fbpx

‘ଆମେ ଦେଶ ଚଲାଇ ପାରିବୁ ନାହିଁ, କୌଣସି ଦଳ ମାଗଣା ପ୍ରତିଶ୍ରୁତି ଦେବା ବନ୍ଦ କରିବାକୁ ଚାହୁଁ ନାହାନ୍ତି’

AAKASH

ନୂଆଦିଲ୍ଲୀ: ୨୦୨୨ରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଅପରାଧିକ ମାମଲାରେ ସଂପୃକ୍ତ ପ୍ରାର୍ଥୀଙ୍କ ସୂଚନା ସାର୍ବଜନୀନ ନ କରିବାରୁ ଅନେକ ନେତାଙ୍କ ବିରୋଧରେ ଦାଖଲ ଆବେଦନର ଶୁଣାଣି ନକରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ୟୁପି ବିଧାନସଭା ନିର୍ବାଚନ ମାମଲାରେ ଅଖିଳେଶ ଯାଦବ, ସୋନିଆ ଗାନ୍ଧୀ, ଜେପି ନଡ୍ଡା, ମାୟାବତୀ, ଅରବିନ୍ଦ କେଜ୍ରିଓ୍ଵାଲ ସମେତ ସମସ୍ତ ପାର୍ଟିର ନେତା ଏବଂ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଉପରେ ଅବମାନନା ଅଭିଯୋଗ ଲଗାଇ ଯାଚିକା ଦାଖଲ କରାଯାଇଥିଲା। ସୁପ୍ରିମକୋର୍ଟ ଯାଚିକାକୁ ଅଗ୍ରାହ୍ୟ କରି କହିଛନ୍ତି, ଆମେ ଦେଶ ଚଳାଇ ପାରିବୁ ନାହିଁ।

ଅନ୍ୟପଟେ ନିର୍ବାଚନରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ରାଜନୈତିକ ଦଳଗୁଡିକର ମାଗଣା ପ୍ରତିଶ୍ରୁତି ଉପରେ ସୁପ୍ରିମକୋର୍ଟ ସମସ୍ତ ପାର୍ଟିଙ୍କୁ କଡା ଶବ୍ଦରେ ତାଗିଦ୍ କରିଛନ୍ତି। ପ୍ରଧାନ ବିଚାରପତି ଏନଭି ରମଣାଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ କହିଛନ୍ତି, କୌଣସି ବି ଦଳ ମାଗଣା ପ୍ରତିଶ୍ରୁତି ଉପରେ ରୋକ୍ ଲଗାଇବାକୁ ଚାହୁଁ ନାହାନ୍ତି କାରଣ ସମସ୍ତେ ଏପରି କରିବାକୁ ଚାହୁଁଛନ୍ତି। ଅଦାଲତ ଏହି ମାମଲାରେ ନିର୍ବାଚନ ଆୟୋଗ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟ ଭର୍ତ୍ସନା କରିଛନ୍ତି। ଗତ ଅନେକ ବର୍ଷରୁ କେହି ବି ଏହା ଉପରେ ଇଚ୍ଛାଶକ୍ତି ଦେଖାଉ ନାହାନ୍ତି।

ସର୍ବୋଚ୍ଚ ଅଦାଲତ ୨୦୧୩ରେ ନିଜ ନିଷ୍ପତ୍ତିରେ କହିଥିଲେ, ମାଗଣା ଘୋଷଣା ଏବଂ ପ୍ରତିଶ୍ରୁତି ସ୍ଵାଧୀନତା ଏବଂ ନିରପେକ୍ଷ ନିର୍ବାଚନ ଉପରେ ପ୍ରଭାବ ପକାଇଥାଏ। ତେଣୁ ଏହା ଏକ ଗମ୍ଭୀର ପ୍ରସଙ୍ଗ। ସରକାର ଏଥିରୁ ନିଜକୁ ଦୂରେଇ ପାରିବେ ନାହିଁ। ଏମିତି ପ୍ରସଙ୍ଗରେ କେନ୍ଦ୍ର ସରକାର ବାହାନା କରି ପାରିବେନି ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ବିଚାରପତି ଏନଭି ରମଣା, ବିଚାରପତି କୃଷ୍ଣା ମୁରାରୀ, ବିଚାରପତି ହେମା କୋହଲୀଙ୍କ ପୀଠ କହିଛନ୍ତି, ଆମେ କେବଳ ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ଟିପ୍ପଣୀ କରୁନୁ ବରଂ ଦେଶ ଉପରେ ଏହାର ପଡୁଥିବା ଆର୍ଥିକ ସ୍ଥିତି ଉପରେ ମଧ୍ୟ ସଚେତନ କରାଉଛୁ। ଆମର ପରାମର୍ଶ ଏହା ଯେ, ସଂସଦରେ ଏହା ଉପରେ ଆଲୋଚନା କରାଯାଉ। କୋର୍ଟ କହିଛନ୍ତି, କଣ ଆପଣଙ୍କୁ ଲାଗୁଛି ସଂସଦରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହେବ ? କେଉଁ ରାଜନୈତିକ ଦଳ ମାଗଣା ପ୍ରତିଶ୍ରୁତି ଉପରେ ଆଲୋଚନା କରିବାକୁ ଚାହିଁବ ? କୌଣସି ବି ଦଳ ଏହା ଉପରେ ଆଲୋଚନା କରିବାକୁ ଚାହିଁବେ ନାହିଁ।

Get real time updates directly on you device, subscribe now.