fbpx
BJD
BJD SKY
BJD SKY

କିଙ୍ଗ କୋହଲିଙ୍କ ଟାର୍ଗେଟରେ ରହିଛି ବିଶ୍ୱ ରେକର୍ଡ: ବିଶ୍ୱକପରେ କରିପାରନ୍ତି ଏମିତି କାରନାମା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଜାରି ରହିଛି ଭାରତୀୟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଜଲୱା । ପାକିସ୍ତାନକୁ ଧୂଳି ଚଟାଇବା ପରେ ନେଦରଲାଣ୍ଡ ବିପକ୍ଷରେ ମଧ୍ୟ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି କିଙ୍ଗ କୋହଲି । ଚଳିତ ବିଶ୍ୱକପରେ ଉଭୟ ମ୍ୟାଚରେ ବିରାଟ ନଟ ଆଉଟ ରହି ୨ଟି ଅର୍ଦ୍ଧଶତକ ନିଜ ନାମରେ କରି ସାରିଛନ୍ତି । କିନ୍ତୁ ବିରାଟଙ୍କ ନଜର ଏବେ ଏକ ବିଶ୍ୱ ରେକର୍ଡ ଉପରେ ପଡିଛି । ଖୁବ ଶୀଗ୍ର ସେ ଏହି ରେକର୍ଡକୁ ନିଜ ନାମରେ କରିପାରନ୍ତି । ଟି-୨୦ ବିଶ୍ୱକପ ଇତିହାସରେ ୧୦୦୦ ରନ ପୂରା କରିବାରେ ସେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ ହୋଇପାରନ୍ତି ।

ଚଳିତ ବିଶ୍ୱକପରେ ବିରାଟ ନିଜର ଲଗାତାର ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ନେଦରଲାଣ୍ଡ ବିପକ୍ଷରେ ୬୨ ରନର ପାଳି ଖେଳିବା ସହିତ ଟି-୨୦ ବିଶ୍ୱକପ ଇତିହାସରେ ମୋଟ ୯୮୯ ରନ ସଂଗ୍ରହ କରିଛନ୍ତି ବିରାଟ । ତେବେ କୋହଲିଙ୍କ ଫର୍ମକୁ ଦେଖି ଅନୁମାନ କରିହେଉଛି ଯେ ଆସନ୍ତା ମ୍ୟାଚରେ ହିଁ ସେ ଏକ ବିଶ୍ୱ ରେକର୍ଡକୁ ଭାଙ୍ଗିପାରନ୍ତି । ଟି-୨୦ ବିଶ୍ୱକପରେ ୧୦୦୦ ରନ ପୂରଣ କରିବାରେ ଦ୍ୱିତୀୟ ଖେଳାଳି ହୋଇପାରନ୍ତି ବିରାଟ କୋହଲି । ତାଙ୍କ ପୂର୍ବରୁ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ ଏକମାତ୍ର ଖେଳାଳି ଭାବେ ଏହି କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ସେ ବିଶ୍ୱକପରେ ମୋଟ ୧୦୧୬ ରନ କରିଛନ୍ତି ।

ଅର୍ଥାତ ବିରାଟ କୋହଲି ଏବେ ବିଶ୍ୱକପ ଇତିହାସରେ ସର୍ବାଦିକ ବ୍ୟକ୍ତିଗତ ରନରୁ ମାତ୍ର ୨୮ ରନ ଦୂରରେ ରହିଛନ୍ତି । ଚଳିତ ବିଶ୍ୱକପରେ ଆଉ ମାତ୍ର ୨୮ ରନ କଲେ ବିରାଟ ଜୟବର୍ଦ୍ଦନେଙ୍କୁ ମଧ୍ୟ ପଛରେ ପକାଇଦେବେ । ଏବଂ ପାଲଟିଯିବେ ବିଶ୍ୱକପର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । ତେବେ ଜୟବର୍ଦ୍ଧନେ ଏହି ମାଇଲଖୁଣ୍ଟ ସୃଷ୍ଟି କରିବା ପାଇଁ ୩୧ଟି ମ୍ୟାଚ ଖେଳିଥିବା ବେଳେ ବିରାଟ ମାତ୍ର ୨୩ଟି ମ୍ୟାଚ ଖେଳି ଏଥିରୁ ୨୮ ରନ ଦୂରରେ ରହିଛନ୍ତି । ୨୩ଟି ମ୍ୟାଚରେ ୨୧ଟି ପାଳି ଖେଳି ୧୨ଟି ଅର୍ଦ୍ଧଶତକ ସହ ୯୮୯ ରନ କରିଛନ୍ତି ଚେଜମାଷ୍ଟର କୋହଲି ।

ତେବେ ବର୍ତ୍ତମାନ ବିରାଟ କୋହଲି ଟି-୨୦ ଇଣ୍ଟରନେସନାଲ କ୍ରିକେଟରେ ସର୍ବାଧିକ ରନ କରିତିବା ବ୍ୟାଟ୍ସମ୍ୟାନଭ୍କ ତାଲିକାରେ ଶୀର୍ଷସ୍ଥାନରେ ରହିଛନ୍ତି । ୧୧୧ଟି ମ୍ୟାଚ ଖେଳି ମୋଟ ୩୮୫୬ ରନ ନିଜ ନାମରେ କରିଛନ୍ତି ବିରାଟ । ତେବେ ଏହି ଲିଷ୍ଟର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ସେ ଆଜି ପର୍ଯ୍ୟନ୍ତ ମୋଟ ୧୪୪ଟି ମ୍ୟାଚରୁ ୩୭୯୪ ରନ ସଂଗ୍ରହ କରିଛନ୍ତି ।

Get real time updates directly on you device, subscribe now.