fbpx

ଦେଶର ଷଷ୍ଠ ପର୍ଯ୍ୟାୟ ତଥା ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତାକାଲି ହେବ ଭୋଟ୍‍, ୯୪ ଲକ୍ଷରୁ ଊଦ୍ଧ୍ୱର୍ ଭୋଟର କରିବେ ମତଦାନ

AAKASH

ନୂଆଦିଲ୍ଲୀ: ଦେଶର ଷଷ୍ଠ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ଆସନ୍ତାକାଲି ଓଡ଼ିଶା ସମେତ ବିହାର, ହରିୟାଣା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ଜାମ୍ମୁ କାଶ୍ମୀରରେ ୫୮ଟି ଲୋକସଭା ଆସନ ପାଇଁ ମତଗ୍ରହଣ କରାଯିବ । ଏହି ପର୍ଯ୍ୟାୟରେ ମୋଟ୍‍ ୮ଶହ ଅଣାନବେ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ଆସନ୍ତାକାଲି ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ ।ସେହି ଲୋକସଭା ଆସନ ଗୁଡ଼ିକ ହେଉଛି ପୁରୀ, ଭୁବନେଶ୍ୱର, କଟକ, କେନ୍ଦୁଝର, ସମ୍ବଲପୁର ଓ ଢ଼େଙ୍କାନାଳ । ଏହି ପର୍ଯ୍ୟାୟରେ ୯୪ଲକ୍ଷ ୪୮ହଜାର ୫୫୩ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ । ଏହି ପର୍ଯ୍ୟାୟରେ ୪୪୭ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ।

ତୃତୀୟ ପର୍ଯ୍ୟାୟରେ ୧୦, ୫୫୧ ବୁଥ ରହିଛି ଏବଂ ସେଥିମଧ୍ୟରୁ ୨୦% ବୁଥ ସମ୍ବେଦନଶୀଳ ରହିଛି। ନିର୍ବାଚନ ହେଉଥିବା ୧୨ ଜିଲାରେ ୩୫ହଜାର ପୁଲିସ ମୁତୟନ କରାଯାଇଛି। ସେଥିମଧ୍ୟରେ ୧୨୧ ସିଏପିଏଫ ଏବଂ ୧୦୬ କମ୍ପାନୀ ଓଏସଏପି ରହିଛନ୍ତି। ପ୍ରତି ବିଧାନସଭା କ୍ଷେତ୍ର ଦାୟିତ୍ବରେ ଜଣେ ଅତିରିକ୍ତ ଏସପିଙ୍କୁ ନିୟୋଜିତ କରାଯାଇଛି। ମୋଟ ୪୩ ଏଏସପି, ୯୫ ଡିଏସପି, ୨୩୮ ଇନ୍ସପେକ୍ଟର ଦାୟିତ୍ବରେ ରହିଛନ୍ତି।

ସେହିପରି ଏହି ନିର୍ବାଚନରେ ୨ ହଜାର ୧୧୬ ଏସଆଇ ଓ ଏଏସଆଇ, ୧୦ ହଜାର ୨୧୨ କନଷ୍ଟେବଳ, ୭ହଜାର ହୋମଗାର୍ଡଙ୍କୁ ମୁତୟନ କରାଯାଇଛି।

ଛତିଶଗଡ଼ରୁ ୩ଶହ କନଷ୍ଟେବଳ, ୭ଶହ ହୋମଗାର୍ଡ ଆସିଛନ୍ତି। ଅନ୍ୟସ୍ଥାନରେ ନିର୍ବାଚନ ସରିବା ପରେ ୨୦ କମ୍ପାନୀ ସିଏପିଏଫ ମଧ୍ୟ ଆସିଛନ୍ତି ଏବଂ ସେମାନଙ୍କୁ ମଧ୍ୟ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଦାୟିତ୍ବ ଦିଆଯାଇଛି ବୋଲି ପୁଲିସ ମହାନିର୍ଦେଶକ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.