fbpx
BJD SKY
BJD SKY

ଧ୍ୱଂସାଭିମୁଖେ ୟୁକ୍ରେନର ରାଜଧାନୀ, ରୁଷ ସରକାରଙ୍କୁ ଧମକ ଦେବା ଦେଶକୁ ପଡ଼ିଲା ଭାରି; ପ୍ରାଣ ବିକଳରେ ଦୌଡ଼ୁଛନ୍ତି କିଭ୍ ବାସୀ

BJD

କିଭ୍: ଆଜି ଲଗାତର ତୃତୀୟ ଦିନ ମଧ୍ୟ ରୁଷ ସେନା ୟୁକ୍ରେନରେ ଗୁଳି ସହ ମିସାଇଲ୍ ଓ ରକେଟ୍ ବର୍ଷା କରିଛନ୍ତି । ୟୁକ୍ରେନର ଅନେକ ସହର ଛିନ୍ନଭିନ୍ନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରାଜଧାନୀ କିଭ୍ ଉପରେ ରୁଷୀ ସେନା କବଜା କରିବା ପାଇଁ ମାଡ଼ି ଆସୁଛନ୍ତି । କହିବାକୁ ଗଲେ, ଧ୍ୱଂସାଭୀମୁଖେ ୟୁକ୍ରେନ ରାଜଧାନୀ କିଭ୍ । ଲଗାତର କିଭ୍ ଉପରେ ଗୁଳି ବର୍ଷା ହେଉଛି । ୧୬୦ରୁ ଅଧିକ ମିସାଇଲ୍ କିଭ୍ ଉପରେ ପଡ଼ିସାରିଲାଣି । ଯାହାଫଳରେ ସହରର ସ୍ଥିତି ଏବେ ଛିନ୍ନଭିନ୍ନ ହୋଇଯାଇଛି । ଭୟରେ ନାଗରିକ ମାନେ ମେଟ୍ରୋ ଷ୍ଟେସନ୍, ବ୍ରିଜ୍ ଏବଂ ଏଣେତେଣେ ଜୀବନ ବିକଳରେ ଦୌଡ଼ୁଛନ୍ତି ।

କିନ୍ତୁ ଅନ୍ୟପଟେ ରାଷ୍ଟ୍ରପତି ଭ୍ଲାଦିମୀର ଜେଲେନସ୍କି ଦାବି କରିଛନ୍ତି ଯେ, ସେ ରାଜଧାନୀର କିଛି ବି ହେବାକୁ ଦେବେ ନାହିଁ । ସେଠାରେ ଏବେ ଆଫଗାନିସ୍ତାନ ପରି ସ୍ଥିତି ଦେଖାଦେଇଥିବା ବେଳେ ରାଷ୍ଟ୍ରପତି କହିଛନ୍ତି ଯେ, କୌଣସି ମତେ ସେ ନିଜ ଦେଶକୁ ରୁଷ ଦ୍ୱାରା ଧ୍ୱଂସ ହେବାକୁ ଦେବେ ନାହିଁ ।

ଅନ୍ୟପଟେ ୟୁକ୍ରେନ ଉପରେ ଆକ୍ରମଣ କରାଯିବା ପରେ ୟୁରୋପୀୟ ଦେଶର ସଂଘ ଇୟୁ ପକ୍ଷରୁ ରୁଷ ଉପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଲଗାଇବାକୁ ଘୋଷଣା କରିଛନ୍ତି । ଏହି ପ୍ରତିବନ୍ଧକରେ ଆମେରିକା ମଧ୍ୟ ଇୟୁ ସହିତ ରହିଛି । କୁହାଯାଇଛି ଯେ, ଆମେରିକା ସମେତ ମୋଟ ୩୦ ଟି ଦେଶ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ ଓ ତାଙ୍କ ଉଚ୍ଚାଧୀକାରୀଙ୍କ ବିରୋଧରେ ଆସିଛନ୍ତି । ଏହି ପ୍ରତିବନ୍ଧ ପରେ ରୁଷ୍ କୁ ଭବିଷ୍ୟତରେ ଆର୍ଥିକ ଓ କୁଟନୈତିକ ସ୍ତରରେ ବଡ଼ ଧରଣର କ୍ଷତି ହେବାର ସମ୍ଭାବନା ରହିଛି ।

ଆମେରିକାର ରାଜକୋଷ ବିଭାଗ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ପୁଟିନ୍ ଓ ରୁଷର ବୈଦେଶିକ ମନ୍ତ୍ରୀ ସର୍ଭେଇ ଲାଭରୋବଙ୍କ ଉପରେ ଆର୍ଥିକ ପ୍ରତିବନ୍ଧ ଲଗାଇବା ନେଇ ଘୋଷଣା କରିଛନ୍ତି । ଏହାପୂର୍ବରୁ ରୁଷର ସୁରକ୍ଷା ପରିଷଦର ୧୧ ଜଣ ସଦସ୍ୟ, ଶାସକ ନେତା ତଥା ସମ୍ଭ୍ରାନ୍ତ ବ୍ୟକ୍ତିଙ୍କୁ ବାରଣ କରାଯାଇଛି।

ଆମେରିକା ପକ୍ଷରୁ ପ୍ରତିବନ୍ଧକ ଘୋଷଣା ପରେ ଏଯାବତ୍ ପୁଟିନ ଏବଂ ରୁଷର ବ୍ୟବସାୟୀ ତଥା ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ବିରୋଧରେ ମୋଟ ୩୦ ଟି ଦେଶ କଟକଣା ଲାଗୁ କରିଛନ୍ତି । ୟୁରୋପୀୟ ୟୁନିଅନର (ଇୟୁ) ସମସ୍ତ ୨୭ ସଦସ୍ୟ ଦେଶ ଏଥିରେ ଅନ୍ତର୍ଭୁକ୍ତ – ଅଷ୍ଟ୍ରିଆ, ବେଲଜିୟମ, ସାଇପ୍ରସ୍, ଇଷ୍ଟୋନିଆ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଗ୍ରୀସ୍, ଆୟର୍ଲାଣ୍ଡ, ଇଟାଲୀ, ଲାଟଭିଆ, ଲିଥୁଆ, ଲକ୍ସେମବର୍ଗ, ମାଲ୍ଟା, ନେଦରଲ୍ୟାଣ୍ଡ, ପର୍ତ୍ତୁଗାଲ, ସ୍ଲୋଭାକିଆ, ସ୍ଲୋଭେନିଆ, ସ୍ପେନ୍, ବୁଲଗେରିଆ, କ୍ରୋଏସିଆ, ଚେକ ରିପବ୍ଲିକ୍, ଡେନମାର୍କ, ହଙ୍ଗେରୀ, ପୋଲାଣ୍ଡ, ରୋମାନିଆ, ସ୍ୱିଡେନ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ବ୍ରିଟେନ ଏବଂ କାନାଡା ଆଉ ଦୁଇଟି ଦେଶ, ଯେଉଁମାନେ ରୁଷ ଏବଂ ପୁଟିନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

Get real time updates directly on you device, subscribe now.