fbpx

ଭେଙ୍କଟେଶ ଆୟରଙ୍କ ଅର୍ଦ୍ଧଶତକ: ଫାଇନାଲ ଓଭର ଥ୍ରୀଲର ଜିତି ଫାଇନାଲରେ KKR

ନୂଆଦିଲ୍ଲୀ:ଆଇପିଏଲ ଫାଇନାଲରେ ପ୍ରବେଶ କରିଛି କୋଲକାତା ନାଇଟ ରାଇଡର୍ସ । ମାତ୍ର ୧୩୬ ରନର ପିଛା କରୁଥିବା କୋଲକାତା ନାଇଟ ରାଇଡର୍ସ ଅନ୍ତିମ ୫ ଓଭରରେ ୬ ୱିକେଟ ହରାଇ ସଙ୍କଟରେ ପଡିଥିବା ବେଳେ ଛକା ମାରି ଷ୍ଟାଇଲରୋ ମ୍ୟାଚ ସମାପ୍ତ କରିଥିଲେ ରାହୁଲ ତ୍ରିପାଠୀ । ଅନ୍ତିମ ଓଭରରୁ ମାତ୍ର ୭ ରନ ଆବଶ୍ୟକ ରହିଥିବା ବେଳେ ପ୍ରଥମ ବଲରୁ ଏକ ରନ ନେଇଥିଲେ ରାହୁଲ ତ୍ରିପାଠୀ । ପରବର୍ତ୍ତୀ ୩ ବଲରେ କୌଣସି ରନ ନହେବା ସହିତ ଦୁଇଟି ୱିକେଟ ହରାଇଥିଲା କେକେଆର । ତେବେ ପଞ୍ଚମ ବଲକୁ ବାଉଣ୍ଡ୍ରୀ ପାର କରାଇବା ସହିତ ଦିଲ୍ଲୀ ହାତରୁ ମ୍ୟାଚ ଛଡାଇ ନେଇଥିଲେ ତ୍ରିପାଠୀ । ୧୩୬ ରନର ପିଛା କରୁଥିବା କେକେଆର ପକ୍ଷରୁ ଦୁଇ ଓପ୍ନର ପ୍ରଥମ ୱିକେଟରେ ୯୬ ରନ ଯୋଡିଥିଲେ । ଭେଙ୍କଟେଶ ଆୟାର ୫୫ ରନ କରିଥିବା ବେଳେ ଶୁବମନ ଗିଲ୍ ୪୬ ରନ କରିଥିଲେ । ଆୟର ୪୧ ବଲରୁ ୪ ଚୌକା ଓ ୩ ଛକା ମାରିଥିଲେ । ଦିଲ୍ଲୀ ପକ୍ଷରୁ ନୋର୍ଜେ, ଅଶ୍ୱିନ ଓ ରବାଡା ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ ।
ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା କ୍ୟାପିଟାଲ୍ସ ପକ୍ଷରୁ ପୃଥ୍ୱୀ ଶ ଓ ଶିଖର ଧୱନ ପ୍ରଥମ ୱିକେଟରେ ୩୬ ରନ କରିଥିଲେ । ଶ’ ୧୨ ବଲରୁ ୧୮ ରନ କରି ବରୁଣ ଚକ୍ରବର୍ତ୍ତୀଙ୍କ ଶିକାର ହୋଇଥିବା ବେଳେ ଦ୍ୱିତୀୟ ୱିକେଟରେ ୩୯ ରନ ଯୋଡିଥିଲେ ଧୱନ ଓ ଷ୍ଟୋଇନିସ । ଧୱନ ୩୯ ବଲ ଖେଳି ୩୬ ରନ କରିଥିବା ବେଳେ ଷ୍ଟୋଇନିସ ୨୩ ବଲରୁ ୧୭ ରନ କରିଥିଲେ । ଧୱନଙ୍କ ଇନିଂସରେ ୧ ଚୌକା ଓ ଦୁଇଟି ଛକା ସାମିଲ ଥିଲା । ଶେଷ ଆଡକୁ ହିଟମେୟର(୧୭) ଏବଂ ଶ୍ରେୟସ ଆୟରଙ୍କ ଅପରାଜିତ ୩୦ ରନ ବଳରେ ଦଳ ୧୩୫ ରନ ସଂଗ୍ରହ କରିଥିଲେ । ଆୟର ୨୭ ବଲ ଖେଳି ଗୋଟିଏ ଲେଖାଏଁ ଛକା ଓ ଚୌକା ମାରିଥିଲେ । ବରୁଣ ଚକ୍ରବର୍ତ୍ତୀ ମାତ୍ର ୨୬ ରନରେ ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ଲୋକି ଫର୍ଗୁସନ ଏବଂ ଶିବମ ମାଭି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.