BIG BREAKING: ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଣ୍ଡ

ଉପରାଷ୍ଟ୍ରପତିଙ୍କ ଇସ୍ତଫା

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଣ୍ଡ ଇସ୍ତଫା। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ଧନଖଣ୍ଡ। ସେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି ଇସ୍ତଫା ପତ୍ର।

୨୦୨୨ ମସିହାରେ, ଜଗଦୀପ ଧନଖଣ୍ଡ ୧୪ତମ ଉପରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ। ୬ ଅଗଷ୍ଟ ୨୦୨୨ରେ ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ଧନଖଣ୍ଡ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରିଥିଲେ। ଧନଖଣ୍ଡ ମୋଟ ୭୨୫ ଭୋଟରୁ ୫୨୮ ଭୋଟ ପାଇଥିଲେ, ଯେତେବେଳେ ଆଲଭା ୧୮୨ ଭୋଟ ପାଇଥିଲେ।

ଧନଖଣ୍ଡ ରାଜସ୍ଥାନର ଝୁନଝୁନୁର ବାସିନ୍ଦା। ଜଗଦୀପ ଧନଖଣ୍ଡଙ୍କ ଜନ୍ମ ୧୮ ମଇ ୧୯୫୧ରେ ଝୁନଝୁନୁ ଜିଲ୍ଲାର ଏକ ସାଧାରଣ ଚାଷୀ ପରିବାରରେ ହୋଇଥିଲା ଏବଂ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଗାଁରେ ହୋଇଥିଲା। ତା’ପରେ ତାଙ୍କୁ ଚିତ୍ତୋରଗଡ଼ର ସୈନିକ ସ୍କୁଲରେ ଭର୍ତ୍ତି କରାଯାଇଥିଲା।

ଧନଖଣ୍ଡଙ୍କୁ NDA (ଜାତୀୟ ପ୍ରତିରକ୍ଷା ଏକାଡେମୀ) ରେ ଚୟନ କରାଯାଇଥିଲା, କିନ୍ତୁ ସେ ଯାଇ ନଥିଲେ। ସେ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିଲେ। ଏହା ପରେ ସେ LLB ପଢ଼ିଥିଲେ। ସେ ଜୟପୁରରେ ରହି ଆଇନ ଅଭ୍ୟାସ ଆରମ୍ଭ କରିଥିଲେ।

ବଙ୍ଗଳାର ରାଜ୍ୟପାଳ ଥିବା ୭୦ ବର୍ଷୀୟ ଜଗଦୀପ ଧନଖଣ୍ଡଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩୦ ଜୁଲାଇ ୨୦୧୯ରେ ବଙ୍ଗଳାର ୨୮ତମ ରାଜ୍ୟପାଳ ଭାବରେ ନିଯୁକ୍ତ କରିଥିଲେ।

ସେ ୧୯୮୯ ରୁ ୧୯୯୧ ପର୍ଯ୍ୟନ୍ତ ରାଜସ୍ଥାନର ଝୁନଝୁନୁରୁ ଲୋକସଭା ସାଂସଦ ଥିଲେ। ସେ ୧୯୮୯ ରୁ ୧୯୯୧ ପର୍ଯ୍ୟନ୍ତ ଭିପି ସିଂହ ଏବଂ ଚନ୍ଦ୍ରଶେଖରଙ୍କ ସରକାରରେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଥିଲେ।