fbpx

FIFA ମହାଯୁଦ୍ଧରେ ମୁହାଁମୁହିଁ ହେଲେ ଦୁଇ ବ୍ରହ୍ମାସ୍ତ୍ର: ଜଣଙ୍କର ବିଦାୟ ଜଣଙ୍କର ଆବିର୍ଭାବ, ସାରା ବିଶ୍ୱ ଦେଖିଲା ଦୁଇ ସୁପରଷ୍ଟାରଙ୍କ ପରାକ୍ରମ

ନୂଆଦିଲ୍ଲୀ: ଚଳିତ ବର୍ଷ ଫିଫା ବିଶ୍ୱକପ ୨୦୨୨ର ଆୟୋଜନ କରିଥିଲା କତାର ଭଳି ଏକ ଛୋଟ ଦେଶ । ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଦୁଇ ପୂର୍ବତନ ବିଶ୍ୱ ଚାମ୍ପିୟନ ଆର୍ଜେଣ୍ଟିନା ଓ ଫ୍ରାନ୍ସ । ଆର୍ଜେଣ୍ଟିନା ୩୬ ବର୍ଷ ପରେ ବିଶ୍ୱକପ ବିଜୟ ଲକ୍ଷ୍ୟରେ କିମ୍ବଦନ୍ତୀ ତାରକା ଲିଓନେଲ ମେସିଙ୍କୁ ନେଇ ଉତ୍ସାହର ସହିତ ପଡ଼ିଆକୁ ଓହ୍ଲାଇଥିଲା । ସେହିପରି ଗତ ୨୦୧୮ରେ ବିଶ୍ୱ ଚାମ୍ପିୟନ ହୋଇଥିବା ଫ୍ରାନ୍ସ ଯୁବ ତାରକା କିଲିଆନ ଏମବାପ୍ପେଙ୍କୁ ନେଇ କ୍ରମାଗତ ଦ୍ୱିତୀୟ ଥର ବିଜୟ ଲକ୍ଷ୍ୟରେ ଓହ୍ଲାଇଥିଲା ।

ତେବେ ମ୍ୟାଚ ପୂର୍ବରୁ ଦର୍ଶକଙ୍କ ମଧ୍ୟରେ ଦୁଇ ଶକ୍ତିଶାଳୀ ଟିମର ହେଭି ଟକ୍କରକୁ ନେଇ ଉତ୍ସାହ ଭରି ରହିଥିଲା । ମାତ୍ର ପ୍ରଥମ ୮୦ ମିନିଟ ମଧ୍ୟରେ ସେଭଳି କିଛି ଘଟିନଥିଲା । ଏହି ଅବଧି ମଧ୍ୟରେ ଆର୍ଜେଣ୍ଟିନା ଦୁଇଟି ଗୋଲ ସ୍କୋର କରି ବିଜୟ ଆଡ଼କୁ ଅଗ୍ରସର ନେଇ ଉତଫୁଲିତ ହୋଇ ଉଠିଥିଲା । ଦଳ ପାଇଁ ପ୍ରଥମ ଗୋଲ ଦେଇ ମେସି ନିଜର ବର୍ଷ ବର୍ଷର ସ୍ୱପ୍ନକୁ ସାକାର କରିବା ଖୁସିରେ ବିଭୋର ହୋଇ ଉଠିଥିଲେ । ଲାଗୁଥିଲା ସତେ ଯେମିତି ଶକ୍ତିଶାଳୀ ଆର୍ଜେଣ୍ଟିନା ସମ୍ମୁଖରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଦେଇଥିଲା ପ୍ରତିପକ୍ଷ ଫ୍ରାନ୍ସ । ମାତ୍ର ତାହା ବୋଧହୁଏ ତାହା ଭାବିବା ସମସ୍ତଙ୍କ ପାଇଁ ଭୁଲ୍ ଥିଲା ।

ଏହି ସମୟରେ ବିଶ୍ୱ କ୍ରୀଡ଼ାକାଶରେ ସତେ ଯେମିତି ଆବିର୍ଭାବ ହୋଇଥିଲେ ଭବିଷ୍ୟତର ଜଣେ କିମ୍ବଦନ୍ତୀ । ଆର୍ଜେଣ୍ଟିନାର ଟପ୍ ଖେଳାଳିମାନେ ଥକ୍କି ପଡ଼ିଥିବା ବେଳେ ନିଜର ଅସଲ ପରାକ୍ରମ ଦେଖାଇଥିଲେ ଯୁବ ଉଦ୍ଦୀୟମାନ ୨୩ ବର୍ଷୀୟ ଖେଳାଳି ଏମବାପ୍ପେ । ସେ ମାତ୍ର ୧୦୦ ସେକେଣ୍ଡ ମଧ୍ୟରେ ଆର୍ଜେଣ୍ଟିନାର ଗୋଲ ପୋଷ୍ଟକୁ ୨ଟି ଗୋଲ ଦେଇ ସତେ ଯେମିତି ନିଜ ଦମରେ ଇତିହାସର ଗତିପଥକୁ ନିଜ ଇସାରାରେ ସେ ବଦଳାଇ ଦେଇଥିଲେ । ମାତ୍ର କେଇ ସେକେଣ୍ଡରେ ଏମବାପ୍ପେ ସତେ ଯେମିତି ସାରା ବିଶ୍ୱର ଫୁଟବଲ ପ୍ରେମୀଙ୍କ ପାଇଁ ଜଣେ ଷ୍ଟାର ପାଲଟି ଯାଇଥିଲେ ।

