ଗାଡ଼ି ମାଲିକଙ୍କ ଅଡ଼ୁଆ ବଢ଼ିବ, ବୀମା ନଥିଲେ ଜାରିହେବ ଇ-ଚାଲାଣ

ଚିହ୍ନଟ ହେବେ ନିୟମ ଉଲ୍ଲଂଘନକାରୀ। ମୋଟର ଯାନରେ ବୀମା ନ ଥିଲେ ଅଟୋମେଟିକ ପ୍ରଣାଳୀରେ ଧରିବ ଟୋଲ୍‌ଗେଟ୍‌।

ଓଡ଼ିଶା ଭାସ୍କର: ଏବେ କଟିବ ଇ-ଚାଲାଣ। ମୋଟର ଯାନରେ ବୀମା ନ ଥିଲେ ଫସିପାରନ୍ତି ଗାଡ଼ି ମାଲିକ।

ଶନିବାରଠାରୁ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ମୋଟ୍‌ ୨୨ଟି ଟୋଲ୍‌ଗେଟ୍‌ରେ ଏହା କାର୍ଯ୍ୟକାରୀ ହେବ।

ଏ ନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ଜଣାପଡ଼ିଛି।

ଇ-ଡିଟେକ୍ସନ ପ୍ରକ୍ରିୟା: ମୋଟର ଯାନରେ ବୀମା ନ ଥିଲେ ଅଟୋମେଟିକ ପ୍ରଣାଳୀରେ ଧରିବ ଟୋଲ୍‌ଗେଟ୍‌। ଇ-ଡିଟେକ୍ସନ ପ୍ରକ୍ରିୟାରେ ଗାଡ଼ି ମାଲିକଙ୍କୁ ଜାରିହେବ ଇ-ଚାଲାଣ।

ପ୍ରକାଶ ଯେ, ମୋଟର ଯାନ ଆଇନର ଧାରା ୧୪୬ ଅନୁଯାୟୀ ପ୍ରତ୍ୟେକ ମୋଟର ଯାନ ବୈଧ ବୀମାଭୁକ୍ତ ହେବା ବାଧ୍ୟତାମୂଳକ।

ଏହାର ଉଲ୍ଲଂଘନ କଲେ ଧାରା ୧୯୬ ଅନୁଯାୟୀ ୨ ହଜାର ଟଙ୍କା ଜରିମାନା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ ଏପରି କି ଉଭୟ ଦଣ୍ଡର ପ୍ରାବଧାନ ରହିଛି।

ସେହିଭଳି ପୁନର୍ବାର ନିୟମ ଉଲ୍ଲଂଘନ କଲେ ଜରିମାନା ରାଶି ୪ ହଜାର ଟଙ୍କା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ ଏପରି କି ଉଭୟ ଦଣ୍ଡରେ ଦଣ୍ଡିତ କରାଯିବାର ପ୍ରାବଧାନ ଅଛି।

ନିୟମ କଡ଼ାକଡ଼ି: ଆଧିକାଂଶ ବ୍ୟକ୍ତି ଘରୋଇ ଓ ବ୍ୟବସାୟିକ ଗାଡ଼ି ନିୟମ ଉଲ୍ଲଂଘନ କରି ବୀମା କରୁନାହାନ୍ତି। ଯଦ୍ୱାରା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ଶିକାର ହେଉଛନ୍ତି ।

ଯଦ୍ୱାରା ମୃତକଙ୍କ ପରିବାର ଅନୁକମ୍ପାମୂଳକ ବୀମା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ପୂର୍ବରୁ ଇ-ଡିଟେକ୍ସନରେ ପରମିଟ୍‌, ଫିଟ୍‌ନେସ୍‌, ଟିକସ ନିୟମ ଉଲ୍ଲଂଘନକାରୀଙ୍କୁ ଟୋଲ୍‌ଗେଟ୍‌ରେ ଚିହ୍ନଟ କରାଯାଉଥିଲା।

ଏବେ ବୀମା ନିୟମ ଉଲ୍ଲଂଘନକାରୀଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ଚିହ୍ନଟ କରାଯିବ। ଏହାସହ ଏନ୍‌ଫୋର୍ସମେଣ୍ଟରେ ଆଧୁନିକ ଜ୍ଞାନକୌଶଳକୁ ଅଧିକ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି।