fbpx

‘ରୋୟଲ୍ ଫାଇଟ’ରେ ‘ବିରାଟ’ ରେକର୍ଡ… ପ୍ରଥମ ଖେଳାଳି ଭାବରେ ଏହି କାରନାମା କଲେ କିଙ୍ଗ କୋହଲି

AAKASH

ନୂଆଦିଲ୍ଲୀ: ଆଜି ଆଇପିଏଲ-୨୦୨୪ର ପ୍ଲେ-ଅଫରେ ପ୍ରଥମ ଏଲମିନେଟର ମ୍ୟାଚ ଖେଳାଯାଉଛି । ରାଜସ୍ଥାନ ଏବଂ ବେଙ୍ଗଲୁରୁ ମଧ୍ୟରେ ଖେଳାଯାଉଥିବା ରୋୟଲ୍ ଫାଇଟରେ ବିରାଟ କୋହଲି ଏକ ବିଶାଳ ରେକର୍ଡର ଅଧିକାରୀ ହୋଇଛନ୍ତି । ଆଇପିଏଲ ଇତିହାସରେ ପ୍ରଥମ କ୍ରିକେଟର ଭାବରେ ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି କିଙ୍ଗ କୋହଲି । ଆଇପିଏଲ-୨୦୨୪ରେ ଦମଦାର ବ୍ୟାଟିଂ ଜାରି ରଖିଥିବା ବିରାଟ ପ୍ରଥମ ଖେଳାଳି ଭାବରେ ଏହି ଲିଗରେ ୮୦୦୦ ରନ୍ ପୂରଣ କରିଛନ୍ତି । ରାଜସ୍ଥାନ ବିପକ୍ଷ ଏହି ଏଲିମିନେଟର ମ୍ୟାଚରେ ୨୯ ରନ୍ କରିବା ମାତ୍ରେ ଏହି ସଫଳତା ନିଜ ନାମରେ କରିଛନ୍ତି ବିରାଟ ।

ରାଜସ୍ଥାନ ବିପକ୍ଷ ଏଲିମିନେଟର ମ୍ୟାଚ ପୂର୍ବରୁ କୋହଲିଙ୍କ ଖାତାରେ ମୋଟ ୭୯୭୧ ରନ୍ ରହିଥିଲା । ୨୫୧ ମ୍ୟାଚରୁ କୋହଲି ଏହି ରନ୍ ହାସଲ କରିବାରେ ସମର୍ଥ ହୋଇଛନ୍ତି । ତେବେ ଏହି ମ୍ୟାଚରେ ୨୯ ରନ୍ କରି କୋହଲି ଏହି ମହାରେକର୍ଡ ନିଜ ନାମରେ କରିଦେଇଛନ୍ତି । ଇନିଂସର ଷଷ୍ଠ ଓଭର ନେଇ ଆସିଥିବା ସନ୍ଦୀପ ଶର୍ମାଙ୍କ ପଞ୍ଚମ ବଲରେ ଏକ ଚୌକା ମାରି କୋହଲି ନିଜ କ୍ୟାରିୟର(ଆଇପିଏଲ)ର ୮୦୦୦ ରନ୍ ପୂରଣ କରିଛନ୍ତି । ଏହାସହିତ ଆଇପିଏଲ ଇତିହାସରେ ୮୦୦୦ ରନ୍ କରିବାରେ ସେ ସର୍ବପ୍ରଥମ କ୍ରିକେଟର ପାଲଟିଛନ୍ତି ।

ତେବେ ବିରାଟ କୋହଲିଙ୍କ ପୂର୍ବରୁ ଏହି ରେକର୍ଡ ଭାରତର ଷ୍ଟାର ଓପନର ଶିଖର ଧୱନଙ୍କ ନାମରେ ରହିଥିଲା । ଶିଖର ଆଇପିଏଲ କ୍ୟାରିୟରରେ ମୋଟ ୬,୭୬୯ ରନ୍ ହାସଲ କରିପାରିଛନ୍ତି । କିନ୍ତୁ ଆଜି କୋହଲି ୮ ହଜାର ରନ୍ ପୂରଣ କରି ଇତିହାସରେ ନିଜ ନାମ ଲିପିବଦ୍ଧ କରିଛନ୍ତି । ତେବେ ଏଲିମିନେଟର ଭଳି ମ୍ୟାଚରେ କୋହଲି ବଡ଼ ଇନିଂସ ଖେଳି ନ ପାରି ମାତ୍ର ୩୩ ରନରେ ଚହଲଙ୍କ ବଲରେ ଆଉଟ ହୋଇ ଫେରି ଯାଇଛନ୍ତି । ଏହାପରେ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ରାଜସ୍ତାନ ବୋଲରଙ୍କ ସାମନାରେ ସଂଘର୍ଷ କରୁଥିବା ଦେଖାଯାଇଛି ।

Get real time updates directly on you device, subscribe now.