fbpx

ପ୍ରେମ ଦିବାନୀ ନା ଜାସୁସ ପାକିସ୍ତାନୀ: ସୀମା-ସଚିନଙ୍କ କାହାଣୀର ମୂଳ ଖୋଜିବ UP ATS, ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ୧୮ଟି ପ୍ରଶ୍ନର ଉତ୍ତର

ନୂଆଦିଲ୍ଲୀ: ଭାରତ ପଳାଇ ଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଦର ଓ ଭାରତୀୟ ଯୁବକ ସଚିନ ମୀଣାଙ୍କ ପ୍ରେମ କାହାଣୀକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ହେଉଛି । ଏହି ପ୍ରେମ କାହାଣୀ ବିଷୟରେ ଜାଣିବା ପାଇଁ ସମସ୍ତେ ଅଧିକ ଉତ୍ସୁକ ହେଉଛନ୍ତି । ବାସ୍ତବରେ ଏହି ଏହା ଏକ ପ୍ରେମ କାହାଣୀ ନା ଜାସୁସୀ? ଏହାକୁ ନେଇ ପୋଲିସ ଟିମ୍ ଓ ସୁରକ୍ଷା ଏଜେନ୍ସିମାନେ ବେଶ ସଜାଗ ରହିଛନ୍ତି । ପାକିସ୍ତାନୀ ଜାସୁସ ଆଶଙ୍କାରେ ସୀମାଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ତାଙ୍କୁ ଜାମିନ୍ ପ୍ରଦାନ କରାଯାଇଛି ।

ସୀମାଙ୍କ ବୟସ ପାଖାପାଖି ୩୦ ଓ ସଚିନଙ୍କ ବୟସ ପାଖାପାଖି ୨୫ ବର୍ଷ ହେବ ବୋଲି କୁହାଯାଉଛି । ଅନଲାଇନରେ ପବଜି ଖେଳିବା ସମୟରେ ଦୁହିଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇ ପରେ ତାହା ପ୍ରେମର ରୂପ ନେଇଥିଲା । ଚଳିତ ବର୍ଷ ମାର୍ଚ୍ଚ ମାସରେ ନେପାଳର କାଠମାଣ୍ଡୁ ସ୍ଥିତ ପଶୁପତିନାଥ ମନ୍ଦିରରେ ଦୁହେଁ ବିବାହ କରିଥିବା ସୀମା କହିଛନ୍ତି । ଅନ୍ୟପକ୍ଷରେ ସୀମାଙ୍କୁ ପାକିସ୍ତାନ ନ ପଠାଇଲେ ଭାରତରେ ୨୬/୧୧ ପରି ଆତଙ୍କବାଦୀ ଆକ୍ରମଣ ହେବ ବୋଲି ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଧମକ ଆସିଥିଲା ।

ସୀମାଙ୍କ ସତ୍ୟତା ଜାଣିବା ପାଇଁ କୌଣସି ଏଜେନ୍ସିକୁ ଯାଞ୍ଚ ଦାୟିତ୍ୱ ଦେବାକୁ ନୋଏଡ଼ା ପୋଲିସ ପକ୍ଷରୁ ଲକ୍ଷ୍ନୌ ହେଡକ୍ୱାର୍ଟରକୁ ସୁପାରିଶ କରାଯାଇଥିଲା । ଏଜେନ୍ସିକୁ ଏବେ ନିଜର ସୀମା ଲଙ୍ଘି ସୀମାଙ୍କ ସତ ଖୋଜିବାକୁ ପଡ଼ିବ । ସେଥିପାଇଁ ୟୁପି ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ (ଏଟିଏସ)କୁ ସୀମା-ସଚିନଙ୍କ ପ୍ରେମ ସମ୍ପର୍କର ଯାଞ୍ଚ ଦାୟିତ୍ୱ ଦିଆଯାଇଛି । ସାଧାରଣ ଭାବେ ଦେଖିବାକୁ ଗଲେ ଦୁହିଁଙ୍କର ପ୍ରେମ କାହାଣୀ ଅତି ସାଧାସିଧା । ମାତ୍ର ବୁଝିଲା ବେଳକୁ ତାହା ବୁଢ଼ିଆଣୀ ସୁତା ପରି ଅଡ଼ୁଆ ହୋଇ ଯାଉଛି ।

