fbpx

ଆଇସିସିକୁ ଲକ୍ଷ୍ମଣଙ୍କ ଅପିଲ୍, ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ଏହି ଦଳକୁ ବିଜୟୀ ଘୋଷିତ କରାଯାଉ

ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ମାଞ୍ଚେଷ୍ଟର ଟେଷ୍ଟ ବାତିଲ୍ ହେବା ନେଇ ଲଗାତାର ଚର୍ଚ୍ଚା ଜାରି ରହିଛି । ବିସିସିଆଇ ଟେଷ୍ଟର ଭରଣା ପାଇଁ ଇସିବି ସାମ୍ନାରେ ଅତିରିକ୍ତ ଦୁଇଟି ଟି-୨୦ ମ୍ୟାଚ୍ ଖେଳିବାର ଅଫର ଦେଇଛି । ଆସନ୍ତାବର୍ଷ ଭାରତ ଜୁଲାଇ ମାସରେ ଇଂଲଣ୍ଡ ଗସ୍ତ କରିବ । ଏହି ଗସ୍ତରେ ଭାରତ ୩ ଦିନିକିଆ ଓ ୩ ଟି-୨୦ ମ୍ୟାଚ୍ ଖେଳିବ । ବିସିସିଆଇ ୩ ପରିବର୍ତ୍ତେ ୫ ଟି-୨୦ ମ୍ୟାଚର ସିରିଜ୍ ଖେଳିବାକୁ ପ୍ରସ୍ତୁତ ବୋଲି ଇଂଲଣ୍ଡ କ୍ରିକେଟ୍ ବୋର୍ଡକୁ ପ୍ରସ୍ତାବ ଦେଇଛି । ଏହା ମଧ୍ୟରେ ଶେଷ ଟେଷ୍ଟ ବାତିଲ୍ ନେଇ ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ ଭିଭିଏସ ଲକ୍ଷ୍ମଣ କହିଛନ୍ତି ଯେ, ମାଞ୍ଚେଷ୍ଟର ଟେଷ୍ଟ ବାତିଲ୍ ହେବାର ଦୋଷ ଆଇପିଏଲ ଉପରେ ଦେବା ଭୁଲ୍ ।

ଲକ୍ଷ୍ମଣ ଟାଇମ୍ସ ଅଫ ଇଣ୍ଡିଆ ସହ ଆଲୋଚନାରେ କହିଛନ୍ତି, ଏହା ଏକ ଅକସ୍ମାତ ଘଟଣା । ଏମିତି ଏକ ରୋମାଞ୍ଚକର ସିରିଜର ସମାପ୍ତ ଏହି ଭଳି ହେବା ଅତ୍ୟନ୍ତ ନିରାଶଜନକ କଥା । ହେଲେ ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ମାଞ୍ଚେଷ୍ଟର ଟେଷ୍ଟ ରଦ୍ଦ କରିବାକୁ ପଡିଛି । ଏଥିପାଇଁ ଖେଳାଳି କିମ୍ବା ଖେଳ ଉପରେ ଦୋଷ ଦେବା ଭୁଲ୍ । ମହାମାରୀର ଦେଢ ବର୍ଷ ପରେ ମଧ୍ୟ ଦୁନିଆ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ନୁହେଁ । ଅନେକ ଲୋକଙ୍କ ପାଇଁ ଭାରତୀୟ ଦଳକୁ ଭିଲେନ ଦୃଷ୍ଟିରେ ଦେଖିବା ବହୁତ ସହଜ । ମାତ୍ର ମୁଁ ଆଇପିଏଲର ଅନୁଭବରୁ କହି ପାରିବି ଯେ, ଯଦି ଖେଳାଳିଙ୍କ ନିକଟରେ ରହୁଥିବା କୌଣସି ସଦସ୍ୟ ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ଏହା ବହୁତ ଭୟଭୀତ କରିବା ଭଳି କଥା ହୋଇଥାଏ ।

ଲକ୍ଷ୍ମଣ କହିଛନ୍ତି, ପଞ୍ଚମ ଟେଷ୍ଟ ବାତିଲ ନେଇ ବିସିସିଆଇ ଓ ଇସିବିର ନିଷ୍ପତ୍ତି ଠିକ୍ ରହିଛି । ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଇସିସିକୁ ଭାରତକୁ ୨-୧ରେ ସିରିଜ୍ ବିଜେତା ଘୋଷିତ କରି ଦେବା ଉଚିତ୍ । କାରଣ ଏମିତି ସ୍ଥିତିରେ ମଇଦାନରେ ଓହ୍ଲାଇବା ଉଚିତ୍ ନଥିଲା । ତେଣୁ ଟେଷ୍ଟ ମ୍ୟାଚ୍ ବାତିଲ ହେବା ନିଷ୍ପତ୍ତି ଠିକ୍ ଥିଲା ବୋଲି ଲକ୍ଷ୍ମଣ କହିଛନ୍ତି ।

Get real time updates directly on you device, subscribe now.