fbpx

ଆମର ଶିକ୍ଷକ ନାହାନ୍ତି, ଆମଠୁ ଅଧିକ ଆଶା କରନ୍ତୁ ନାହିଁ… ପରୀକ୍ଷା ଖାତାରେ ଏମିତି ଲେଖି ପ୍ରତିବାଦ କଲେ ଛାତ୍ରଛାତ୍ରୀ

ଯାଜପୁର: ପରୀକ୍ଷା ଖାତାରେ ଅଜବ ପ୍ରକାରର ଉତ୍ତର ଲେଖି ପ୍ରତିବାଦ ଜଣାଇଛନ୍ତି ସ୍କୁଲର ଛାତ୍ରଛାତ୍ରୀ । ପରୀକ୍ଷାରେ ଆସିଥିବା ଉତ୍ତର ପରିବର୍ତ୍ତେ ଖାତାରେ ଲେଖାଯାଇଛି ବିଦ୍ୟାଳୟର ସମସ୍ୟା । ସ୍କୁଲରେ ଶିକ୍ଷକ ନଥିବା ନେଇ ପରୀକ୍ଷା ଖାତାରେ ହିଁ ପ୍ରତିବାଦ ଆରମ୍ଭ କରି ଦେଇଛନ୍ତି ଛାତ୍ରଛାତ୍ରୀ । ସୋସିଆଲ ମିଡିଆରେ ଏହି ପରୀକ୍ଷା ଖାତାରେ ପିଲାଙ୍କ ପ୍ରତିବାଦର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଶିକ୍ଷକ ଅଭାବରୁ ପାଠପଢା ହୋଇ ପାରୁ ନଥିବା ବେଳେ ପରୀକ୍ଷାରେ ଉତ୍ତର କ’ଣ ଲେଖିବେ ଜାଣି ନ ପାରି ଏଭଳି କାମ କରିଛନ୍ତି ପରୀକ୍ଷାର୍ଥି ।

ଯାଜପୁର ବ୍ଲକ ଅଡ଼ଙ୍ଗ ସ୍ଥିତ ପ୍ରହଲ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଏବଂ ଅଜବ ପ୍ରକାରର ଘଟଣା ଦେଖିବାକୁ ମିଳିଛି । ୯ମ ଶ୍ରେଣୀର ସଂସ୍କୃତ ଓ ହିନ୍ଦୀ ପରୀକ୍ଷାରେ ଉତ୍ତର ଲେଖିବା ପରିବର୍ତ୍ତେ ଅଜବ କଥା ଲେଖି ଦେଇଛନ୍ତି ପରୀକ୍ଷାର୍ଥି । ଏହି ସ୍କୁଲରେ ସଂସ୍କୃତ ବିଭାଗ, ଇତିହାସ ଓ ଭୁଗୋଳର କୌଣସି ଶିକ୍ଷକ ନାହାଁନ୍ତି । ଆଉ ଆଜି ଛାତ୍ରଛାତ୍ରୀଙ୍କ ସଂସ୍କୃତ ଓ ହିନ୍ଦୀ ପରୀକ୍ଷା ଥିଲା । ସ୍କୁଲରେ କିଛି ପାଠପଢ଼ା ହୋଇନାହିଁ । ତେଣୁ ଆମେ କେମିତି ପରୀକ୍ଷା ଦେବୁ କଣ ଲେଖିବୁ ବୋଲି ଏମିତି ସ୍କୁଲର ଶିକ୍ଷକଙ୍କୁ ଛାତ୍ରଛାତ୍ରୀମାନେ ପ୍ରଶ୍ନ କରିଥିଲେ । ତେବେ ଏହାର ଉତ୍ତରରେ ଶିକ୍ଷକ କହିଥିଲେ ଯେ, ଯାହା ଖାତା ବହି ପକାଇ ଲେଖିଦିଅ । ସେଥିପାଇଁ ପିଲାମାନେ ଖାତାରେ ଲେଖିଛନ୍ତି ଯେ, “ଆମର ଶିକ୍ଷକ ନାହାଁନ୍ତି… ଆମ ଠାରୁ ବେଶି କିଛି ଆଶା କରନ୍ତୁନି, ଦୟାକରି” ।

ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ହେଉଥିବା ସମସ୍ୟାକୁ ଏଭଳି ଏକ ନିଆରା ଉପାୟରେ ପ୍ରତିବାଦ କରିଛନ୍ତି ପ୍ରହଲ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ଉଚ୍ଚ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ । ଏହି ଉତ୍ତର କାତାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ପୂର୍ବରୁ ଛାତ୍ରଛାତ୍ରୀମାନେ ଅନେକ ଥର ଶିକ୍ଷକ ପାଇଁ ଦାବି କରି ଆସୁଥିବା ବେଳେ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ । ତେଣୁ ଆଜି ପରୀକ୍ଷାରେ ଅନେକ ଛାତ୍ରଛାତ୍ରୀ ଏଭଳି ଉତ୍ତର ଲେଖି ବାର୍ଷିକ ପରୀକ୍ଷା ପୂର୍ବରୁ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ଏଥି ସହିତ ଅଭିଭାବକ ମାନେ ମଧ୍ୟ ସ୍କୁଲରେ ପହଞ୍ଚି ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଛନ୍ତି ।

Get real time updates directly on you device, subscribe now.