fbpx

ଅଣ୍ଡରୱାର୍ଲ୍ଡ ଡନ୍‌ ଛୋଟା ରାଜନ ଅସୁସ୍ଥ, ଏମସ୍‌ ହସ୍ପିଟାଲ୍‌ରେ ଭର୍ତ୍ତି

ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍) : ଦିଲ୍ଲୀ ପଶ୍ଚିମ ଜିଲ୍ଲାର ହରିନଗର ସ୍ଥିତ ଅତ୍ୟନ୍ତ ସୁରକ୍ଷିତ କୁହାଯାଉଥିବା ତିହାଡ଼ ଜେଲ୍‌ରେ ବନ୍ଦଥିବା ଅଣ୍ଡରୱାର୍ଲ୍ଡ ଡନ୍‌ ଛୋଟା ରାଜନର ସ୍ୱାସ୍ଥ୍ୟ ହଠାତ୍‌ ଖରାପ ହେବାରୁ ଚିକିତ୍ସା ପାଇଁ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ୍‌)ରେ ଭର୍ତ୍ତି  କରାଯାଇଛି । ଏମସ୍‌ର ଅଧିକାରୀମାନେ କହିଛନ୍ତି ଯେ ପେଟରେ ଖୁବ୍‌ ବେଶୀ କଷ୍ଟ ହେବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତିହାଡ଼ ଜେଲ୍‌ର ଡିଜି ସନ୍ଦୀପ ଗୋୟଲ ଗୁରୁବାର ଦିନ ହିନ୍ଦୁସ୍ଥାନ ସମାଚାରକୁ କହିଛନ୍ତି ଯେ, ଛୋଟା ରାଜନ କିଛି ମାସ ପୂର୍ବରୁ କରୋନା ହୋଇଥିଲା । ଏହା ତାହାର ସାଇଡଇଫେକ୍ଟ ମଧ୍ୟ ହୋଇପାରେ । ବର୍ତମାନ ଡାକ୍ତର ତାକୁ ସମ୍ପୂର୍ଣ୍ଣ ଯାଂଚ କରି ଯାହା କହିବେ । ମଙ୍ଗଳବାର ଦିନ ତିହାଡ଼ ଜେଲ୍‌ ନଂ-୨ରେ ବନ୍ଦଥିବା ଛୋଟା ରାଜନକୁ ହଠାତ୍‌ ପେଟରେ ଯନ୍ତ୍ରଣା ହେବାକୁ ଲାଗିଲା । ଏ ବିଷୟରେ ଜେଲ୍‌ର ୱାଡେନ୍‌ ତିହାର ପ୍ରଶାସନକୁ ଦେଇଥିଲେ । ପ୍ରଥମେ ଜେଲ୍‌ ଡାକ୍ତରମାନେ ଛୋଟା ରାଜନର ଯାଂଚ କରିଥିଲେ । କିନ୍ତୁ ସମସ୍ୟା ସେମାନେ ନବୁଝି ପାରିବାରୁ ତୁରନ୍ତ ଏମସ୍‌ରେ ଭର୍ତ୍ତି କରାଯାଇଥିଲା । ଡିଜିଙ୍କ ଅନୁସାରେ ଶୁକ୍ରବାର ସନ୍ଧ୍ୟା ଭିତରେ ଛୋଟା ରାଜନକୁ ହସ୍ପିଟାଲରୁ ଛୁଟି ମିଳିଯାଇ ପାରେ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ୨୪ ଅପ୍ରେଲକୁ କରୋନା ହେବାପରେ ଛୋଟା ରାଜନକୁ ଏମସ୍‌ରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ୧୮ ଦିନ ରହିବା ପରେ ୧୧ ମଇରେ ତାକୁ ତିହାର ଜେଲ୍‌କୁ ପଠାଇ ଦିଆଯାଇଥିଲା । ଏବେ ଦ୍ୱିତୀୟଥର ତା’ର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାକୁ ଏମସ୍‌ରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.