fbpx

ସାମୁହିକ ଛୁଟିରେ ପ୍ରାଣୀ ଚିକିତ୍ସକ; କଷ୍ଟ ସହି ନ ପାରି ଆଖି ବୁଜୁଛନ୍ତି ଗୋମାତା, କିଏ ମୁଣ୍ଡାଇବ ଗୋହତ୍ୟା ଭଳି ପାପ?

ଭୁବନେଶ୍ଵର: ଆଜକୁ ୨୧ଦିନରୁ ଅଧିକ ହେବ ସାମୁହିକ ଛୁଟିରେ ଅଛନ୍ତି ପ୍ରାଣୀ ଚିକିତ୍ସକ। ସେପଟେ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି ହଜାର ହଜାର ପଶୁ-ପକ୍ଷୀ। ସବୁଠୁ ବେଶୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜ୍ୟର ଗୋପାଳନ କରୁଥିବା ଚାଷୀ। ଚିକିତ୍ସା ନପାଇ ପ୍ରାଣ ହରାଉଛନ୍ତି ଅନେକ ଗାଈଗୋରୁ। ଏପରିକି ଅନ୍ୟ ଗୃହପାଳିତ ପଶୁ ମଧ୍ୟ ସମାନ କଷ୍ଟ ପାଉଛନ୍ତି । କିଏ ବାଛୁରୀ ଧରି ଜିଲ୍ଲାପାଳ ଅଫିସ ଅଗରେ ଧାରଣା ଦେଲେଣି ତ ଆଉ କିଏ କୁକୁର ଧରି ଜିଲ୍ଲାପାଳଙ୍କ ଅଫିସରେ ଧାରଣା ଦେଲାଣି।

ଗାଈକୁ ନେଇ ହିନ୍ଦୁ ଧର୍ମରେ ରହିଛି ଅନେକ ଆଖ୍ୟାନ। କିମ୍ବଦନ୍ତୀ କହେ ଯେଉଁ ଘରେ ଗାଈ ରହିଥାଏ ସେହି ଘରର ସବୁ ବାସ୍ତୁ ଦୋଷ ଆପେ ଆପେ ଦୂର ହୋଇଯାଏ। ଧାର୍ମିକ ଗ୍ରନ୍ଥ ଅନୁସାରେ ଗାଈରେ ସମସ୍ତ ଦେବା-ଦେବୀ ବାସ କରିଥାନ୍ତି। ତେଣୁ ଗାଈର ପୁଜା କରିଲେ ସମସ୍ତ ଦେବତା ଏବଂ ଦେବୀଙ୍କ ପୂଜାର ଫଳ ପ୍ରାପ୍ତ ହୋଇଥାଏ। ଗାଈ ଉପରେ ସମସ୍ତ ନକ୍ଷତ୍ରର ପ୍ରଭାବ ପଡ଼ିଥାଏ। ଗାଈର ପିଠି ହାଡରେ ସୂର୍ଯ୍ୟ କେତୁ ନାଡ଼ୀ ଥାଏ। ହେଲେ ଆଜି ସେହି ଗୋମାତା କଷ୍ଟ ସହି ନ ପାରି ଆଖି ବୁଜୁଛନ୍ତି।

ପ୍ରାଣୀ ଚିକିତ୍ସକ ମାନେ ଛୁଟିରେ ରହିଥିବାରୁ ପଶୁ-ପକ୍ଷୀଙ୍କ ଚିକିତ୍ସା ହୋଇପାରୁନାହିଁ। ଅଧିକାଂଶ ସମୟରେ ଚିକିତ୍ସା ନପାଇ ପଶୁ-ପକ୍ଷୀଙ୍କ ମୃତ୍ୟୁ ଘଟୁଥିବା ଦେଖିବାକୁ ମିଳୁଛି। କେନ୍ଦ୍ର ସରକାରଙ୍କ ଅଧୀନରେ କାର‌୍ୟ୍ୟରତ ପ୍ରାଣୀ ଚିକିତ୍ସକମାନଙ୍କ ସହ ସମାନ ପଦୋନ୍ନତି ସୁବିଧା, କେନ୍ଦ୍ର ହାରରେ ଏନ୍‌ପିଏ, ରାଜ୍ୟରେ ପ୍ରାଣୀ ଗଣନା ଓ ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି, ଡାକ୍ତର ନିଯୁକ୍ତି, କ୍ୟାଡ଼ର ପୁନର୍ଗଠନ ଆଦି ଦାବି ନେଇ ପ୍ରାଣୀ ଚିକିତ୍ସା ସେବା ସଂଘ ଦୀର୍ଘଦିନରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛି।

ମାତ୍ର ସେ ଦିଗରେ କିଛି ପଦକ୍ଷେପ ନେଉ ନ ଥିବା ଅଭିଯୋଗ କରି ସେମାନେ ସମୂହ ଛୁଟିକୁ ଓହ୍ଲାଇଛନ୍ତି। ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଯୋଗୁ ପ୍ରାଣୀ ଚିକିତ୍ସା ସେବା ଏବଂ ଅନ୍ୟ ବିଭାଗୀୟ କାର୍ଯ୍ୟ ପ୍ରଭାବିତ ହୋଇଛି। ଏପରି ଆଉ କେତେ ଦିନ ପ୍ରାଣୀ ଚିକିତ୍ସକମାନେ ସମୂହ ଛୁଟିରେ ରହିବେ। ଆଉ କେତେ ଦିନ ଏପରି ନିରିହ କଥା କହି ପାରୁନଥିବା ପଶୁ-ପକ୍ଷୀ କଷ୍ଟ ପାଉଥିବେ ଓ ପ୍ରଣ ହରାଉଥିବେ, ଆଉ କିଏ ଏହି ଗୋହତ୍ୟା ଭଳି ପାପକୁ ମୁଣ୍ଡାଇ?  ତାହାହିଁ ଦେଖିବାକୁ ବାକି ରହିଲା।

Get real time updates directly on you device, subscribe now.