ନୂଆଦିଲ୍ଲୀ- ଦକ୍ଷିଣ ଦିଲ୍ଲୀର ଦେବଲିରେ ଟ୍ରିପଲ ମର୍ଡର । ମର୍ଡର କରିଛି ଘରର ପୁଅ । ବାପା ମାଆଙ୍କ ବିବାହ ବାର୍ଷିକରେ ପୁଅ ସେମାନଙ୍କ ବଡ ଭଉଣୀକୁ ଦେଇଛି ମୃତ୍ୟୁର ଉପହାର । ବୁଧବାର ସକାଳୁ ସକାଳୁ ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ତେବେ ପୋଲିସ ଦୀର୍ଘ ପଚରା ଉପଚରା ପରେ ପୁଅକୁ ଜେରା କରିବାରୁ ସେ ସବୁ କଥା ଉଗାଳିଛି ।
ପୋଲିସର ସୂଚନା ମୁତାବକ, ଦକ୍ଷିଣ ଦିଲ୍ଲୀର ନେବ ସରାୟ ଅଞ୍ଚଳରେ ରହୁଥିବା ରାଜେଶ କୁମାର (୫୧) ଓ କୋମଲ(୪୬) ରହୁଥିଲେ । ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ । ବୁଧବାର ରାଜେଶ ଓ କବିତାଙ୍କର ବିବାହ ବାର୍ଷିକ ଥିଲା । ପୁଅ ସକାଳୁ ଜିମରୁ ଫେରି ସାହି ପଡିଶାଙ୍କୁ ତା ବାପା, ମାଆ ଓ ଭଉଣୀକୁ କେହି ହତ୍ୟା କରିଥିଲା କହିଥିଲା । ପୋଲିସ ଓ ସାହି ପଡିଶା ଯାଇ ଦେଖନ୍ତି, ରାଜେଶଙ୍କ ମୃତଦେହ ପ୍ରଥମ ମହଲାର ଗୋଟିଏ କୋଠରୀରେ ପଡିଥିବା ବେଳେ ତଳ ମହଲାରେ ଭିନ୍ନ ଭିନ୍ନ କୋଠରୀରେ କୋମଲ ଓ ତାଙ୍କ ଝିଅଙ୍କ ମୃତଦେହ ପଡିଥିଲା ।
ପୋଲିସ ଘଟଣାରେ ଲୁଟପାଟ ନେଇ ସନ୍ଦେହ କରି ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରିଥିଲା । କିନ୍ତୁ ତାଙ୍କ ଘରକୁ ବାହାରର କେହି ଆସିନଥିବା ଦେଖିବାକୁ ମିଳିନ ଥିଲା । ତେଣୁ ପୁଅ ଉପରେ ସନ୍ଦେହ ହୋଇଥିଲା । ଅଭିଯୁକ୍ତ ପୁଅକୁ ନେଇ ଜେରା କରିବା ବେଳେ ସେ ପ୍ରଥମେ ମନଗଢା କାହାଣୀ କହିଥିଲା । ସକଳୁ ମର୍ନିଂ ୱାର୍କ ଓ ଜିମରେ ବ୍ୟାୟାମ ପରେ ଘରକୁ ଫେରି ପରିବାର ଲୋକଙ୍କ ମୃତଦେହ ପାଇଥିବା କହିଥିଲା । କିନ୍ତୁ ପୋଲିସ ଯେତେବେଳେ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲା ଅଭିଯୁକ୍ତର ଉତ୍ତରରେ ତାଳମେଳ ରହିନଥିଲା ।
ତା ପରେ ପୋଲିସ କଠୋରତାର ପନ୍ଥା ଆପଣେଇଥିଲା ଓ ଅଭିଯୁକ୍ତ ସବୁ କହିଥିଲା । ଅଭିଯୁକ୍ତ ମୁତାବକ ତାର ବାପା ଓ ମାଆ ଭଉଣୀକୁ ଅଧିକ ଭଲପାଉଥିଲେ । ଯାହା ତାକୁ ଅସହ୍ୟ ହେଉଥିଲା । ସେମାନେ ଝିଅ ନାଁରେ ସମ୍ପତି କରିଥିଲେ । ଏଥିରେ ଅତିଷ୍ଠ ହୋଇ ସେ ସେମାନଙ୍କୁ ନିଜ ରାସ୍ତାରୁ ହଟେଇବାକୁ ବିବାହ ବାର୍ଷିକ ଦିନକୁ ବାଛିଥିଲା । ତାର ବିଶ୍ୱାସ ଥିଲା ତା ଉପରକୁ କାହାର ସନ୍ଦେହ ହେବନି । ତେଣୁ ସମସ୍ତଙ୍କୁ ମାରିବା ପରେ ସେ ମର୍ନିଂ ୱାକରେ ଚାଲିଯାଇଥିଲା ।
ହେଲେ ପୋଲିସ ଏହି ଟ୍ରିପଲ ମର୍ଡରର ପ୍ରକୃତ କାରଣ ଖୋଜି ବାହାର କରିଦେଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣେ ବକ୍ସିଂ ଚାମ୍ପିୟନ । ବିଭିନ୍ନ ପ୍ରତିଯୋଗିତାରେ ମେଡାଲ ହାସଲ କରିଛି ।