‘ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଉଛି ଭାରତ’: ୧୯୭୧ ଯୁଦ୍ଧରେ ଆମେରିକୀରେ ମୁଣ୍ଡ ନୁଆଁଇ ନଥିଲେ, କଂଗ୍ରେସ ନେତାଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସାମ୍ପ୍ରତିକ ଉତ୍ତେଜନା ଏବଂ ଯୁଦ୍ଧବିରତି ଘୋଷଣା ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱକୁ ସ୍ମରଣ କରି କହିଛନ୍ତି ଯେ, ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଇନ୍ଦିରା ଗାନ୍ଧୀ ଆମେରିକା ରାଷ୍ଟ୍ରପତି ରିଚାର୍ଡ ନିକ୍ସନଙ୍କ ଆଗରେ ମୁଣ୍ଡ ନୁଆଁଇ ନଥିଲେ ଏବଂ ଆମେରିକୀୟ ଚାପକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଥିଲେ।

ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ଜୟରାମ ରମେଶ ଲେଖିଛନ୍ତି, “ଆଜି ଭାରତ ପୁଣି ଥରେ ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଉଛି। ୧୯୭୧ରେ ଇନ୍ଦିରାଜୀ ଆମେରିକାର ରାଷ୍ଟ୍ରପତି ନିକ୍ସନ ଏବଂ ତାଙ୍କ ପ୍ରଶାସନର ଚାପ ସତ୍ତ୍ୱେ ଦୃଢ଼ ନିଷ୍ପତ୍ତି ନେଇଥିଲେ। ସେ ନିକ୍ସନଙ୍କ ଆଗରେ ମୁଣ୍ଡ ନୁଆଁଇ ନଥିଲେ ଏବଂ ଭାରତର ସ୍ୱାର୍ଥକୁ ସୁରକ୍ଷିତ ରଖି ବାଂଲାଦେଶ ମୁକ୍ତି ଯୁଦ୍ଧରେ ବିଜୟ ହାସଲ କରିଥିଲେ।”

ରମେଶ ଆହୁରି କହିଛନ୍ତି, “୧୯୭୧ ଯୁଦ୍ଧ ସମୟରେ ଆମେରିକା ପାକିସ୍ତାନକୁ ସମର୍ଥନ କରିଥିଲା ଏବଂ ଭାରତ ଉପରେ ଚାପ ପକାଇଥିଲା। କିନ୍ତୁ ଇନ୍ଦିରା ଗାନ୍ଧୀଙ୍କ ଦୃଢ଼ତା ଓ ସାହସ ଯୋଗୁଁ ଭାରତ ସେହି ଚାପକୁ ଅବମାନନା କରି ଏକ ଐତିହାସିକ ବିଜୟ ହାସଲ କରିଥିଲା।”

ଏହି ବୟାନ ଭାରତ ଓ ପାକିସ୍ତାନ ମଧ୍ୟରେ ଦୁଇ ଦିନର ସୈନ୍ୟ ସଂଘର୍ଷ ପରେ ଶନିବାର ଯୁଦ୍ଧବିରତି ଘୋଷଣା ହେବା ପରେ ଆସିଛି। ରମେଶଙ୍କ ଏହି ମନ୍ତବ୍ୟକୁ ଅନେକେ ସାମ୍ପ୍ରତିକ ଯୁଦ୍ଧବିରତି ନିଷ୍ପତ୍ତି ଉପରେ ଏକ ପରୋକ୍ଷ ସମାଲୋଚନା ବୋଲି ବିବେଚନା କରୁଛନ୍ତି। ସେ ଇନ୍ଦିରା ଗାନ୍ଧୀଙ୍କ ଦୃଢ଼ ନେତୃତ୍ୱକୁ ଉଦାହରଣ ଦେଇ ବର୍ତ୍ତମାନ ସରକାରଙ୍କୁ ଅଧିକ ସ୍ପଷ୍ଟ ଓ ଦୃଢ଼ ନୀତି ଗ୍ରହଣ କରିବାକୁ ଆହ୍ୱାନ ଦେଇଥିବା ଜଣାପଡ଼ୁଛି।

ଏକ୍ସରେ ଏହି ବୟାନ ସମ୍ପର୍କରେ ମିଶ୍ର ପ୍ରତିକ୍ରିୟା ଦେଖାଯାଇଛି। କିଛି ଲୋକ ରମେଶଙ୍କ ଜୟରାମ ରମେଶଙ୍କ ବୟାନକୁ ସମର୍ଥନ କରିଛନ୍ତି, ଅନ୍ୟମାନେ ଏହାକୁ ରାଜନୈତିକ ସୁଯୋଗବାଦ ବୋଲି ସମାଲୋଚନା କରିଛନ୍ତି। ତେବେ, ଏହି ବୟାନ ରାଜନୈତିକ ମହଲରେ ଏକ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଏବଂ ଭାରତ-ପାକିସ୍ତାନ ସମ୍ପର୍କରେ ଆଲୋଚନାକୁ ଆହୁରି ତୀବ୍ର କରିଛି।