fbpx

(Video) ଓଡ଼ିଶାରେ ଚାଲିଲା ୟୁପି ଷ୍ଟାଇଲ ବୁଲଡୋଜର: ଆରମ୍ଭ ହେଲା ଅପରେସନ୍ ବେଆଇନ୍ ଇଟାଭାଟି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥ ନିଜର ଦବଙ୍ଗ ଷ୍ଟାଇଲର ଡାଇଲଗ୍ ଓ ଆକ୍ସନ ପାଇଁ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । ଅପରାଧୀ ଓ ଜବରଦଖଲକାରୀଙ୍କ ବେଆଇନ ସମ୍ପତ୍ତି ଉପରେ ଯୋଗୀ ବୁଲଡୋଜର ଚଳାଇ ଦୁର୍ନୀତି ବିରୋଧୀ ଅଭିଯାନ ଚଳାଇଛନ୍ତି । ତେବେ ଏହି ବୁଲଡୋଜରର ପୁନରାବୃତ୍ତି ଦେଶର କିଛି ରାଜ୍ୟର ମଧ୍ୟ ଦେଖିବାକୁ ମିଳିଛି । ଓଡ଼ିଶାରେ ବୁଲଡୋଜର ଚାଲିବାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ସୂଚନା ମୁତାବକ, ରାଜ୍ୟର ବଲାଙ୍ଗିର ଜିଲ୍ଲାର ବୁରିବାହାଲରେ ଏହି ବୁଲଡୋଜର ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ୍ ବେଆଇନ୍ ଇଟାଭାଟି । ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ତହସିଲଦାର ଓ ପୋଲିସ ପ୍ରଶାସନ ଜେସିବି ଓ ବୁଲଡୋଜର ଲଗାଇ ଲକ୍ଷ ଲକ୍ଷ ଟଙ୍କାର ବେଆଇନ୍ ଇଟାଭାଟିକୁ ଭାଙ୍ଗିଥିଲେ । ସରଧାପୁର କୁର୍ଲିବାହାଲଠାରେ ଥିବା ୩ଟି ଇଟାଭାଟିକୁ ପ୍ରଶାସନ ମାଟିରେ ମିଶାଇ ଦେଇଥିବା ଜଣାପଡ଼ିଛି ।

ତେବେ ବର୍ଷ ବର୍ଷ ଧରି ମୁରିବାହାଲ ତହସିଲ ଅଧିନରେ ଅନେକ ବେଆଇନ ଇଟାଭାଟି ରହିଥିବା ବେଳେ ଏହି ୩ଟି ଇଟାଭାଟି ଉପରେ ପ୍ରଶାସନ କାହିଁକି ଏପରି ପଦକ୍ଷେପ ନେଲା ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଆକ୍ରୋଶମୂଳକ ଭାବେ ଇଟାଭାଟି ଉପରେ ବୁଲଡୋଜର ଚଳାଯାଇଥିବା କ୍ଷତିଗ୍ରସ୍ତ ଇଟାଭାଟି ମାଲିକ କହିଛନ୍ତି । ତେବେ ସ୍ୱତନ୍ତ୍ର ଟିମ୍ ଗଠନ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ବେଆଇନ୍ ଇଟାଭାଟି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।

Get real time updates directly on you device, subscribe now.