ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ ବିବାହ ସିଜନ ଜାରି ରହିଛି । ଦେଶରେ ପ୍ରତି ବର୍ଷ ବିବାହ ସିଜନରେ ଲକ୍ଷ ଲକ୍ଷ ବିବାହ ହେଉଛି ଏବଂ ଚଳିତ ବର୍ଷ ମଧ୍ୟ ବିବାହ ସିଜନରେ ହାରାହାରି ୪୮ ଲକ୍ଷ ବିବାହ ହେବାକୁ ଯାଉଛି । ତେବେ ଏହି ବିବାହରେ ହେଉଥିବା ଖର୍ଚ୍ଚକୁ ନେଇ ବର୍ତ୍ତମାନ ରିପୋର୍ଟରେ ଖୁଲାସା ହୋଇଛି । ଏହି ରିପୋର୍ଟରେ ହୋଇଥିବା ପରିବର୍ତ୍ତନ ଜାଣି ଆପଣଙ୍କର ହୋସ ଉଡିଯିବ ।
ଏକ ଷ୍ଟଡୀରେ ଏହି କଥା ସାମ୍ନାକୁ ଆସିଛି ଯେ, ଭାରତରେ ସାଧାରଣ ବିବାହର ଖର୍ଚ୍ଚ ୩୬.୫ ଲକ୍ଷ ଟଙ୍କାରେ ପହଞ୍ଚିସାରିଛି । ଏହା ଗତ ବର୍ଷ ତୁଳନାରେ ୭ ପ୍ରତିଶତ ବଢିଯାଇଛି । ସେହିପରି ଯେଉଁ କପଲ ଡେଷ୍ଟିନେସନ ବିବାହକୁ ଚୟନ କରୁଛନ୍ତି, ଏପରି ବିବାହରେ ଖର୍ଚ୍ଚ ୫୧ ଲକ୍ଷ ଟଙ୍କାରେ ପହଞ୍ଚିସାରିଛି ।
ବିବାହରେ ଖର୍ଚ୍ଚ ବଢିବାର କାରଣ ଏହା ହେଉଛି ଯେ, ଏଥିରେ ଲାଗୁଥିବା ମୂଲ୍ୟରେ ପ୍ରତି ବର୍ଷ ଆଧାରରେ ୧୦ ପ୍ରତିଶତର ବୃଦ୍ଧି ଦେଖାଦେଇଛି । ବିବାହର ଭେନ୍ୟୁଠାରୁ କେଟରିଙ୍ଗ ପର୍ଯ୍ୟନ୍ତ ଖର୍ଚ୍ଚ ପୂର୍ବ ତୁଳନାରେ ବହୁତ ବୃଦ୍ଧି ଘଟିଛି । ଏହି ରିପୋର୍ଟ WedMeGood ପକ୍ଷରୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ, ଲୋକେ ଖାସ ବିବାହ ପ୍ଲାନରଠାରୁ ଇଭେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସିମାନଙ୍କ ସାହାଯ୍ୟ ନେଉଛନ୍ତି ଏବଂ ବିବାହକୁ ରାଜକୀୟ ଷ୍ଟାଇଲ ଦେବାକୁ କୌଣସି ପ୍ରକାର ସୁଯୋଗକୁ ହାତଛଡା କରୁନାହାନ୍ତି ।
ଏହି ଷ୍ଟଡୀରେ ୩୫୦୦ ଦମ୍ପତ୍ତିଙ୍କ ସହ କଥାବାର୍ତ୍ତା କରାଯାଇଥିଲା ଏବଂ ଏତିରେ ୯ ପ୍ରତିଶତ ଲୋକେ ନିଜ ବିବାହରେ ୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିଭଳି ୯ ପ୍ରତିଶତ ଲୋକେ ୫୦ ରୁ ୧ କୋଟି ଭିତରେ ଖର୍ଚ୍ଚ କରିଛନ୍ତି । ୪୦ ପ୍ରତିଶତ ଦମ୍ପତ୍ତି ବିବାହର ବଜେଟ ୧୫ ଲକ୍ଷ ଟଙ୍କାରୁ କମ କରିଛନ୍ତି । ୨୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ମଧ୍ୟରେ ଖର୍ଚ୍ଚ କରୁଥିବା ଲୋକଙ୍କ ସମୁଦାୟ ସଂଖ୍ୟା ୨୩ ପ୍ରତିଶତ ରହିଛି ଏବଂ ୧୫ ଲକ୍ଷ-୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ଲୋକଙ୍କ ସଂଖ୍ୟା ୧୯ ପ୍ରତିଶତ ପାଖାପାଖି ଥିଲା ।