fbpx

ଓଡ଼ିଶା ପାଇଁ ସତର୍କ ଘଣ୍ଟି: ରାଜ୍ୟରୁ ପୁଣି ଚିହ୍ନଟ ହେଲେ ଦୁଇ ଜଣ କରୋନା ସଂକ୍ରମିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାରା ନୂଆ ସବ୍-ଭାରିଆଣ୍ଟ ଜେଏନ.୧କୁ ନେଇ ଦେଶରେ ଆଶଙ୍କା ବଢ଼ିବାରେ ଲାଗିଥିବା ବେଳେ ଏହା ମଧ୍ୟରେ ଭାଇରସ ଓଡ଼ିଶା ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି । ଏହା ମଧ୍ୟରେ ରାଜ୍ୟରୁ ପୁଣି ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସପ୍ତାହକ ମଧ୍ୟରେ ରାଜ୍ୟରେ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଲରେ ମୋଟ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୫ରେ ପହଞ୍ଚିଥିବା ବେଳେ ରାଜ୍ୟବାସୀ ଏନେଇ ସଚେତନ ରହିବାର ଆବଶ୍ୟକତା ରହିଛି ।

ତେବେ ଗୋଟିଏ ସପ୍ତାହରେ ରାଜ୍ୟରୁ ୫ ଜଣ ସଂକ୍ରମିତ ଚିହ୍ନଟ ହେବା ନିଶ୍ଚିତ ଭାବେ ଏକ ଚିନ୍ତାଜନକ ବିଷୟ । ଦେଶରେ ବିଭିନ୍ନ ରାଜ୍ୟରେ ସଂକ୍ରମଣ ଧୀରେଧୀରେ ବୃଦ୍ଧି ପାଉଥିବା ବେଳେ ଜେଏନ.୧ ଭାରିଆଣ୍ଟ ବର୍ତ୍ତମାନ ସୁଦ୍ଧା ବିଶ୍ୱର ୪୧ଟି ଦେଶରେ କାୟା ବିସ୍ତାର କରିସାରିଲାଣି । ପ୍ରଥମ ଦୁଇଜଣ ସଂକ୍ରମିତ କଟକରୁ ଚିହ୍ନଟ ହୋଇଥିବା ବେଳେ ତୃତୀୟ ସଂକ୍ରମିତଙ୍କ ଯାତ୍ରା ବିବରଣୀ ସଂଗ୍ରହ କରାଯାଇଥିଲା ।

ତେବେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ଜେଏନ.୧ ଭାରିଆଣ୍ଟର ଉପସ୍ଥିତି ନେଇ ସ୍ପଷ୍ଟ ହୋଇନଥିବା ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ପୂର୍ବରୁ ସଂକ୍ରମିତ ହୋଇଥିବା ୩ ଜଣ ରୋଗୀ ଏବେ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କର ଜିନୋମ ସିକ୍ୱେନ୍ସିଂ ରିପୋର୍ଟକୁ ଏବେ ଅପେକ୍ଷା କରାଯାଇଛି । ରିପୋର୍ଟ ଆସିବା ପରେ ସେମାନଙ୍କ ସଂକ୍ରମଣ ବାବଦରେ ସବିଶେଷ ତଥ୍ୟ ମିଳିପାରିବ । ଯେହେତୁ କୋଭିଡ ଭାଇରସ ସମ୍ପୂର୍ଣ୍ଣ ଭାବେ ଯାଇନାହିଁ ତେଣୁ ତାହା ଏବେ ବି ସକ୍ରିୟ ରହିଛି । ସେଥିପାଇଁ ଆମକୁ ସାବଧାନ ରହିବାକୁ ପଡ଼ିବ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ ନିୟମ ପାଳନ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ସମସ୍ତେ ସତର୍କ ହୋଇ ଚଳିଲେ ବିପଦ ହଟିବ ବୋଲି ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ କହିଛନ୍ତି ।

Get real time updates directly on you device, subscribe now.