fbpx

୨୦୨୧ ଡିସେମ୍ବର ଶେଷ ସୁଦ୍ଧା ସମସ୍ତଙ୍କୁ ଦିଆଯିବ ଟିକା : କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) କରୋନା ବିରୋଧୀ ଲଢ଼େଇକୁ ଆହୁରି ଜୋରଦାର କରାଯିବ । ଟିକାକରଣ ହିଁ କରୋନା ଭାଇରସ ବିରୋଧରେ ଏକମାତ୍ର ଅସ୍ତ୍ର ହୋଇଥିବାରୁ ଏହାକୁ ଅଧିକ ବ୍ୟାପକ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

କେନ୍ଦ୍ରସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଶୁକ୍ରବାର କହିଛନ୍ତି ଯେ, ଚଳିତ ବର୍ଷ ଶେଷ ଅର୍ଥାତ ୨୦୨୧ ମସିହା ଡିସେମ୍ବର ମାସ ସୁଦ୍ଧା ପ୍ରତ୍ୟେକ
ଭାରତୀୟଙ୍କୁ କରୋନା ଟିକା ଦିଆଯିବ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧୀ କେନ୍ଦ୍ର ସରକାରଙ୍କ କରୋନା ବିରୋଧି ଟିକାକରଣ ନୀତିକୁ ନେଇ ପ୍ରଶ୍ନ
ଉଠାଇବା ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏପରି କହିଛନ୍ତି ।

କେନ୍ଦ୍ର ସରକାର ନିଜର ଟିକାକରଣ ଶୈଳୀ ବଦଳାଇ ସମସ୍ତଙ୍କୁ ଯଥାଶୀଘ୍ର ଟିକାର ଡୋଜ୍‌ ଦେବାକୁ ପଦକ୍ଷେପ ଗ୍ରହଣ କରନ୍ତୁ, ନଚେତ୍‌ କରୋନାର ଅନେକ
ଲହର ଭାରତରେ ଦେଖାଦେବ ବୋଲି ରାହୁଲ୍‌ କହିଥିଲେ । ରାହୁଲ୍‌ଙ୍କ ଏପରି ମନ୍ତବ୍ୟ ଉପରେ ଜବାବ ରଖି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି
ଯେ, ଟିକାକରଣ କାର୍ଯ୍ୟକ୍ରମ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ଡିସେମ୍ବର ସୁଦ୍ଧା ସମସ୍ତ ଭାରତୀୟଙ୍କୁ ଟିକା ଦିଆଯିବ । ଭାରତ ବିଶ୍ୱର
ଦ୍ୱିତୀୟ ରାଷ୍ଟ୍ର ଭାବେ ଖୁବ୍‌କମ୍‌ ସମୟରେ ଅଧିକ ଲୋକଙ୍କ ଟିକାକରଣ କରିବାର ରେକର୍ଡ କରିଛି । ବର୍ତ୍ତମାନ ସୁଦ୍ଧା ୨୦ କୋଟିରୁ ଅଧିକ ଲୋକଙ୍କୁ ଟିକାର ଡୋଜ୍‌ ଦିଆଯାଇ ସାରିଛି ବୋଲି ସେ କହିଛନ୍ତି । ଭାରତର ଟିକାକରଣ କାର୍ଯ୍ୟକ୍ରମ ୨୦୨୧ ସରିବା ପୂର୍ବରୁ ଶେଷ ହେବ । ଡିସେମ୍ବର ମାସ ସୁଦ୍ଧା ଭାରତ ନିକଟରେ ୨୧୬ କୋଟି ଟିକା ଥିବ ଏବଂ ଏ ଗୁଡ଼ିକୁ ନେଇ ଟିକାକରଣ ଆଗେଇ ଚାଲିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀଜାଭଡେକର କହିଛନ୍ତି ।

ପ୍ରକାଶଯୋଗ୍ୟ, ଜାନୁଆରୀ ୧୬ରୁ ଦେଶରେ ଟିକାକରଣ ଆରମ୍ଭ ହୋଇଥିଲେ ହେଁ ଏଯାଏ କେବଳ ୨୦ କୋଟି ଲୋକଙ୍କୁ ଟିକା ଦିଆଯାଇ ପାରିଛି । ସେହିରି ଦେଶର ମୋଟ ଜନସଂଖ୍ୟାର ୩ଧରୁ କମ୍‌ ଲୋକ ଟିକାର ଡବଲ ଡୋଜ୍‌ ନେଇଛନ୍ତି । କେନ୍ଦ୍ର ସରକାର ଠିକ୍‌ ଭାବେ ଟିକା ଯୋଗାଇ ପାରୁ ନଥିବାରୁ ଟିକାକରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରୁ ନଥିବା ବିଭିନ୍ନ ରାଜ୍ୟର ସରକାରମାନେ ଅଭିଯୋଗ କରୁଛନ୍ତି ।

Get real time updates directly on you device, subscribe now.