fbpx

ଆଜି ଧୂମଧାମ୍‌ରେ ପାଳିତ ହେବ ଉତ୍କଳ ଦିବସ, ରାଜ୍ୟସ୍ତରୀୟ ଉତ୍ସବକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆଜି ଅପ୍ରେଲ ୧ ତାରିଖ ଅର୍ଥାତ ଉତ୍କଳ ଦିବସ। ଏହି ଓଡିଶା ଦିବସକୁ ସାରା ରାଜ୍ୟରେ ଆକର୍ଷଣୀୟ ଭାବରେ ପାଳନ ହେବ । ରାଜ୍ୟସ୍ତରୀୟ ଓଡିଶା ଦିବସ ସାଧାରଣ ସଭା ତଥା ମୁଖ୍ୟ ଉତ୍ସବ ସ୍ଥାନୀୟ ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ସଂଧ୍ୟା ୬ ଘଂଟା ସମୟରେ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଆଭାସୀ ପ୍ଲାଟଫର୍ମରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ । ବିଧାନସଭାର ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ର ଏଥିରେ ସଭାପତିତ୍ୱ କରିବେ । ସମ୍ମାନିତ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ , ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଭୁବନେଶ୍ୱର (ମଧ୍ୟ) ବିଧାୟକଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତର) ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମୁଖ ଯୋଗଦେବେ ।

କାର୍ଯ୍ୟକ୍ରମରେ ଚିକିତ୍ସା ସେବା କ୍ଷେତ୍ରରେ ୧୦ ଜଣ କୋଭିଡ୍‌ ଯୋଦ୍ଧାଙ୍କୁ ରାଜ୍ୟସ୍ତରରେ ସମ୍ବର୍ଦ୍ଧିତ କରାଯିବ । ସଂଧ୍ୟାରେ ସାଧାରଣ ସଭା ପରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶାର ସ୍ୱନାମଧନ୍ୟ କଙଋଶିଳ୍ପୀଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯିବ ଏବଂ ଶେଷରେ ଓଡିଶୀ ନୃତ୍ୟ ଓ ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ ହେବ । ଏହି ଅବସରରେ ୟୁନିଟ୍‌ ୩ ପ୍ରଦର୍ଶନୀ ପଡିଆରେ ପୂର୍ବାହ୍ଣ ୧୦.୩୦ ମିନିଟ୍‌ ସମୟରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ସଂପର୍କିତ ଫଟୋ ଚିତ୍ର ପ୍ରଦର୍ଶନୀ ଏବଂ ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବାଲୁକା ସ୍ଥପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଦର୍ଶିତ ବାଲୁକା କଳାକୃତିକୁ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଉଦ୍‌ଘାଟନ କରିବେ । ସନ୍ଧ୍ୟା ୫ଟା ୩୦ରେ ପୋଲିସ୍‌ ବ୍ୟାଣ୍ଡ ଦ୍ୱାରା ଓଡିଆ ଦେଶାତ୍ମବୋଧକ ସଙ୍ଗୀତ ଧୂନ ପରିବେଷଣ କରାଯିବ । ସେହି ରି ଜିଲ୍ଲାସ୍ତରୀୟ ଓଡିଶା ଦିବସରେ ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତିମାନେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । କୋଭିଡ୍‌ କଟକଣା କୋହଳ ହେବା ପରେ ଚଳିତ ବର୍ଷ ଓଡିଶା ଦିବସକୁ ଆକର୍ଷଣୀୟ ଢଙ୍ଗରେ ପାଳନ କରାଯିବାକୁ ନିଷ୍ପତି ହୋଇଛି ।

Get real time updates directly on you device, subscribe now.