ଆଜି ୟୁପି ଏଟିଏସ ସୀମା, ତାଙ୍କର ପ୍ରେମୀ ସଚିନ ଓ ସଚିନଙ୍କ ପିତାଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା । ଦୁହିଁଙ୍କର ପ୍ରେମ କାହାଣୀର ସତ୍ୟତାକୁ ସାମ୍ନାକୁ ଆଣିବାକୁ ପ୍ରୟାସ କରୁଛି ୟୁପି ଏଟିଏସ୍ । ଏପରି ସ୍ଥିତିରେ ୧୮ଟି ବଡ଼ ପ୍ରଶ୍ନର ଉତ୍ତର ଖୋଜିବ ୟୁପି ଏଟିଏସ୍ । ଏପରିକି ଆବଶ୍ୟକ ପଡ଼ିଲେ ଯାଞ୍ଚ ଟିମ୍ ନେପାଳ ଓ ସାରଜା ମଧ୍ୟ ଯାଇପାରେ । ସୀମାଙ୍କର ସନ୍ତାନଙ୍କଠାରୁ ମିଳିଥିବା ୫ଟି ପାସପୋର୍ଟରେ ୟୁଏଏସ ଓ ନେପାଳର ଇମିଗ୍ରେସନ ମୋହର ବାଜିଛି ।

୧୮ଟି ପ୍ରଶ୍ନ ଖୋଜିବ ୟୁପି ଏଟିଏସ-

ଦୁହିଁଙ୍କର ପ୍ରଥମ ସାକ୍ଷାତ କେବେ ହୋଇଥିଲା, ସତରେ କ’ଣ ଦୁହେଁ ପବଜୀରେ ପ୍ରଥମ ଥର ମିଶିଥିଲେ, ସଚିନଙ୍କ ସହ ମିଶିବା ପୂର୍ବରୁ ସୀମାଙ୍କ ସତ୍ୟତା କ’ଣ, ସଚିନଙ୍କ ସହ ମିଶିବା ପୂର୍ବରୁ ଓ ଭାରତ ଆସିବା ପରେ ସୀମା କେଉଁ କେଉଁ ମୋବାଇଲ ନମ୍ବର ବ୍ୟବହାର କରୁଥିଲେ, ସୋସିଆଲ ମିଡ଼ିଆରେ ସୀମାଙ୍କର କେଉଁ କେଉଁ ଠାରେ ଆକାଉଣ୍ଟ ରହିଛି, ହ୍ୱାଟସଆପ ଚାଟରେ କ’ଣ ରହିଛି, ପାକିସ୍ତାନରେ ସୀମା ଯେଉଁ ଘର ବିକ୍ରି କରିଥିଲେ ତା’ର ପ୍ରମାଣ, ପିଲାବେଳୁ ଭାରତ ଆସିବା ପର୍ଯ୍ୟନ୍ତ ସୀମାଙ୍କର ସମ୍ପୂର୍ଣ୍ଣ କୁଣ୍ଡଳୀ, କରାଚୀରୁ ସାରଜା ଓ ସାରଜାରୁ କାଠମାଣ୍ଡୁ ମଧ୍ୟରେ ଯାତ୍ରାର କାହାଣୀ, ସୀମା କାଠମାଣ୍ଡୁର କେଉଁ ହୋଟେଲରେ ସଚିନଙ୍କ ସହ ରହିଥିଲେ, କାଠମାଣ୍ଡୁର କେଉଁ ମନ୍ଦିରରେ ଓ କେବେ ବିବାହ କରିଥିଲେ, ସଚିନଙ୍କ ସହ ସାକ୍ଷାତ ପରେ ସୀମାଙ୍କର ହିନ୍ଦି ଠିକ୍ ହେଲା ନା ପୂର୍ବରୁ ଥିଲା, ସଚିନ ଓ ସୀମାଙ୍କ ପୂର୍ବ ସ୍ୱାମୀ ଗୁଲାମ ହାଇଦରଙ୍କ ସତ୍ୟତା କ’ଣ, ସୀମାଙ୍କ ୪ ଶିଶୁଙ୍କର ସତ୍ୟତା କ’ଣ, ପାକିସ୍ତାନରେ ରହିବା ସମୟରେ ସୀମା କୌଣସି ପାକ୍ ଏଜେନ୍ସି ସହିତ ସମ୍ପର୍କରେ ରହିଥିଲେ କି, ବିଗତ ବର୍ଷମାନଙ୍କରେ ସୀମା କେଉଁ କେଉଁ ମୋବାଇଲ ନମ୍ବର ବ୍ୟବହାର କରିଥିଲେ, ପବଜୀ ବା ଅନ୍ୟ ଗେମିଂ ଆପରେ ସଚିନଙ୍କ ପୂର୍ବରୁ ସୀମାଙ୍କର କୌଣସି ବନ୍ଧୁ ଥିଲେ, ସଚିନଙ୍କ ବ୍ୟତୀତ ଭାରତରେ ସୀମାଙ୍କର ଅନ୍ୟ କେହି ବନ୍ଧୁ ଅଛନ୍ତି କି?

Get real time updates directly on you device, subscribe now.