ପରବର୍ତ୍ତୀ ସମୟରେ ଆର୍ଜେଣ୍ଟିନା ପକ୍ଷରୁ ଗୋଟିଏ ଗୋଲ ସ୍କୋର କରାଯାଇଥିଲା । ଏହାର ଜବାବ ମଧ୍ୟ ଏମବାପ୍ପେ ହ୍ୟାଟ୍ରିକରେ ଦେଇଥିଲେ । ଗୋଟିଏ ପଟେ ଏକାଧିକ ପ୍ରତିଭାସମ୍ପନ୍ନ ଖେଳାଳିରେ ଆର୍ଜେଣ୍ଟିନା ଭରି ରହିଥିବା ବେଳେ ଅନ୍ୟପଟେ ଏକା ଲଢ଼ୁଥିଲେ ଏମବାପ୍ପେ । ବିଶ୍ୱର ତୃତୀୟ ଖେଳାଳି ଭାବେ ସେ ହ୍ୟାଟ୍ରିକ ଅର୍ଜନ କରିଥିଲେ । ମାତ୍ର ବିଧିର ବିଧାନ ବୋଧହୁଏ ଏମବାପ୍ପେଙ୍କ ସପକ୍ଷରେ ଯାଇ ନଥିଲା । ପେନାଲଟି ଶୁଟଆଉଟରେ ଫ୍ରାନ୍ସ ପଛରେ ରହିଯାଇଥିଲା, ଆଉ ବିଶ୍ୱବିଜେତା ପାଲଟିଥିଲା ଆର୍ଜେଣ୍ଟିନା ।

୨୩ ବର୍ଷୀୟ ଏମବାପ୍ପେ ଦଳକୁ ବିଶ୍ୱବିଜୟୀ ସିନା କରାଇ ପାରିଲେନି, ମାତ୍ର ତାଙ୍କର ପ୍ରଦର୍ଶନରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ତାଙ୍କୁ ସଲାମ କରିବାକୁ ଭୁଲି ନଥିଲେ । ଗୋଟିଏ ପଟେ ମେସିଙ୍କ ପରି ଜଣେ କିମ୍ବଦନ୍ତୀ ଫୁଟବଲ ମୈଦାନରୁ ବିଦାୟ ନେଉଥିବା ବେଳେ ଏମବାପ୍ପେଙ୍କ ନାମରେ ଆଉ ଜଣେ କିମ୍ବଦନ୍ତୀ ବୋଧହୁଏ ଜନ୍ମ ନେଇ ସାରିଥିଲେ । ଏତେ କମ୍ ବୟସରେ ଯେଉଁ ତାରକା ‘ୱାନ ମ୍ୟାନ୍ ଫାଇଟର’ ଭାବେ ମୋଡ଼ ପରିବର୍ତ୍ତନ କରିଦିଏ, ତା’ର ଅସଲ ପରାକ୍ରମ ଭବିଷ୍ୟତର ବିଶ୍ୱ ନିଶ୍ଚିତ ଦେଖିବ ।

ଚଳିତ ବିଶ୍ୱକପରେ ମେସି ମୋଟ ୭ଟି ଗୋଲ ସ୍କୋର କରିଥିବା ବେଳେ ଏମବାପ୍ପେ ସର୍ବାଧିକ ୮ଟି ଗୋଲ ସ୍କୋର କରି ଗୋଲଡେନ ବୁଟ୍ ହାସଲ କରିବାର ସୌଭାଗ୍ୟ ଲାଭ କରିଥିଲେ । ୧୯୮୬ ମସିହା ପରେ ପୁଣି ଥରେ ଆର୍ଜେଣ୍ଟିନାକୁ ବିଶ୍ୱବିଜୟୀ ମୁକୁଟ ପିନ୍ଧାଇଲେ ମେସି । ଅନ୍ୟପକ୍ଷରେ ଫ୍ରାନ୍ସ ଫାଇନାଲରେ ପରାଜିତ ହୋଇଥିଲେ ହେଁ ବାଜିଗର ପାଲଟି ଯାଇଛନ୍ତି ଏମବାପ୍ପେ । ବିଜୟ ଆଡ଼କୁ ଅଗ୍ରସର ହେଉଥିବା ଆର୍ଜେଣ୍ଟିନାକୁ ଅସଲ ପରାକ୍ରମ ଦେଖାଇଥିଲେ ଏମବାପ୍ପେ । ପର୍ତ୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲଡୋକୁ ନିଜର ଆଦର୍ଶ ମାନୁଥିବା ଏମବାପ୍ପେ ଆଜି ଗୁରୁଙ୍କୁ ମଧ୍ୟ ଟପି ଇତିହାସ ରଚିଛନ୍ତି । ୧୯୯୮ ମସିହା ଡିସେମ୍ବର ମାସ ୨୦ ତାରିଖରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ଜଣେ ସାଧାରଣ ଯୁବକ ଆଜି ଫୁଟବଲ ଜଗତର ବାଦଶାହ ପାଲଟିବା କୌଣସି କାହାଣୀଠାରୁ କମ୍ ନୁହେଁ । କେଇ ମିନିଟ ପାଇଁ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ଏଇ କନିଷ୍ଠ ତାରକାଙ୍କ ଅସଲ ଚମକ ଭବିଷ୍ୟତର କ୍ରୀଡ଼ାଜଗତ ନିଶ୍ଚିତ ଦେଖିବ ।

Get real time updates directly on you device, subscribe now.