fbpx

ଓଡ଼ିଶାରେ ମୌସୁମୀ ବାୟୁ ସକ୍ରିୟ: ଆଗକୁ ମାଡ଼ିଆସୁଛି ପ୍ରବଳ ବର୍ଷା, ଆଜି-କାଲି ପ୍ରବଳ ଢ଼ାଳିବ, ୯ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି

ନୂଆଦିଲ୍ଲୀ/ଭୁବନେଶ୍ୱର, (ଓଡ଼ିଶା ଭାସ୍କର) : ଗୁରୁବାରଠୁ ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଏବେ ଓଡ଼ିଶାର ମାଲକାନଗିରି, ନବରଙ୍ଗପୁର,
କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ଗଜପତି, ଗଞ୍ଜାମ, ବରଗଡ଼, ବଲାଙ୍ଗୀର, ସୋନପୁର, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀର କିଛି ଅଂଶକୁ ଛୁଇଁଛି । ସ୍ଥିତି ଅନୁକୂଳ ଥିବାରୁ ଆଗାମୀ ୪୮ ଘଣ୍ଟା ଭିତରେ ଏହା ସାରା ରାଜ୍ୟକୁ ଛୁଇଁବ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡ଼ି) ଓ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି । ଅପରପକ୍ଷରେ ବଙ୍ଗୋପସାଗରରେ ଶୁକ୍ରବାର ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ସମଗ୍ର ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଓଡ଼ିଶାର ଅଧିକାଂଶଜିଲ୍ଲାରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୧୧ ଓ ୧୨ ତାରିଖ ରାଜ୍ୟର କିଛି ଜିଲ୍ଲାରେ ଭୀଷଣ ବର୍ଷା ହେବାର ଆଶଙ୍କା ରହିଛି । ୧୧ ତାରିଖ ସକାଳଠାରୁ ୧୨ ତାରିଖ ସକାଳ ମଧ୍ୟରେ ୯ ଜିଲ୍ଲା ଯଥା କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର, ନୟାଗଡ, ସୁବର୍ଣ୍ଣପୁର, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଭୀଷଣ ବର୍ଷା ସମ୍ଭାବନା ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୧୦ ଜିଲ୍ଲା ଯଥା ଗଞ୍ଜାମ, କଟକ, ଅନୁଗୁଳ, ସମ୍ବଲପୁର, ବରଗଡ, ନବରଙ୍ଗପୁର, ନୂଆପଡା, ମାଲକାନଗିରି, କୋରାପୁଟ ଓ କେନ୍ଦ୍ରାପଡା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ରାୟଗଡା, ଗଜପତି, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଅକସ୍ମାତ୍‌ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ସେହିପରି ମାଟି ରାସ୍ତା ଧସିଯିବା, ବି ଦସଙ୍କୁଳ ଅବସ୍ଥାରେ ଥିବା କୋଠା କ୍ଷତିଗ୍ରସ୍ତ ହେବା, ପାହାଡ଼ିଆ ଅଞ୍ଚଳରେ ଭୂ-ସ୍ଖଳନ ଓ ମ୍ୟୁନିସିପାଲିଟି ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇପାରେ । ଏଥିଯୋଗୁଁ ପନିପରିବା ଚାଷ ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି । ବିଭିନ୍ନ ଅଞ୍ଚଳରେ ଝଡ଼ବର୍ଷା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେଣୁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.