fbpx
BSKY
BJD SHG SKY
BJD YOUTH SKY

ମାଲକାନଗିରିରେ ଅଜଣା ରୋଗ ନେଉଛି ଜୀବନ: ୧୦ ଦିନରେ ୬ ମୃତ

ମାଲକାନଗିରି : ମାଲକାନଗିରିରେ ମାଥିଲି ବ୍ଲକ୍ ଅଞ୍ଚଳରେ ଅଜଣା ରୋଗର ଆତଙ୍କ ଦେଖାଦେଇଛି । ଏହା ଧୀରେ ଧୀରେ ମହାମାରୀର ରୂପ ନେବାକୁ ଯାଉଛି । ଗତ ୧୦ ଦିନ ମଧ୍ୟରେ ୬ ଜଣଙ୍କ ଏହି ରୋଗରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୧୦ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ବେସରକାରୀ ଭାବେ ଏହି ମୃତ୍ୟୁସଂଖ୍ୟା ୧୧ ବୋଲି କୁହାଯାଉଛି । ବିଶେଷ କରି ମାଥିଲି ବ୍ଲକର ହଳଦୀକୁଣ୍ଡ ଗାଁରେ ଏହି ଅଜଣା ରୋଗ ଆତଙ୍କ ରଚିଛି । ଲୋକମାନେ ଭୟଭୀତ ହୋଇ ରହିଛନ୍ତି । ଲୋକଙ୍କ ଗୋଡ଼ହାତ ଫୁଲିଯିବା ସହ ହଠାତ୍ ଜ୍ୱର ଆସୁଛି ଓ ପରେ ସେମାନଙ୍କ ମୃତ୍ୟୁ ଘଟୁଛି ।

ତେବେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାବେଳେ ସେଠାକାର ଲୋକମାନେ ଡାକ୍ତରଖାନା ପରିବର୍ତ୍ତେ ଗୁଣିଆଙ୍କ ପାଖରେ ଝଡ଼ାଫୁଙ୍କାର ଆଶ୍ରୟ ନେଉଛନ୍ତି । ସେମାନେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଡାକ୍ତରଖାନା ଯିବାକୁ ଅମଙ୍ଗ ହେଉଛନ୍ତି । ଏହି ବ୍ଲକର ହଳଦୀକୁଣ୍ଡ, ଟକଲିଗୁଡ଼ା, ବାମନଗୁଡ଼ା ଇତ୍ୟାଦି ଗାଁରେ ଏହି ରୋଗର ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି । ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଟିମ୍ ପହଞ୍ଚି ଲୋକଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି । ଏତେସବୁ ପରେ ବି ଲୋକମାନେ ଡାକ୍ତରଖାନା ଯିବା ପାଇଁ ରାଜି ହେଉନାହାନ୍ତି ।

ତେବେ ଏହି ଟିମ୍ ସେମାନଙ୍କୁ ବୁଝାସୁଝା କରିବା ପରେ ୪ ଜଣ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସମସ୍ତଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ସ୍ୱାସ୍ଥ୍ୟ ଟିମ୍ କେଉଁ କାରଣ ଯୋଗୁଁ ଏଭଳି ରୋଗ ବ୍ୟାପୁଛି ସେନେଇ ଅନୁସନ୍ଧାନ ଜାରି ରଖିଛନ୍ତି । ବିଶେଷ କରି ଅସ୍ୱାସ୍ଥ୍ୟକର ପରିବେଶ ଓ ବିଷାକ୍ତ ମଦପାନ ଯୋଗୁଁ ଏହି ରୋଗରେ ମୃତ୍ୟୁ ହେଉଥିବା ସନ୍ଦେହ କରାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

Get real time updates directly on you device, subscribe now.