fbpx

ମରି ଯାଇଥିବା ଦଳକୁ ବଞ୍ଚାଇ ପାରିବନି ହନୁମାନ ଚାଳିଶା: ଏମଏନଏସକୁ ଟାର୍ଗେଟ କଲେ ଆଦିତ୍ୟ ଠାକରେ

AAKASH

ନୂଆଦିଲ୍ଳୀ: ମହାରାଷ୍ଟ୍ରରେ ହନୁମାନ ଚାଳିଶା ଓ ଲାଉଡ ସ୍ପିକର ରାଜନୀତି ଜୋର ଧରିଥିବା ବେଳେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆଦିତ୍ୟ ଠାକରେ । ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନଏସ)ର ସଦସ୍ୟ ମାନେ ଶିବସେନା କାର୍ଯ୍ୟାଳୟ ବାହାରେ ହନୁମାନ ଚାଳିଶା ବଜାଇବାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆଦିତ୍ୟ ଠାକରେ । ରବିବାର ଶିବସେନା ମୁଖ୍ୟାଳୟ ବାହାରେ ଏମଏନଏସ କର୍ମୀ ମାନେ ଲାଉଡ ସ୍ପିକର ଜରିଆରେ ହନୁମାନ ଚାଳିଶା ଓ ଅନ୍ୟାନ୍ୟ ଧାର୍ମିକ ଭଜନ ବଜାଇଥିଲେ ।

ଏହା ପୂର୍ବରୁ ଆଜାନକୁ ବିରୋଧ କରି ବିଭିନ୍ନ ମସଜିଦ୍ ବାହାରେ ମଧ୍ୟ ଏମଏନଏସ ପକ୍ଷରୁ ହନୁମାନ ଚାଳିଶା ବଜା ଯାଇଥିଲା । ତେବେ ଶିବସେନା ମୁଖ୍ୟାଳୟ ବାହାରେ ଏପରି ପ୍ରଦର୍ଶନ ପରେ ଆଦିତ୍ୟ ଠାକରେ କହିଛନ୍ତି ଏପରି କରିବା ଦ୍ୱାରା ଏମଏନଏସ ଲୋକଙ୍କ ଆସ୍ଥାଭାଜନ ହୋଇ ପାରିବ ନାହିଁ । ଏମଏନଏସ ଏକ ମୃତ ଦଳ ଏବଂ ହନୁମାନ ଚାଳିଶା ପାଠ କଲେ ମୃତ ଜୀବନ୍ତ ହୋଇ ନଥାଏ । ଆମର ହିନ୍ଦୁତ୍ୱ ସମ୍ପର୍କରେ ସମସ୍ତେ ଜାଣନ୍ତି । ନିର୍ବାଚନ ସମୟରେ ଲୋକଙ୍କୁ କରାଯାଇଥିବା ପ୍ରତିଶ୍ରୁତି ଆମେ ପୂରଣ କରିବୁ ବୋଲି ଆଦିତ୍ୟ କହିଥିଲେ ।

ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ଶିବସେନାକୁ ସମାଲୋଚନା କରିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ । ଫଡନବିସ୍ କହିଛନ୍ତି ହନୁମାନ ଚାଳିଶା ପାଠ ଦ୍ୱାରା କାହିଁକି ଅସୁବିଧା ହେଉଛି ତାହା ମୁଁ ବୁଝି ପାରୁନାହିଁ । ଏକ ନିର୍ଦ୍ଦିଷ୍ଟ ଧର୍ମର ତୁଷ୍ଟିକରଣ ବିରୋଧରେ ଆମେ ମତ ରଖୁ ମାତ୍ର କୌଣସି ଧର୍ମ ବିରୋଧରେ ଆମେ ନୁହେଁ ବୋଲି ଫଡନବିସ୍ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରବିବାର ଦିନ ହନୁମାନ ଚାଳିଶା ବଜାଇବା ଅଭିଯୋଗରେ ପୋଲିସ ଏମଏନଏସ ନେତା ୟଶୱନ୍ତ କିଲେକରଙ୍କୁ ଗିରଫ କରିଥିଲା ।

Get real time updates directly on you device, subscribe now.