ନୂଆଦିଲ୍ଲୀ: ରାଜଧାନୀରେ ଏକ ଅଜବ ଡାକ୍ତରୀ ଚିକିତ୍ସାର ନମୁନା ଦେଖିବାକୁ ମିଳିଛି । ରୋଗ ଭଲ କରିବା ପାଇଁ ଲୋକେ ମେଡିକାଲକୁ ଯାଆନ୍ତି । କିନ୍ତୁ ଏଠି ଡାକ୍ତରଙ୍କ ଅଜବ କାରନାମା ମେଡିକାଲ ଡିପାର୍ଟମେଣ୍ଟକୁ ଆଙ୍ଗୁଠି ଉଠାଇଛି । କାରଣ ଡାକ୍ତର ରୋଗର ଚିକିତ୍ସା ନ କରି କିଛି ଅଦ୍ଭୁତ କାଣ୍ଡ ଘଟାଇଛନ୍ତି । ବାମ ଆଖିରେ ସମସ୍ୟା ଥିବାରୁ ଚିକିତ୍ସା କରାଇବାକୁ ଆସିଥିଲେ ଜଣେ ରୋଗୀ । କିନ୍ତୁ ଡାକ୍ତରବାବୁ ରୋଗୀଙ୍କ ଡାହାଣ ଆଖି ଅପରେସନ କରି ଦେଇଛନ୍ତି । ଡାକ୍ତରୀ ପାଠ ପଢି ଏଭଳି କାରନାମା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁସାରେ, ଦିଲ୍ଲୀର ଗ୍ରେଟର ନୋଏଡାରୁ ଏଭଳି ଘଟଣା ସାମନାକୁ ଆସିଛି । ଡାକ୍ତରବାବୁଙ୍କ ଏମିତି ଘଟଣା ସମଗ୍ର ପ୍ରଫେସନକୁ ଲଜ୍ଜିତ କରିଦେଇଛି । ସ୍ଥାନୀୟ ଆନନ୍ଦ ସ୍ପେକ୍ଟ୍ରମ ନାମକ ଏକ ହସ୍ପିଟାଲରେ ଜଣେ ୭ ବର୍ଷର ନାବାଳକ ନିଜ ବାମ ଆଖି ଚିକିତ୍ସା କରିବାକୁ ଆସିଥିଲେ । କିନ୍ତୁ ଡାକ୍ତରବାବୁ ତାଙ୍କୁ ବେହୋସ କରିବା ପରେ ପିଲାଟିର ଡାହାଣ ଆଖି ଅପରେସନ କରି ଦେଇଛନ୍ତି । ଏଥିପାଇଁ ଡାକ୍ତର ଜଣକ ରୋଗୀଙ୍କ ପରିବାର ଲୋକଙ୍କ ପାଖରୁ ୪୫ହଜାର ଟଙ୍କା ମଧ୍ୟ ନେଇଛନ୍ତି । ତେବେ ଅପରେସନ ପରେ ପିଲାଟି ଡସଚାର୍ଜ ହୋଇ ଯିବାରୁ ପରିବାର ଲୋକେ ଏହା ଦେଖି ଚକିତ ହୋଇଯାଇଛନ୍ତି ।
ଏ ନେଇ ପିଲାଟିର ସମ୍ପର୍କୀୟ କହିଛନ୍ତି ଯେ, ପିଲାର ବାମ ଆଖିରେ ସମସ୍ୟା ରହିଥିଲା । ହସ୍ପିଟାଲରେ ଯାଞ୍ଚ କରିବା ପରେ ଡାକ୍ତର ଅପରେସନ କରିବାକୁ ପରାମର୍ଶ ଦେଇଥିଲେ । ତେଣୁ ପ୍ରଥମେ ୪୫ ହଜାର ଟଙ୍କା ଜମା କରାଇବା ପରେ ପିଲାକୁ ସେମାନେ ଅପରେସନ ଥିଏଟରକୁ ନେଇଯାଇଥିଲେ । କିନ୍ତୁ ସେଠାରେ ବାମ ଆଖି ପରିବର୍ତ୍ତେ ଡାହାଣ ଆଖି ଅପରେସନ କରି ଦେଇଛନ୍ତି । ତେବେ ଡିସଚାର୍ଜ ପରେ ପିଲାକୁ ଘରକୁ ନେଇ ପହଞ୍ଚିବା ପରେ ଏସବୁ ଘଟଣା ଦେଖିଥିଲେ ।
ଏହାପରେ ସେମାନେ ପ୍ରଥମେ ହସ୍ପିଟାଲରେ ପହଞ୍ଚି ହଙ୍ଗାମା କରିଥିଲେ ଏବଂ ଏହି ମାମଲା ବିରୋଧରେ ସେଠାରେ ଅଭିଯୋଗ କରିଛନ୍ତି । ଏହାପରେ ସିଏମଓ ଅଫିସରେ ପହଞ୍ଚି ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ଡାକ୍ତରଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିଛନ୍ତି ପୀଡ଼ିତଙ୍କ ପରିବାର ଲୋକେ । ଏଭଳି ଏକ ମାମଲାର ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।