାଧ୍ୟକ୍ଷ ପାଲଟିଛନ୍ତି । ଭୁଟାନର ରାଜା ଜିଗମେ ଖେସର ନାମଗ୍ୱାଲ ୱାଙ୍ଗଛୁକ୍ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଅର୍ଡର ଅଫ୍ ଦି ଡ୍ରୁକ୍ ଗ୍ୟାଲପୋ’ରେ ସମ୍ମାନୀତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ମାନ ପାଇବା ପରେ ଭୁଟାନକୁ ନିଜର ଧନ୍ୟବାଦ ଜଣାଇବା ସହ ଏହି ସମ୍ମାନକୁ ୧୪୦କୋଟି ଭାରତୀୟଙ୍କୁ ସମର୍ପିତ କରିଛନ୍ତି ବୋଲି କହିଛନ୍ତି । ତେବେପ୍ରଧାନମନ୍ତ୍ରୀ ମୋଦୀ ଆଜି ଭୁଟାନରୁ ବାହାରି ଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରୁଥିବା ନେଇ ସୂଚନା ଦେଇଛନ୍ତି।

 

Get real time updates directly on you device, subscribe now.