fbpx

୧ ବର୍ଷ ଧରି ମା’ଙ୍କ ମୃତଶରୀର ସହ ରହୁଥିଲେ ଦୁଇ ଝିଅ: କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଉତ୍ତରପ୍ରଦେଶ: ମା’ଙ୍କ ମୃତଦେହ ସହ ୧ ବର୍ଷ ବିତାଇଛନ୍ତି ଦୁଇ ଝିଅ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ । ଘଟଣାଟି ଘଟିଛି ଉତ୍ତରପ୍ରଦେଶର ବାରାଣାସୀ ଜିଲ୍ଲାରେ । ରିପୋର୍ଟ ଅନୁଯାୟୀ ସେମାନଙ୍କ ମା’ଙ୍କର ପ୍ରାୟ ଏକ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା । ତେବେ ଏତେ ଦିନ ଧରି ଏକ ମୃତଦେହ ସହ ଦୁହେଁ କିପରି ରହୁଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ତେବେ ଅନେକ ଦିନ ଧରି ସେମାନଙ୍କ ପଡ଼ୋଶୀମାନେ ସେମାନଙ୍କୁ ଦେଖିବାକୁ ପାଇ ନଥିଲେ । ଏହା ସହିତ ଅନେକ ଦିନ ସେମାନଙ୍କ ଘରର କବାଟ ବନ୍ଦ ଥିବା ମଧ୍ୟ ଦେଖି ପଡ଼ୋଶୀମାନେ ସନ୍ଦେହ କରିଥିଲେ । ସେମାନେ ଦୁଇ ଭଉଣୀଙ୍କର ସମ୍ପର୍କୀୟଙ୍କୁ ସୂଚନା ଦେଇଥିଲେ । ତେବେ ସମ୍ପର୍କୀୟମାନେ ସେମାନଙ୍କ ଘରେ ପହଞ୍ଚି ସମସ୍ତ ଘଟଣା ଜାଣିବାକୁ ପାଇଥିଲେ । ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା । ଏଥି ସହିତ ଦୁଇ ଭଉଣୀ ପଲ୍ଲବୀ ତ୍ରିପାଠି (୨୭) ଏବଂ ବୈଷ୍ଣବୀ ତ୍ରିପାଠି (୧୭)ଙ୍କୁ ମଧ୍ୟ ସେଠାରୁ ଉଦ୍ଧାର କରିଥିଲା ।

ପୋଲିସର ସୂଚନାନୁସାରେ, ଉଷା ଦେବୀ (୫୨) ନାମକ ଉକ୍ତ ମହିଳାଙ୍କର ଡିସେମ୍ବର ୮, ୨୦୨୨ ରେ ମୃତ୍ୟୁ ଘଟିଥିଲା । କିନ୍ତୁ ଆର୍ଥିକ ପ୍ରତିବନ୍ଧକ କାରଣରୁ ଦୁଇ ଭଉଣୀ ମା’ଙ୍କର ଶୁଦ୍ଧିକ୍ରିୟା କରିପାରି ନଥିଲେ । ସେହି କାରଣରୁ ତାଙ୍କ ମୃତଦେହ ସହିତ ଗୋଟିଏ ଘରେ ସେମାନେ ରହୁଥିଲେ। ଏପରିକି ଶରୀରର ଦୁର୍ଗନ୍ଧକୁ କମ କରିବା ପାଇଁ ଧୂପକାଠି ଜାଳି ଦେଉଥିଲେ ବୋଲି ପୋଲିସ କହିଛି।

ଦୁଇ ବର୍ଷ ପୂର୍ବେ ମହିଳାଙ୍କ ସ୍ୱାମୀ ଘରୁ ବାହାରି ଯାଇଥିଲେ । ଏପରିକି ପତ୍ନୀଙ୍କ ମୃତ୍ୟୁ ପରେ ମଧ୍ୟ ସେ ଘରକୁ ଆସିନଥିଲେ ବୋଲି ପୋଲିସ ସୂଚନା ଦେଇଛି। ତେବେ ମୃତଦେହ ଉଦ୍ଧାର ହେବା ପରେ ପୋଲିସ ଦୁଇ ଭଉଣୀଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରହିଛି।

Get real time updates directly on you device, subscribe now.