fbpx

ଜଙ୍ଗଲ ରକ୍ଷା କରିବାକୁ ଅଣ୍ଟା ଭିଡ଼ିଲେ ଗାଁ ଲୋକ

ମାଲକାନଗିରି , 3/4 :ବସନ୍ତ ଋତୁ ଆରମ୍ଭରୁ ଜଙ୍ଗଲରେ ନିଆଁ ଲାଗିବା ସାଧାରଣ କଥା। ପ୍ରାକୃତିକ କିମ୍ବା ଅସାମାଜିକ ତତ୍ୱ ମାନଙ୍କ ପାଇଁ ପ୍ରତିବର୍ଷ ହଜାର ହଜାର ହେକ୍ଟର ମୂଲ୍ୟବାନ ଜଙ୍ଗଲ ପୋଡି ପାଉଁଶ ହେବା ସହ ବନ୍ୟଜନ୍ତୁ ଲୋପ ହେବାକୁ ବସିଲେଣି। ସରକାରୀ ସ୍ତରରେ ଯେତେ ଚେଷ୍ଟା କଲେ ମଧ୍ୟ ଜନ ସଚେତନତା ଅଭାବରୁ ଜଙ୍ଗଲ ବିଭାଗ ସୀମିତ କର୍ମଚାରୀଙ୍କୁ ନେଇ ସଫଳ ହେଇ ପାରୁନାହିଁ। ତେଣୁ ଜଙ୍ଗଲ ବିଭାଗ ଜଙ୍ଗଲ ପାଖ ଗାଁ ଲୋକ ମାନଙ୍କୁ ଭିନ୍ନ ଭିନ୍ନ ଉପାୟରେ ସଚେତନ କରି ନିଆଁ ଦାଉରୁ ଜଙ୍ଗଲ ରକ୍ଷା କରିବାକୁ ପ୍ରୟାସ ଆରମ୍ଭ କରିଦେଇଛି। ତାର ସୁଫଳ ସ୍ଥାନେ ସ୍ଥାନେ ଦେଖିବାକୁ ମିଳିଲାଣି। ଯେପରି କୋରକୁଣ୍ଡା ବ୍ଲକର ଡୁଡାମେଟା ପଞ୍ଚାୟତର ଡୁଟେଲଗୁଡା ଗାଁ। ସଂରକ୍ଷିତ ଜଙ୍ଗଲକୁ ଲାଗି ଥିବାରୁ ଗ୍ରାମବାସୀ ଜଙ୍ଗଲ ଉପରେ ନିର୍ଭରଶୀଳ। ପ୍ରତିବର୍ଷ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ନଷ୍ଟ ହେଇ ଯାଉଥିବାରୁ, ଗ୍ରାମବାସୀ ଏକତ୍ରିତ ହୋଇ ଗ୍ରୀଷ୍ମ ଋତୁରେ ଜଙ୍ଗଲ ସୁରକ୍ଷା ଦାଇତ୍ୱ ନିଜ ହାତକୁ ନେଇଛନ୍ତି। ସେଥିପାଇଁ ଡୁଟେଲଗୁଡା ବନ ସୁରକ୍ଷା ସମିତିର ପ୍ରତ୍ୟକ୍ଷ ସହଯୋଗରେ ଗ୍ରାମବାସୀ ମାନେ ଫାୟାର ଲାଇନ ତିଆରି କରିଛନ୍ତି। ଗ୍ରାମର ନିଷ୍ପତି ଅନୁଯାଇ ବର୍ଷାଋତୁ ଆସିବା ପର୍ଯ୍ୟନ୍ତ ଗ୍ରାମବାସୀ ନିଜ ସାଧ୍ୟ ମତେ ଜଙ୍ଗଲକୁ ଜଗିବେ। ଏଠାରେ ସୁଚେଇବାକୁ ଚାହୁଁ କେନ୍ଦ୍ର ସରକାର ଜଙ୍ଗଲ ଉପରେ ନିର୍ଭର କରୁଥିବା ଅଧିବାସୀ ମାନଙ୍କର ଜଙ୍ଗଲ ଉପରେ ଆଂଶିକ ଅଧିକାର ଦେବାପାଇଁ ୧୯୯୦ ମସିହାରେ ବନ ସୁରକ୍ଷା ସମିତି ନାଁରେ ଆଇନ ପ୍ରଣୟନ କରିଛନ୍ତି। ଯାହା ଦ୍ୱାରା ଗାଁ କମିଟି ଜଙ୍ଗଲରୁ ଅବାଧ ଗଛକଟା, ବନ୍ୟଜନ୍ତୁ ଶିକାର ସହିତ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବେ। ବିନିମୟରେ ଜଙ୍ଗଲରୁ ଜାଳେଣି କାଠ ସହିତ, ଜଙ୍ଗଲ ଦ୍ରବ୍ୟରୁ ଉପାର୍ଜିତ ଅର୍ଥରୁ ଅଧା ବନ ସୁରକ୍ଷା ସମିତି ଜରିଆରେ ପାଇବେ। ଫଳରେ ଜଙ୍ଗଲ ପ୍ରତି ନିର୍ଭରଶୀଳ ଜନତାର ଆକର୍ଷଣ ବଢିବ। କିନ୍ତୁ ସଚେତନତା ଅଭାବରୁ ଏ ଯୋଜନା ବିଶେଷ ଫଳପ୍ରଦ ହେଇପାରୁନଥିଲା। ଏବେ ଜଙ୍ଗଲ ବିଭାଗ ଏବଂ କିଛି ସ୍ବେଚ୍ଛାସେବୀ ସଂଗଠନ ଗଠନ ମୂଳକ ମନୋଭାବ ନେଇ ଜନ ସଚେତନତା କାର୍ଯ୍ୟକ୍ରମ ବାରମ୍ବାର କରିବା ଦ୍ୱାରା କିଛିଟା ଫଳ ମିଳୁଛି। ଜଳବାୟୁ ପରିବର୍ତ୍ତନକୁ ରୋକିବାକୁ ହେଲେ ଅବକ୍ଷୟମୁଖି ଜଙ୍ଗଲର ପୁନରୁଦ୍ଧାର ଏକମାତ୍ର ଉପାୟ ଏ କଥା ଉଣା ଅଧିକେ ପ୍ରାୟ ସମସ୍ତେ ଜାଣିଲେଣି।

Get real time updates directly on you device, subscribe now.