(Video) ମେରା ଭାରତ ମହାନ, ପ୍ରଥମ ଦଳିତ ବର ଚଢିଲେ ଘୋଡୀ

ଭୋପାଲ- ମଧ୍ୟପ୍ରଦେଶର ଟିକମଦଗଡ ଜିଲ୍ଲାରେ ଜଣେ ବ୍ୟକ୍ତି ବିବାହ କରିବା ବେଳେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ । ବର ଘୋଡୀ ଚଢି ଯାଉଥିବା ବେଳେ ବରଯାତ୍ରୀ ସାଜିଛନ୍ତି ପୋଲିସବାବୁମାନେ । ସେମାନେ ପୁଣି ୟୁନିଫର୍ମରେ । ଏହି ଭିଡିଓ ଏବେ ଭାଇରାଲ ହେଉଛନ୍ତି । ତେବେ ବାସ୍ତବରେ ପୋଲିସ ସେହି ବାହାଘରରେ ବରଯାତ୍ରୀ ହୋଇନାହିଁ, ବରକୁ ସୁରକ୍ଷା ଦେବାକୁ ମୁତୟନ ହୋଇଛନ୍ତି ।

ଦେଶ ସ୍ୱାଧୀନ ହେବାକୁ ୭୭ ବର୍ଷ ବିତିଯାଇଛି । କିନ୍ତୁ ଆମ ଭିତରେ ଜାତିବାଦ ଆଜି ମଧ୍ୟ ବଳବତ୍ତର ରହିଛି । ଦଳିତଙ୍କ ପାଇଁ ଆଜି ବି ସେମାନଙ୍କ ବାହାଘରରେ ଘୋଡୀ ଚଢିବା ଔଦ୍ଧତ୍ୟ ବୋଲି ଧରାଯାଉଛି । ଘୋଡୀ ଚଢିବା ଆଭିଜାତ୍ୟର ଅଂଶ । ତେଣୁ ଦଳିତ ଘୋଡୀ ଚଢିପାରିବେ ନାହିଁ । ଏହି ନିୟମ ଆଜି ମଧ୍ୟ ମଧ୍ୟପ୍ରଦେଶର ଟିକମଗଡ ଜିଲ୍ଲାରେ ବଳବତ୍ତର ରହିଛି । ତେଣୁ ନିକଟରେ ଜିଲ୍ଲା ବଲ୍ଜବେଗଡ ଥାନା ଅଧୀନ ହଟା ଗାଁର ଜଣେ ଦଳିତ ବିବାହ କରିବା ସମୟରେ କାର ବା ଅନ୍ୟ କୌଣସି ସାଧନ ନ ଚଢି ଘୋଡୀ ଚଢିବାକୁ ବାହାରିଥିଲେ ।

ହେଲେ ଜଣେ ଦଳିତ ଘୋଡୀ ଚଢି ବାହାହେବାକୁ ଯିବା ଉଚ୍ଚବର୍ଣ୍ଣଙ୍କ ନାକ କାଟିବା ପରି ଘଟଣା ହେବ । ତେଣୁ ଏହି ବାହାଘରରେ ଦଳିତ ବରକୁ ସୁରକ୍ଷା ଦେବାକୁ ପୋଲିସ ମୁତୟନ ହୋଇଛନ୍ତି । ପୋଲିସ ବର ଓ ବରଯାତ୍ରୀଙ୍କୁ କନ୍ୟା ଘର ଅଭିମୁଖେ ବାଟ ଗଢେଇ ନେଉଛନ୍ତି । ବର ଘୋଡୀ ଉପରେ ବସି ପଛରେ ଆସୁଥିବା ଦେଖିବାକୁ ମିଳୁଛି ।

ଏହି ଭିଡିଓ ବିଭିନ୍ନ ଗ୍ରୁପରେ ଏକ୍ସ ପ୍ଲାଟଫର୍ମରେ ଭାଇରାଲ ହେଉଛି । ଏଥିରେ ଉଲ୍ଲେଖ ରହିଛି, ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଟିକମଗଡରେ ଜଣେ ଦଳିତ ବର ଘୋଡୀ ଚଢିଛି ପୋଲିସ ଉପସ୍ଥିତିରେ । ଏହାକୁ ନେଇ ୟୁଜର୍ସ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଆମଭିତରେ ଥିବା ଏମିତି ବାଛବିଚାରକୁ ଅନେକ ନିନ୍ଦା କରିଛନ୍ତି ।