fbpx

ଜାଲରେ ଫସିଲା ବିରଳ କ୍ୟାଟ ଫିସ: ଆସିଛି ଆମାଜନରୁ…

ବାଲେଶ୍ୱର: ଏକ ବିରଳ ପ୍ରଜାତିର ମାଛକୁ ନେଇ ଆରମ୍ଭ ହୋଇଯାଇଛି ଜୋରଦାର ଚର୍ଚ୍ଚା । ଓଡିଶାର ଏକ ପୋଖରୀରୁ ଦେଖିବାକୁ ମିଳିଛି ବିରଳ କ୍ୟାଟ ଫିସ । ଏହି ପ୍ରଜାତିର ମାଛ ବିଶେଷ କରି ଆମେରିକାର ଅମାଜନ ସାଗରରେ ଦେଖିବାକୁ ମିଳୁଥିବା ବେଳେ ଓଡ଼ିଶାର ପୋଖରୀରେ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହି ମାଛଟି ସାଧାରଣତଃ ଲୁଣି ପାଣିରେ ଦେଖିବାକୁ ମିଳିଥାଏ । କିନ୍ତୁ ମଧୁର ଜଳରୁ ଏହି ମାଛ ଉଦ୍ଧାର ହେବା ପରେ ଏ ନେଇ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁଯାୟୀ, ଏହି ବିରଳ ପ୍ରଜାତିର ମାଛଟି ବାଲେଶ୍ୱର ବସ୍ତା ବ୍ଲକ ଅନ୍ତର୍ଗତ ବସନ୍ତପୁର ଗାଁର ଚନ୍ଦନ ସେନଙ୍କ ପୋଖରୀରୁ ଉଦ୍ଧାର ହୋଇଛି । ପୋଖରୀରେ ଜାଲ ପକାଇବା ସମୟରେ ଏହି ମାଛଟି ଧରା ପଡ଼ିଛି । ଏହି ମାଛକୁ ଦେଖି ଅଧିକାଂଶ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ଏଭଳି ମାଛ ମୁଖ୍ୟତଃ ଲୁଣିପାଣିରେ ବସବାସ କରିଥାନ୍ତି । ଆମେରିକାର ଆମାଜନ ସାଗରରେ ପ୍ରାୟତଃ ଏମାନଙ୍କୁ ଦେଖାଯାଇଥାଏ । କିନ୍ତୁ ପୋଖରୀର ଏହି ମିଠା ପାଣିରେ ମାଛକୁ ଦେଖି ଏହାକୁ କେହି ସହଜରେ ବିଶ୍ୱାସ କରି ପାରି ନାହାନ୍ତି ।

ତେବେ ବିପଦ ଆସିଲେ ମାଛଟି ଶବ୍ଦ କରିବା ସହିତ ପୋଖରୀରେ ଘୁରି ବୁଲି ବାରମ୍ବାର ଓଲଟି ଥାଏ ବୋଲି କହିଛନ୍ତି ଚନ୍ଦନ । ସେହିପରି ପାଗର ପରିବର୍ତ୍ତନ ଦେଖିଲେ ମାଛଟି ଏହି ଭଳି ଅନେକ ସୂଚନା ମଧ୍ୟ ଦେଇଥାଏ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଏହି ମାଛଟି ପୋଖରୀକୁ କିପରି ଆସିଲା ପରିବାର ଲୋକେ ଜାଣି ନଥିବା ବେଳେ ପୋଖରୀରେ ମାଛ ଯାଆଁଳ ଛାଡ଼ିବା ସମୟରେ ଆସିଥାଇ ପାରେ ବୋଲି ଅନୁମାନ କରାଯାଉଛି । ତେବେ ଉଦ୍ଧାର ହୋଇଥିବା ଏହି ବିରଳ ମାଛଟିର ଓଜନ ୨ କେଜିରୁ ଅଧିକ ହେବ । ଏପରି ବିରଳ ମାଛ ବିଷୟରେ ଚନ୍ଦନ ଅବଗତ ନଥିବାରୁ ୟୁଟ୍ୟୁବରୁ ସର୍ଚ୍ଚ କରି ଏହା କ୍ୟାଟ ଫିସ ବୋଲି ଜାଣିବାକୁ ପାଇଛନ୍ତି । ତେଣୁ ଏହି ବିରଳ ମାଛକୁ ବିକ୍ରି ନକରି ନିଜ ପୋଖରୀରେ ରଖିବେ ବୋଲି ନିଷ୍ପତ୍ତି ନେଇଛନ୍ତି ଚନ୍ଦନ ।

Get real time updates directly on you device, subscribe now.