fbpx

ହାତୀ ମୃତ୍ୟୁ ରୋକିବାକୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାରେ ହାତୀ ଓ ବନ୍ୟପ୍ରାଣୀଙ୍କ ମୃତ୍ୟୁକୁ ନେଇ ଚିନ୍ତାପ୍ରକଟ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସମୟୋଚିତ ପଦକ୍ଷେପ ନେବାକୁ ଅନୁରୋଧ କରି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଜଙ୍ଗଲ; ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ପୃଥକ ପୃଥକ ଚିଠି ଲେଖିଛନ୍ତି। ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଓଡ଼ିଶାରେ ଦିନକୁ ଦିନ ହାତୀ ମୃତ୍ୟୁ ଓ ହାତୀ ମଣିଷ ଲଢ଼େଇ ବଢ଼ି ଚାଲିଛି। ଏକ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ୭୮୪ଟି ହାତୀଙ୍କ ମୃତ୍ୟୁ
ଘଟିବା ଦୁର୍ଭାଗ୍ୟର ବିଷୟ।

କେବଳ ଗତ ୩ ବର୍ଷ ଭିତରେ ୨୪୫ଟି ହାତୀଙ୍କ ପ୍ରାଣହାନୀ ହୋଇଛି। ବାର୍ଷିକ ହାରାହାରି ୮୦ଟି ହାତୀ ମୃତ୍ୟୁବରଣ କରୁଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ମାସରେ ୭ଟି ହାତୀଙ୍କ ମୃତ୍ୟୁ ଉଦ୍‍ବେଗ ଜନକ ବୋଲି ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି। ସେହିପରି ହାତୀ ସମେତ ଅନ୍ୟ ବନ୍ୟପ୍ରାଣୀଙ୍କର ମୃତ୍ୟୁ ମଧ୍ୟ ଅହେତୁକ ଭାବେ ବଢ଼ିଛି । ୨୦୧୭-୧୮ରୁ ୨୦୨୧-୨୨ ଗତ ୫ ବର୍ଷରେ ଓଡ଼ିଶାରେ ୪୧୬ଟି ହାତୀଙ୍କୁ ମିଶାଇ ମୋଟ୍‍ ୨ ହଜାର ୭୭୬ ବନ୍ୟଜୀବଙ୍କର ମୃତ୍ୟୁ ଘଟିଛି। ସେହିପରି ହାତୀ ଆକ୍ରମଣରେ ୬୬୯ ଲୋକ ଓ ୭୪୧ ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଥିବାବେଳେ ୯ ହଜାର ୧୫୧ଟି ଘର କ୍ଷତିଗ୍ରସ୍ତ ହୋଇଛି। ଅଧିକାଂଶ ହାତୀ ବିଦ୍ୟୁତ ଆଘାତ, ରୋଗ ଅଥବା ଟ୍ରେନ୍‍ କିମ୍ବା ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିବା ପରିତାପର ବିଷୟ। ଆମ ସାଂସ୍କୃତିକ ଓ ସାମାଜିକ ଜୀବନ ସହ ପରିବେଶ ସନ୍ତୁଳନରେ ହାତୀର ଭୂମିକା ଗୁରୁତ୍ୱପୂର୍ଣ୍ଣ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ସରକାର ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ଦୃଢ଼ ପ୍ରତିବଦ୍ଧତା ଦେଖାଇ ଆସୁଛନ୍ତି । ‘ମନ୍‍ କି ବାତ୍‍’ରେ ହାତୀଙ୍କ ଗୁରୁତ୍ୱ ଓ ସେମାନଙ୍କ ସଂରକ୍ଷଣ ପାଇଁ ବାରମ୍ବାର ଆଲୋକପାତ କରୁଛନ୍ତି । ଗଜରାଜଙ୍କ ସୁରକ୍ଷା ପାଇଁ ହସ୍ତୀ ପ୍ରକଳ୍ପ ଆରମ୍ଭ ହୋଇଛି । ତେଣୁ ରାଜ୍ୟରେ ଏହି ବିଶାଳକାୟ ଜୀବର ସୁରକ୍ଷା, ସଂରକ୍ଷଣ ଓ ବଂଶବୃଦ୍ଧି ଦିଗରେ ସମୟୋଚିତ ପଦକ୍ଷେପ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.