fbpx

ଗ୍ରାହକମାନେ ମାଗଣାରେ ଦେଖିବେ ୨୦୦ ଚ୍ୟାନେଲ: ସେଟ-ଟପ ବକ୍ସ ଆବଶ୍ୟକ ପଡ଼ିବନି, କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା

Advertisement

ନୂଆଦିଲ୍ଲୀ: ଦିନକୁ ଦିନ ଟେକ୍ନୋଲୋଜି ଆଗକୁ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ସ୍ମାର୍ଟଫୋନ ପରେ ଏବେ ସ୍ମାର୍ଟ ଟିଭିର ଯୁଗ ଆସିଯାଇଛି । ଏହି ଟିଭିରେ ଆପଣମାନେ ୟୁଟ୍ୟୁବ, ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ସମେତ ବହୁ ଆପର ଆକ୍ସେସ ପାଇ ପାରୁଛନ୍ତି । ଏବେ ବହୁ ସଂଖ୍ୟକ ଲୋକ ସେଟ- ଟପ ବକ୍ସର ବ୍ୟବହାର ମଧ୍ୟ କରୁଛନ୍ତି । ଫ୍ରି ଟୁ ଏୟାର ଚ୍ୟାନେଲ ପାଇଁ ଗ୍ରାହକଙ୍କୁ ସେଟ-ଟପ ବକ୍ସ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି ।

ତେବେ ଆଗାମୀ ଦିନରେ ଆପଣଙ୍କୁ ଏହି ଚ୍ୟାନେଲ ଦେଖିବା ପାଇଁ ଆଉ ସେଟ-ଟପ ବକ୍ସ କିଣିବାର ଆବଶ୍ୟକତା ପଡ଼ିବନି । କେନ୍ଦ୍ର ସରକାର ଏଥିପାଇଁ ଏକ ଖାସ୍ ପ୍ଲାନ ପ୍ରସ୍ତୁତ କରୁଛନ୍ତି । ଗ୍ରାହକଙ୍କୁ ସେଟ-ଟପ ବକ୍ସରୁ ମୁକ୍ତି ଦେବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯିବ । ଏହି ପ୍ଲାନ ଅନୁଯାୟୀ, ଟିଭିରେ ପୂର୍ବରୁ ଇନ-ବିଲ୍ଟ ସାଟେଲାଇଟ ଟ୍ୟୁନର ଲାଗି କରି ଆସିବ । ଏ ବାବଦରେ କେନ୍ଦ୍ରମନ୍ତ୍ରୀ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି ।

ଶ୍ରୀ ଠାକୁର କହିଛନ୍ତି, ଏହି ଯୋଜନା ଲାଗୁହେଲେ ଗ୍ରାହକମାନେ ପାଖାପାଖି ୨୦୦ ଚ୍ୟାନେଲ ଫ୍ରି’ରେ ଦେଖିପାରିବେ । ତେବେ ସବୁଠାରୁ ବଡ଼ କଥା ହେଉଛି, ଏଥିପାଇଁ ସେମାନଙ୍କୁ କୌଣସି ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଦୂରଦର୍ଶନ ଫ୍ରି ଡିଶରେ ସାମାନ୍ୟ ମନୋରଞ୍ଜନ ଚ୍ୟାନେଲ ସଂଖ୍ୟା ବୃଦ୍ଧି ପାଇବା କାରଣରୁ ୟୁଜର୍ସଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହି ଯୋଜନା ନେଇ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି । ଏହାଦ୍ୱାରା ଇନ-ବିଲ୍ଟ ଟ୍ୟୁନର ସହିତ ଟିଭିର ସେଲ୍ ବୃଦ୍ଧି ପାଇବ । ଦୂରଦର୍ଶନ ନିଜର ଚ୍ୟାନେଲଗୁଡ଼ିକୁ ଆନାଲଗ ଟ୍ରାନ୍ସମିଶନରୁ ଡିଜିଟାଲ ସାଟେଲାଇଟ ଟ୍ରାନ୍ସମିଶନକୁ ସ୍ୱିଚ କରୁଛି । ଏହି ବିଷୟରେ ବର୍ତ୍ତମାନ ସୁଦ୍ଧା କିଛି ଚୂଡ଼ାନ୍ତ ହୋଇନାହିଁ ।

ସୂଚନାଯୋଗ୍ୟ ଯେ, ବଜାରରେ ଏହି ପ୍ରକାରର ପ୍ରଡକ୍ଟସ ନୂଆ ନୁହେଁ । ପୂର୍ବରୁ ସାମସଙ୍ଗ ଓ ଏୟାରଟେଲ ମିଶି ଏକ ଟିଭି ଲଞ୍ଚ କରିଥିଲେ । ସେଥିରେ ୟୁଜର୍ସଙ୍କୁ ସେଟ-ଟପ ବକ୍ସ ବ୍ୟବହାର କରିବାକୁ ପଡ଼ୁନଥିଲା । ସେଥିରେ ୟୁଜର୍ସ ସିଧାସଳଖ ଏୟାରଟେଲ ସର୍ଭିସକୁ ଆଣ୍ଟିନାରୁ ବ୍ୟବହାର କରିପାରୁଥିଲେ । ତେବେ କେନ୍ଦ୍ର ସରକାରଙ୍କ ଏହି ପ୍ଲାନରେ ଆପଣଙ୍କୁ ଏୟାରଟେଲ ବା ଅନ୍ୟ କିଛି ପ୍ରାଇଭେଟ ଡିଟିଏଚ ସର୍ଭିସ ପ୍ରୋଭାଇଡରଙ୍କ ଚ୍ୟାନେଲ ଦେଖିବାର ସୁଯୋଗ ମିଳିବ ନାହିଁ । ମାତ୍ର ଆପଣମାନେ ସେଇ ଚ୍ୟାନେଲଗୁଡ଼ିକ ଦେଖିପାରିବେ ଯେଉଁଗୁଡ଼ିକ ଫ୍ରି ଟୁ ଏୟାର ହୋଇଥିବେ ।

Get real time updates directly on you device, subscribe now.