ଆଜିଠୁ ଟ୍ରମ୍ପ ଶାସନ, ଶପଥ ନେବେ ଆମେରିକାର ସବୁଠୁ ବୟସ୍କ ରାଷ୍ଟ୍ରପତି
ଦ୍ୱିତୀୟ ଇନିଂସ ଖେଳିବେ ଡୋନାଲ୍ଡ ଟ୍ରମ୍ପ। ହ୍ୱାଇଟ୍ ହାଉସରୁ ପୁଣିଥରେ ଧରିବେ ଆମେରିକାର ଶାସନର ଡ଼ୋରି। ଭାରତ ତରଫରୁ ଯୋଗଦେବେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର।
ଆମେରିକା: ଦ୍ୱିତୀୟ ପାଳି ଇନିଂସ ଖେଳିବେ ଡୋନାଲ୍ଡ ଟ୍ରମ୍ପ। ଆଜି ହ୍ୱାଇଟ୍ ହାଉସରୁ ପୁଣିଥରେ ଧରିବେ ଆମେରିକାର ଶାସନର ଡ଼ୋରି। ଏଥିପାଇଁ ପରିବାର ସହ ଫ୍ଲୋରିଡାରୁ ଆସି ଓ୍ୱାସିଂଟନରେ ପହଞ୍ଚିଛନ୍ତି ଟ୍ରମ୍ପ।
ଆଜି ଆମେରିକା ସମୟ ମଧ୍ୟାହ୍ନ ୧୨ଟା, ଭାରତୀୟ ସମୟ ରାତି ୧୦ଟା ୩୦ ସମୟରେ ଆମେରିକାରେ ପୁଣି ଚାଲିବ ଟ୍ରମ୍ପ ଶାସନ। ଅର୍ଥାତ୍ ଆଜି ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଭାବରେ ଶପଥ ନେବେ ଟ୍ରମ୍ପ।
ଶପଥ ନେବେ ଆମେରିକାର ସବୁଠୁ ବୟସ୍କ ରାଷ୍ଟ୍ରପତି: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଆରମ୍ଭ ହେବ ୭୮ ବର୍ଷୀୟ ଟ୍ରମ୍ପଙ୍କ ଦ୍ୱିତୀୟ ପାଳି। ଯିଏକି ଆମେରିକାର ସବୁଠୁ ବୟସ୍କ ରାଷ୍ଟ୍ରପତି।
ପୁଣିଥରେ ୪ ବର୍ଷ ପରେ ଆମେରିକାର ମଙ୍ଗ ଧରିବାକୁ ଯାଉଛନ୍ତି। ଏଥିପାଇଁ ସଜେଇ ହୋଇଛି କ୍ୟାପିଟଲ୍ ହିଲ୍ ରୋତୁଣ୍ଡା। ମଞ୍ଚ ପ୍ରସ୍ତୁତ ସରିଛି। ଅତିଥି ବି ଆସି ପହଞ୍ଚି ସାରିଛନ୍ତି।
ଟ୍ରମ୍ପଙ୍କ ଶପଥ ଗ୍ରହଣ ଦେଖିବା ପାଇଁ ୨ ଲକ୍ଷ ୨୦ ହଜାର ଟିକେଟ ବି ବିକ୍ରି ସରିଲାଣି। ଏହାଛଡା ଯେଉଁ ମାନଙ୍କ ପାଖରେ ଟିକେଟ ନାହିଁ ସେମାନେ କିପରି ନ୍ୟାସନାଲ ମଲରୁ ଶପଥ ଉତ୍ସବ ଦେଖିପାରିବେ ସେଥିପାଇଁ ସମସ୍ତ ଆୟୋଜନ ମଧ୍ୟ ହୋଇଛି।
୪୦ ବର୍ଷ ପରେ ଶପଥ ସ୍ଥାନ ପରିବର୍ତ୍ତନ: ଯେହେତୁ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଆମେରିକାରେ ପାରଦ ମାଇନସ୍ ୭ ଡିଗ୍ରୀ ଯାଏଁ ଖସିବାର ଅନୁମାନ କରାଯାଉଛି।
ତେଣୁ୪୦ବର୍ଷ ପରେ ଶପଥ ଉତ୍ସବ ଖୋଲା ସ୍ଥାନ ବଦଳରେ ଇଣ୍ଡୋର ହଲରେ ହେବାକୁ ଯାଉଛି। ଯେଉଁଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଛି।
ମୁଖ୍ୟ ବିଚାରପତି ଜନ୍ ରୋବର୍ଟସ ଟ୍ରମ୍ପଙ୍କୁ ଶପଥପାଠ କରାଇବେ। ଦୁଇ ହାତରେ ଦୁଇଟି ବାଇବଲ ଧରି ଆମେରିକୀୟ ସମ୍ବିଧାନର ୩୫ଟି ମହତ୍ତ୍ୱପୂର୍ଣ୍ଣ ଶବ୍ଦର ଶପଥ ନେବେ ଟ୍ରମ୍ପ।
ଭାରତ ତରଫରୁ କିଏ ରହିବେ ଉପସ୍ଥିତ: ଯେହେତୁ ଆମେରିକାର ରାଷ୍ଟ୍ରପତି ଭାବରେ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଶପଥ ନେବାକୁ ଯାଉଛନ୍ତି। ତେଣୁ ଅନେକ ଦେଶର ମୁଖିଆ ମଧ୍ୟ ଏହି ଶପଥ ସମାରୋହରେ ନିମନ୍ତ୍ରିତ ହୋଇଛନ୍ତି।
ଭାରତ ତରଫରୁ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ ଏହି ଶପଥ ଉତ୍ସବରେ ଯୋଗଦେବେ। ଏହାସହ ପତ୍ନୀଙ୍କ ସହ ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବି ସାମିଲ ହେବେ ଟ୍ରମ୍ପଙ୍କ ଶପଥ ସମାରୋହରେ। ତେବେ ଆମେରିକାରେ ଟ୍ରମ୍ପ ରାଜ୍ ରେ ଭାରତକୁ କେତ ଫାଇଦା ମିଳିବ ଏବେ ତାହା ଉପରେ ସମସ୍ତଙ୍କ ନଜର।