fbpx
BSKY
BJD SHG SKY
BJD YOUTH SKY

ଆସନ୍ତା ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ୩ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା; ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର (ଓଡ଼ିଶା ଭାସ୍କର): ରାଜ୍ୟରେ ଆରମ୍ଭ ହୋଇଛି ମୌସୁମୀ ବର୍ଷା । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ପ୍ରବଳ ବର୍ଷା । ଆଜି ସନ୍ଧ୍ୟାରୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା  ଢ଼ାଳିବ।

ଆସନ୍ତା ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ । ଆସନ୍ତା ୧୪ରୁ ୧୬ ତାରିଖ ଯାଏଁ ଏହା ଓଡ଼ିଶା ଉପରେ ରହିବ । ତା’ପରେ ଝାଡ଼ଖଣ୍ଡ ଆଡ଼କୁ ଯିବ । ଓଡ଼ିଶାରେ ୧୭ ତାରିଖ ଯାଏଁ ଲଘୁଚାପ ବର୍ଷା କରାଇବ ।

ଲଘୁଚାପ ଏବେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପାଖରେ ଅଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨-୩ ଦିନ ଭିତରେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ଆଡ଼କୁ ଗତି କରିବ । ଏପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜ୍ୟର ୨୩ ଜିଲ୍ଲାରେ ପ୍ରବେଶ କରି ସାରିଛି । ଶୁକ୍ରବାର ଅପରାହ୍ନ ସୁଦ୍ଧା ମୌସୁମୀ ୧୩ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ପ୍ରବେଶ କରି ସାରିଥିବାବେଳେ ବଲାଙ୍ଗିର, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲାର ଅଧିକାଂଶ ଅଞ୍ଚଳକୁ ଛୁଇଁଛି । ସୋନପୁର,ବରଗଡ଼, ବୌଦ୍ଧ, କଟକ, ଯାଜପୁର ଓ ମୟୂରଭଞ୍ଜକୁ ଆଂଶିକ ପଶିଛି । ବାକି ରହିଛି ୭ଟି ଜିଲ୍ଲା ।

ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣଂ ଏବଂ ୧୧ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେଗୁଡିକ ହେଲା ସୋନପୁର, ସମ୍ବଲପୁର, ଦେବଗଡ଼, କୋରାପୁଟ, ନବରଙ୍ଗପୁର, ଖୋର୍ଦ୍ଧା, କଟକ, ପୁରୀ, ଅନୁଗୁଳ, ଜଗତସିଂହପୁର, ସୁନ୍ଦରଗଡ଼ ।

ସେହିଭଳି ମୌସୁମୀ ପ୍ରଭାବରେ ଆଜି ରାଜଧାନୀ ଭୁବନେଶ୍ୱରରେ ଘଡ଼ ଘଡ଼ି ସହ ପ୍ରବଳ ବର୍ଷା ହୋଇଛି । ରାଜଧାନୀର ବିଭିନ୍ନ୍ ତଳିଆ ଅଞ୍ଚଳରେ ଜମିଛି ବର୍ଷା ପାଣି । ଫଳରେ ତଳିଆ ଅଞ୍ଚଳର ଲୋକେ ବର୍ଷା ପାଣି ଯୋଗୁଁ ହନ୍ତସନ୍ତ ହୋଇଛନ୍ତି ।

Get real time updates directly on you device, subscribe now.