fbpx

ଅଗ୍ରପୂଜ୍ୟ ଗଜାନନଙ୍କ ଆଗମ ପାଇଁ ଟ୍ୱିନ୍‌ସିଟି ଉତ୍ସବ ମୁଖର , ପ୍ରଦୂଷଣ ମୁକ୍ତ ପୂଜା ପାଳନ ପାଇଁ ଆହ୍ୱାନ

ଭୁବନେଶ୍ୱର/କଟକ (ଭାସ୍କର ନ୍ୟୁଜ୍‌): ଅଗ୍ରଗଣ୍ୟ ଗଜାନନଙ୍କ ପୂଜା ପାଇଁ ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱର ଉତ୍ସବମୁଖର ହୋଇଉଠିଛି । ଗତ ୨ବର୍ଷ ହେବ କରୋନା ମହାମାରୀ ପାଇଁ ଏହି ପୂଜା ନିରାଡ଼ମ୍ବର ଭାବେ ପରଦା ଭିତରେ ମଣ୍ଡପ ଗୁଡ଼ିକରେ ପାଳନ କରାଯାଉଥିବା ବେଳେ ଚଳିତବର୍ଷ ଖୋଲା ମଣ୍ଡପରେ ପାଳନ ପାଇଁ ସରକାର ଅନୁମତି ଦେବା ପରେ ବିଭିନ୍ନ ମହଲରେ ଉତ୍ସାହ ଭରିଯାଇଛି । ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଇତ୍ୟାଦିରେ ପୂଜା ପାଳନ ପାଇଁ ଜୋର୍‌ଦାର ପାଳନ ହେଉଛି । ଦୋକାନ ବଜାରରେ ମଧ୍ୟ ଭିଡ଼ ଜମିଛି । ବିଶେଷକରି ପୂଜା ସାମଗ୍ରୀ ଦୋକାନରେ ଅଧିକ ପରିମାଣରେ ଭିଡ଼ ପରିଲକ୍ଷିତ ହେଉଛି । ଏବେ ଦରଦାମ ବୃଦ୍ଧିକୁ ନେଇ ଲୋକେ ଅସନ୍ତୋଷ ଜାହିର କରୁଥିଲେ ମଧ୍ୟ ଏହି ପୂଜା ପାଳନ ପାଇଁ ମାନସିକ ଭାବେ ନିଜକୁ ପ୍ରସ୍ତୁତ କରିନେଇଥିବା ଦେଖିବାକୁ ମିଳିଛି । ବହୁ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ପ୍ରସ୍ତୁତି ଜୋର୍‌ ଧରିଛି । ଫଳ ଦୋକାନ, ପୂଜା ସାମଗ୍ରୀ ଦୋକାନ ଓ ଭୋଜିଭାତ ପାଇଁ ପନିପରିବା ଦୋକାନରେ ଭିଡ଼ ଜମିଛି ।

ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସାଜସଜ୍ଜା ଚାଲୁ ରହିଛି । ସେହିରି ବିଭିନ୍ନ କ୍ଲବ, ସ୍ୱେଚ୍ଛାସେବୀ ସଂଗଠନ, ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ କାର୍ଯ୍ୟାଳୟରେ ସାଜସଜ୍ଜା ମଧ୍ୟ ଜୋର୍‌ ଧରିଛି । କେତେକ ସ୍ଥାନରେ ଭୋଜିର ମାହୋଲ ଲାଗି ରହିବାର ସମ୍ଭାବନା ଦେଖାଦେଇଛି । ପାଗ ଅନୁକୂଳ ଥିବାରୁ ଲୋକଙ୍କ ମନରେ ଉତ୍ସାହ ଦେଖାଦେବା ସହ ରାସ୍ତାଘାଟରେ ଭିଡ଼ ଲାଗିରହିଛି । ତେବେ ରାଜ୍ୟ ସରକାର କେତେକ କଟକଣା ଜାରି କରିଥିବାରୁ ଆୟୋଜକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ରାଜ୍ୟ ପ୍ରଦୂଷଣ ବିଭାଗ ପକ୍ଷରୁ ମୂର୍ତ୍ତିର ଉଚ୍ଚତା ୨୦ ଫୁଟ୍‌ ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ମେଢ଼ ସହ ଉଚ୍ଚତା ୪୦ ଫୁଟ୍‌ରୁ ଅଧିକ ହେବ ନାହିଁ ବୋଲି କୁହାଯାଇଛି । ସେହିରି ପୋଡ଼ାମାଟି କିମ୍ବା ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ରେ ମୂର୍ତ୍ତି ନିର୍ମାଣ ନକରିବାକୁ ପରାମର୍ଶ ଦିଆଯାଇଛି । ମୂର୍ତ୍ତି ବିସର୍ଜନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପୋଖରୀମାନ ଖୋଳାଯାଇଛି । ଆୟୋଜକମାନେ ସେଠାରେ ମୂର୍ତ୍ତି ବିସର୍ଜନ କରିବା ସହ ୨୪ ଘଣ୍ଟା ମଧ୍ୟରେ ଅନାବଶ୍ୟକ ସାମଗ୍ରୀଗୁଡ଼ିକୁ ଅନ୍ୟତ୍ର ପକାଇବା ପାଇଁ କୁହାଯାଇଛି ।

ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବୋର୍ଡ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ତେବେ ମୋଟାମୋଟି ଭାବେ ଚଳିତବର୍ଷର ଗଣେଶ ପୂଜା ବେଶ୍‌ ଉତ୍ସାହ ଓ ଉଦ୍ଦୀପନାଭରା ହେବ ବୋଲି ଆଶା କରାଯାଉଛି । ସେହିପରି ପୂଜା ମଣ୍ଡପ ଗୁଡ଼ିକରେ ଆକର୍ଷଣୀୟ ତୋରଣମାନ ନିର୍ମାଣ କରାଯିବା ସହ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । କେତେକ ସ୍ଥାନରେ ବାଦିାଲା ହେଉଥିବାର ପ୍ରଚାରପତ୍ର ମଧ୍ୟ କାନ୍ଥବାଡ଼ରେ ଲଗାଯାଇଛି । ଦୁଇବର୍ଷ ହେବ ରୋଜଗାର ହରାଇଥିବା ମୂର୍ତ୍ତି କାରିଗରମାନେ ଚଳିତବର୍ଷ ରୋଜଗାର କରିବା ପାଇଁ ଆଶା ବାନ୍ଧି ବସିଥିବାବେଳେ ସେମାନଙ୍କ ଆଶା ପୂରଣ ହେବ ବୋଲି କିଛି ମୂର୍ତ୍ତିକାର କହିଛନ୍ତି ।

Get real time updates directly on you device, subscribe now.