fbpx

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବୈଜ୍ଞାନିକଙ୍କ ସତର୍କବାଣୀ: ଆଗାମୀ ସମୟ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ, ଆସିବ ଏକାଧିକ ଲହର

ନୂଆଦିଲ୍ଲୀ, ୧୮ା୫: ଭାରତରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । କରୋନାରେ ଦେଶର ପ୍ରାୟ ୪ ହଜାର ଲୋକ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇ ସାରିଲେଣି । ତେବେ ଭାରତର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ)ର ବୈଜ୍ଞାନିକ ଡା. ସୌମ୍ୟା ସ୍ୱାମୀନାଥନ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତରେ ଦିନକୁ ଦିନ ସଂକ୍ରମଣ ଭୟଙ୍କର ରୂପ ନେଉଛି । କରୋନା ଯୁଦ୍ଧ ପାଇଁ ଆଗାମୀ ଦେଢ଼ ବର୍ଷ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ଡା. ସୌମ୍ୟା କହିଛନ୍ତି ଯେ, ଦିନକୁ ଦିନ କରୋନାର ନୂଆ ଭାରିଏଣ୍ଟ ଦେଖିବାକୁ ମିଳୁଛି । ତେଣୁ ଆଗାମୀ ବର୍ଷେ ପର୍ଯ୍ୟନ୍ତ ସମସ୍ତେ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଦରକାର । ଆଗାମୀ ସମୟରେ ଭାରତରେ ନୂଆ ନୂଆ ଲହର ଦେଖିବାକୁ ମିଳିବ, ଯାହାକି ଦେଶ ପାଇଁ ଘାତକ ସାବ୍ୟସ୍ତ ହେବ । କରୋନାକୁ ମୂଳପୋଛ କରିବା ପାଇଁ ପ୍ରତ୍ୟେ ରାଷ୍ଟ୍ର ଦୀର୍ଘକାଳୀନ ଯୋଜନା ନେଇ ଗୁରୁତ୍ୱ ଦେବା ଆବଶ୍ୟକ । ଉଚିତ ସମୟରେ ଟିକା ନ ନେବା ଶରୀର ପ୍ରତି ମଧ୍ୟ କ୍ଷତିକାରକ ହୋଇଥାଏ । ସେଥିପାଇଁ ଅଧିକାଂଶ ସମୟରେ ଟିକା ନେବା ପରେ ମଧ୍ୟ ଶରୀର ଏହାର କୌଣସି ସୁପ୍ରଭାବ ଦେଖିବାକୁ ମିଳିନଥାଏ । ଏହି ବିମାରୀର ଅନ୍ତ କରିବା ପାଇଁ ପ୍ରତ୍ୟେକ ଦେଶ ହୁ’ର ସହାୟତା ନେବା ଉଚିତ । ଭାରତରେ ନିର୍ମିତ କରୋନା ଟିକା ଭାଇରସ ବିରୋଧରେ ଖୁବ୍ ପ୍ରଭାବଶାଳୀ ଥିବା ଦେଖିବାକୁ ମିଳିଛି । ଅନେକ କ୍ଷେତ୍ରରେ କିଛି ଲୋକ ଦୁଇ ଡୋଜ୍ ଟିକା ନେବା ପରେ ମଧ୍ୟ ସଂକ୍ରମିତ ହୋଇଛନ୍ତି । କୌଣସି ଭ୍ୟାକ୍ସିନ ଶତ ପ୍ରତିଶତ କାର୍ଯ୍ୟ କରିପାରିନଥାଏ । ତେବେ ଦୁଇଟି ଡୋଜ୍ ନେବା ପରେ ଅଧିକାଂଶ ଲୋକ ଏହି ଘାତକ ବିମାରୀଠାରୁ ସୁରକ୍ଷିତ ରହିଥିବା ଦେଖାଯାଉଛି । ୨୦୨୧ ଶେଷ ବେଳକୁ ଦୁନିଆର ୩୦ ପ୍ରତିଶତ ଲୋକ ଟିକା ନେଇସାରିଥିବେ, ତେଣୁ ସେତେବେଳକୁ ମୃତ୍ୟୁହାର ହ୍ରାସ ପାଇବ । ୨୦୨୨ ବେଳକୁ ଟିକାକରଣ ଅଭିଯାନ ଆଗେଇବା ସହ ମହାମାରୀର ପ୍ରକୋପ କ୍ରମଶଃ ହ୍ରାସ ପାଇବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.