fbpx

ପୃଥିବୀରୁ ୧ ଲକ୍ଷ ଫୁଟ ଉଚ୍ଚରେ ଉଡିଲା ତ୍ରିରଙ୍ଗା: ସ୍ପେସ ଷ୍ଟେସନରେ ବି ଭାରତକୁ ସମ୍ମାନ

ନୂଆଦିଲ୍ଲୀ: ସ୍ୱତନ୍ତ୍ରତା ଦିବସର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ପୃଥିବୀରେ ଉଡୁଛି ଭାରତର ଜାତୀୟ ପତାକା । ମାଟିରୁ ଆକାଶ ହେଉ କି ସମୁଦ୍ରର ଗଭୀର ଜଳରାଶି ସବୁଠି ଉଡୁଛି ତ୍ରିରଙ୍ଗା । ତେବେ ଏଥର ପ୍ରଥମ ଥର ପାଇଁ ଭୂମିରୁ ୩୦ କିଲୋମିଟର ଉଚ୍ଚରେ ପତାକା ଉଡୁଥିବାର ଦେଖାଯାଇଛି । ସେହିପରି ଆଣ୍ଡାମାନ ନିକୋବର ସମୁଦ୍ରର ଗଭୀର ଜଳରାଶିରେ ମଧ୍ୟ ତ୍ରିରଙ୍ଗା ପତାକା ଫର ଫର ହୋଇ ଉଡି ଭାରତ ସ୍ୱାଧୀନତାର ଗାଥା ଗାନ କରୁଛି ।

ପିଲାମାନଙ୍କ ମଧ୍ୟରେ ଅନ୍ତରୀକ୍ଷ ବିଜ୍ଞାନକୁ ପ୍ରୋତ୍ସାହନ କରୁଥିବା ସଂସ୍ଥା ସ୍ପେସ କିଡ୍ସ ଇଣ୍ଡିଆ ୧,୦୬,୦୦୦ ଫୁଟ ଉଚ୍ଚତାରେ ତ୍ରିରଙ୍ଗା ପତାକା ଉଡାଇଛନ୍ତି । ଏକ ସ୍ୱତନ୍ତ୍ର ପ୍ରକାରର ବେଲୁନ ସାହାଯ୍ୟରେ ଏହି ପତାକାକୁ ଉଡାଇ ଗୌରବ ଆଣିଛନ୍ତି ସ୍ପେସ କିଡ୍ସ ଇଣ୍ଡିଆ । ତେବେ ସ୍ୱତନ୍ତ୍ରତା ସୈନିକମାନଙ୍କୁ ସମ୍ମାନ ଏବଂ ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀର ପ୍ରତୀକ ଭାବରେ ପୃଥିବୀ ଉପରେ ଏହି ପତାକା ଉଡାଯାଇଛି ବୋଲି କହିଛି ସଂସ୍ଥା । ଏହା ବୀର ଯବାନମାନଙ୍କ ପ୍ରତି ଗର୍ବ କରିବାର ଏକ ସୁଯୋଗ । ନିକଟରେ ସ୍ୱଳ୍ପ ପୃଥିବୀ କକ୍ଷପଥ ପାଇଁ ଏକ ସାଟେଲାଇଟ ଲଞ୍ଚ କରିଛି ସ୍ପେସ କିଡ୍ସ ଇଣ୍ଡିଆ ।

ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ କାର୍ଯ୍ୟରତ ଅନ୍ତରୀକ୍ଷଯାତ୍ରୀ ସାମନ୍ଥା କ୍ରିଷ୍ଟୋଫୋରେଟୀ ଭାରତୀୟମାନଙ୍କୁ ଏକ ଭିଡିଓ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ଏହି ଭିଡିଓରେ ସେ କହିଛନ୍ତି ଯେ, ସ୍ୱତନ୍ତ୍ରତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତକୁ ଶୁଭେଚ୍ଛା ଜଣାଇବା ଏକ ଖୁସିର ବିଷୟ ବୋଲି କହିଛନ୍ତି ସାମନ୍ଥା । ଏହା ମଧ୍ୟରେ ଭାରତୀୟ ଅନ୍ତରୀକ୍ଷଯାତ୍ରୀ ରାଜା ଚେରୀ ମଧ୍ୟ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ୬ ମାସର ମିଶନ ପରେ ଅନ୍ତରାଷ୍ଟ୍ରୀୟ ସ୍ପେସ ଏଜେନ୍ସି ଯାତ୍ରା କରି ଫେରିଛନ୍ତି ରାଜା ଚେରୀ ।

Get real time updates directly on you device, subscribe now.