fbpx

ବୁଡ଼ିବାକୁ ଯାଉଛି ଏହି ଦେଶ; ପିଲା ଜନ୍ମ କରିବାକୁ ଡରୁଛନ୍ତି ଲୋକେ, କିଏ ଦେବ ଆଶ୍ରୟ 

ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରର ୯ଟି କ୍ଷୁଦ୍ର ଦ୍ୱୀପରେ ଅବସ୍ଥିତ ତୁବାଲୁ ଦ୍ୱୀପପୁଞ୍ଜ ଏବେ ଅସ୍ତିତ୍ୱସଙ୍କଟ ସହ ସଂଘର୍ଷ କରୁଛି। ୧୧ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଦେଶର ଜନସାଧାରଣଙ୍କ ହାତରୁ ସମୟ ଖସିବାରେ ଲାଗିଛି। ବାସ୍ତବରେ ତୁବାଲୁ ସମୁଦ୍ର ପତନଠାରୁ ମାତ୍ର ୨ ମିଟର ଉଚ୍ଚତାରେ ରହିଛି। ଗତ ତିନି ଦଶନ୍ଧି ମଧ୍ୟରେ ଗ୍ଲୋବାଲ ୱାର୍ମିଂ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ପତ୍ତନ ୧୫ ସେଣ୍ଟିମିଟର ବୃଦ୍ଧି ପାଇଛି। ଅର୍ଥାତ୍ ସମୁଦ୍ର ପତ୍ତନ ପାଖାପାଖି ୬ ଇଞ୍ଚ ବୃଦ୍ଧି ପାଇଛି, ଯାହା କି ବିଶ୍ୱର ହାରାହାରି ତୁଳନାରେ ଦେଢ଼ ଗୁଣ।

ଏହାକୁ ଦୃଷ୍ଟିରେ ରଖି ନାସା ପୂର୍ବାନୁମାନ କରିଛି ଯେ ସମୁଦ୍ରର ନିୟମିତ ଜୁଆର ଯୋଗୁଁ ୨୦୫୦ ସୁଦ୍ଧା ଏଠାକାର ବୃହତ୍ତମ ଦ୍ୱୀପ ଫନାଫୁଟି ଅଧା ଜଳମଗ୍ନ ହୋଇଯିବ । ଏହି ଦ୍ୱୀପରେ ତୁବାଲୁର ମୋଟ ଜନସଂଖ୍ୟାର ୬୦ ପ୍ରତିଶତ ଲୋକ ବସବାସ କରନ୍ତି । କିଛି ଲୋକ ଗଣଗାଧ୍ୟମକୁ କହିଛନ୍ତି ଯେ ଯେଉଁମାନେ ପରିବାର ଯୋଜନା କରୁଛନ୍ତି କିନ୍ତୁ ତାଙ୍କ ପିଲାମାନେ ବଡ଼ ହେବା ବେଳକୁ ଏହି ଦ୍ୱୀପ ଜଳମଗ୍ନ ହୋଇଯିବ ବୋଲି ଭୟ କରୁଛନ୍ତି।

ଏହା ଏତେ ବଡ଼ ଭୟ, ଯେଉଁଥିପାଇଁ ପିଲା ଚାହୁଁଥିଲେ ମଧ୍ୟ ସେମାନେ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି କାରଣ ଜନସାଧାରଣଙ୍କୁ ନିଜ ସ୍ଥାନ ଛାଡ଼ି ବିସ୍ଥାପିତ ହେବାକୁ ପଡ଼ିବ। ସମୁଦ୍ରପତ୍ତନ ବୃଦ୍ଧି ଯୋଗୁଁ ଭୂତଳ ଜଳ ଭିତରକୁ ପାଣି ପ୍ରବେଶ କରୁଥିବାରୁ ତୁବାଲୁରେ ସତର୍କ ସୂଚନା ସ୍ପଷ୍ଟ ଶୁଣିବାକୁ ମିଳୁଛି। ଫସଲ ନଷ୍ଟ ହେଉଥିବାରୁ ବାସିନ୍ଦାଙ୍କୁ ବର୍ଷା ପାଣି ଓ କେନ୍ଦ୍ରୀଭୂତ ଉନ୍ନୟନ ଫାର୍ମରୁ ପନିପରିବା ଚାଷ କରିବାକୁ ପଡ଼ୁଛି।

ଆଗକୁ ଲୋକେ କୁଆଡ଼େ ଯିବେ

୧୯୭୮ ମସିହାରେ ବ୍ରିଟେନଠାରୁ ସ୍ୱାଧୀନତା ହାସଲ କରିଥିଲା ତୁବାଲୁ। ଏହାର ସମୁଦାୟ କ୍ଷେତ୍ରଫଳ ୨୬ ବର୍ଗ କିଲୋମିଟର । ଏହା ପୂର୍ବରୁ ଏଲିସ୍ ଦ୍ୱୀପ ନାମରେ ପରିଚିତ ଥିଲା । ଏହା ହାୱାଇ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ । ଭାଟିକାନ୍ ସିଟି ପରେ ଏହା ବିଶ୍ୱର ସର୍ବନିମ୍ନ ଜନବହୁଳ ଦେଶ । ୨୦୨୧ ମସିହାର ତଥ୍ୟ ଅନୁଯାୟୀ, ଏଠାକାର ଜନସଂଖ୍ୟା ୧୧,୯୦୦ ଅଟେ । ଜଳବାୟୁ ଓ ନିରାପତ୍ତା ପ୍ରତି ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ୨୦୨୩ରେ ତୁବାଲୁ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକ ଚୁକ୍ତି ହୋଇଛି ।

ଏହା ଅଧୀନରେ ନିଷ୍ପତ୍ତି ନିଆଯାଇଥିଲା ଯେ ୨୦୨୫ରୁ ପ୍ରତିବର୍ଷ ଅଷ୍ଟ୍ରେଲିଆରେ ୨୮୦ ଜଣ ଲୋକ ସ୍ଥାୟୀ ଭାବରେ ବିସ୍ଥାପିତ ହେବେ ଯାହା ଦ୍ୱାରା ଏହି ଅଞ୍ଚଳ ଜଳମଗ୍ନ ହେବା ପୂର୍ବରୁ ଛାଡି ଦିଆଯିବ । ଯଦିଓ ଏଠାକାର ଲୋକ ନିଜ ପୂର୍ବପୁରୁଷଙ୍କ ଭିଟାମାଟି ଛାଡିବାକୁ ଚାହାଁନ୍ତି ନାହିଁ, କିନ୍ତୁ ବର୍ତ୍ତମାନ ସେମାନଙ୍କ ପାଖରେ ଅନ୍ୟ କୌଣସି ଉପାୟ ନାହିଁ ।

Get real time updates directly on you device, subscribe now.