fbpx

ଚିନ୍ତା ବଢ଼ାଇଲା କରୋନା ଆତଙ୍କ: ଭୀମସାରରେ ଆଉ ୧୦ ଛାତ୍ରଛାତ୍ରୀ ସଂକ୍ରମିତ, ୨୨ଜଣ ରିପୋର୍ଟକୁ ଅପେକ୍ଷା; ଭାରିଆଣ୍ଟ ଚିହ୍ନଟ ପାଇଁ ପଠାଯିବ ନମୁନା

ସମ୍ବଲପୁର/ବୁର୍ଲା (ଭାସ୍କର ନ୍ୟୁଜ): ବୁର୍ଲାସ୍ଥିତ ଭୀମସାରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁନେଇ ବିଭିନ୍ନ ମହଲରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି । ସୋମବାର ହୋଇଥିବା ପରୀକ୍ଷଣରୁ ୯ଜଣ ଛାତ୍ର ଓ ଜଣେ କର୍ମଚାରୀ ପଜିଟିଭ୍‌ ବାହାରିଥିବା ଭିମସାର ଡିନ୍‌ ପ୍ରଫେସର ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି । ଫଳରେ ଭିମ୍‌ସାର୍‌ରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି । ମଙ୍ଗଳବାର ପୁଣି ୨୨ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାବ ନମୁନା ଭୁବନେଶ୍ୱରସ୍ଥିତ ଆଇଏଲ୍‌ଏସ୍‌କୁ ପଠାଯାଇଛି । ଭିମ୍‌ସାର୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କଣ୍ଟାକ୍ଟ ଟ୍ରେସିଂକୁ ଜୋରଦାର କରାଯାଇଛି । ସୋମବାର ବୁର୍ଲାରେ କଣ୍ଟେନ୍‌ମେଣ୍ଟ ଜୋନ ସହ ବଫର ଜୋନ୍‌ ମଧ୍ୟ ଘୋଷଣା କରାଯାଇଛି । ପ୍ରତିଦିନ କିଛି ନା କିଛି ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହେଉଥିବାବେଳେ ଏଠାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଠାରେ କେଉଁ ଭାରିଆଣ୍ଟ ଦେଖାଦେଇଛି ସେନେଇ ପରୀକ୍ଷା କରାଯିବ । ଦରକାର ପଡ଼ିଲେ ଆଉ ଛାତ୍ରଛାତ୍ରୀଙ୍କ ମଧ୍ୟ ନମୁନା ପଠାଯିବ ବୋଲି କୁହାଯାଇଛି ।

ଛାତ୍ରଛାତ୍ରୀ ପୂର୍ବରୁ ଯେମିତି ଅନଲାଇନ୍‌ କ୍ଲାସ କରୁଥିଲେ ସେହିପରି କ୍ଲାସ କରିବେ । ଭୀମସାରରେ ଏହି ସଂକ୍ରମଣକୁ ବୃଦ୍ଧିକୁ ନେଇ ଚିନ୍ତାବ୍ୟକ୍ତ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏଣିକି ଶିକ୍ଷାନୁଷ୍ଠାନଗୁଡ଼ିକରେ କୋଭିଡ୍‌ କଟକଣାକୁ କଡାକଡି କରାଯିବ । ମାସ୍କ, ସାମାଜିକ ଦୂରତା ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯିବ । ସେହିରି ସଂକ୍ରମଣରେ ବ୍ରେକ୍‌ ଲଗାଇବା ପାଇଁ ଟେଷ୍ଟିଂ ପ୍ରକ୍ରିୟାକୁ ଜୋରଦାର କରାଯିବା ସହ ସର୍ଭେଲାନ୍ସ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଯେଉଁ ଛାତ୍ରଛାତ୍ରୀଙ୍କର ଲକ୍ଷଣ ରହିଛି ସେମାନଙ୍କୁ ଶିକ୍ଷାନୁଷ୍ଠାନକୁ ନଆସିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ କଟକଣା ଭିତରେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲାଯିବାର ଆବଶ୍ୟକତା ରହିଛି ବୋଲି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମତ ରଖାଯାଇଛି । କରୋନା ସଂକ୍ରମଣ ଯୋଗୁଁ ଭୀମସାର ଛାତ୍ରାବାସ ଓ ଛାତ୍ରୀନିବାସରେ ତାଲା ପଡ଼ିଛି । ଲୋକଙ୍କ ଯାତାୟାତ ଉପରେ ରୋକ ଲଗାଯାଇଛି । ସହରବାସୀଙ୍କୁ ଡାକବାଜି ଯନ୍ତ୍ର ଯୋଗେ କୋଭିଡ୍‌ ଗାଇଡଲାଇନ ମାନି ଚଳିବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

Get real time updates directly on you device, subscribe now.