fbpx

ଇନଷ୍ଟାଗ୍ରାମ ରୋଜଗାର ଉପରେ ସୋସିଆଲ ମିଡିଆରେ ଘୁରିବୁଲୁଥିବା ଖବରକୁ ନେଇ ମୁହଁ ଖୋଲିଲେ କୋହଲି, କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ:  ଭାରତୀୟ ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲିଙ୍କୁ ନେଇ ଶୁକ୍ରବାର ଏକ ରିପୋର୍ଟ ସାମ୍ନାକୁ ଆସିଥିଲା । ଏଥିରେ କୁହାଯାଇଥିଲା ଯେ, କିଙ୍ଗ କୋହଲି ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ଲାଗି ୧୧.୪୫ କୋଟି ଟଙ୍କା ଚାର୍ଜ କରିଥାନ୍ତି । ତେବେ ଏହି ଖବର ଭାଇରାଲ ହେବାର ଗୋଟିଏ ଦିନ ପରେ ବିରାଟ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । କୋହଲି ଏହି ରିପୋର୍ଟକୁ ସଂପୂର୍ଣ୍ଣ ମିଛ କହି ଏକ ଟ୍ୱିଟ୍ କରିଛନ୍ତି ।

ଏଠାରେ ସୂଚାଇଦିଆଯାଇପାରେ ଯେ, ବିରାଟ କୋହଲି ୱାନ ଡେ ସିରିଜ୍ ପରେ ୱେଷ୍ଟଇଣ୍ଡିଜରୁ ଭାରତ ଫେରି ଆସିଛନ୍ତି । ଏଠାରେ କିଛି ଦିନ ଆରାମ କରିବା ପରେ ସେ ଟିମ୍ ସହିତ ଏସିଆ କପ୍ ୨୦୨୩ ଲାଗି ଶ୍ରୀଲଙ୍କା ଗସ୍ତ କରିବେ । କୋହଲି ଟ୍ୱିଟ କରି ଲେଖିଛନ୍ତି, ମୋତେ ଜୀବନରେ ଯାହା ବି କିଛି ମିଳିଛି ମୁଁ ସେଥିପାଇଁ ସମସ୍ତଙ୍କ ପାଖରେ ବହୁତ ଋଣୀ । କିନ୍ତୁ ମୋ ସୋସିଆଲ ମିଡିଆ ରୋଜଗାର ବିଷୟରେ ଯେଉଁ ଖବର ଘୁରି ବୁଲୁଛି ତାହା ସତ ନୁହେଁ ।

 

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଏକ ରିପୋର୍ଟରେ ଦାବୀ କରାଯାଇଥିଲା କି କୋହଲି ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ରୋଜଗାର କରୁଥିବା କ୍ରିକେଟର । ରିପୋର୍ଟ ଅନୁସାରେ ମୋଟାମୋଟି ଭାବରେ ଦେଖିଲେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଲାଗି ସବୁଠାରୁ ଅଧିକ ରୋଜଗାର ମାମଲାରେ ରୋନାଲ୍ଡ ଓ ମେସୀ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତୃତୀୟ ସ୍ଥାନରେ ରହିଛନ୍ତି ସେଲେନା ଗୋମେଜ୍ । ଏହି ଲିଷ୍ଟରେ ବିରାଟଙ୍କ ପରେ ଯେଉଁ ଦ୍ୱିତୀୟ ଭାରତୀୟଙ୍କ ନାମ ରହିଛି ସେ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା ।

Get real time updates directly on you device, subscribe now.