ଟୋଲ ଗେଟରେ ଆଉ କରିବାକୁ ପଡିବନି ଅପେକ୍ଷା..ଥରେ ଟଙ୍କା ଦେଲେ ବର୍ଷସାରା ମାଗଣା ଯାତ୍ରା!
ସରକାର ଆଣିବାକୁ ଯାଉଛନ୍ତି ନୂଆ ନିୟମ । ଥରେ ଟଙ୍କା ଭରିଲେ ବର୍ଷସାରା ଟୋଲ ଫ୍ରି ।
ନୂଆଦିଲ୍ଲୀ: ଏଣିକି ରାଜପଥ ଏବଂ ଏକ୍ସପ୍ରେସୱେରେ ନିର୍ମିତ ଟୋଲ୍ ପ୍ଲାଜାରେ ଆପଣଙ୍କୁ ବାରମ୍ବାର ଟୋଲ୍ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ । ଥରେ ଟଙ୍କା ଦେଇ ଆପଣ ନିଶ୍ଚିନ୍ତରେ ବର୍ଷସାରା ଟୋଲରେ ଫ୍ରିରେ ଯାତ୍ରା କରିପାରିବେ । ଆଉ ଘଣ୍ଟାଘଣ୍ଟା ଟୋଲଗେଟରେ ଅପେକ୍ଷା କରି ଟଙ୍କା ଦେବାକୁ ପଡିବ ନାହିଁ ।
ଗାଡି ଚାଳକଙ୍କୁ ଖୁସି ଖବର- ସରକାର ଖୁବ୍ ଶୀଘ୍ର ମଧ୍ୟବିତ୍ତ ଶ୍ରେଣୀର କାର ଚାଳକ ଏବଂ ମାଲିକମାନଙ୍କୁ ଏକ ଉପହାର ଦେବାକୁ ପ୍ରସ୍ତୁତ ହେଉଛନ୍ତି । ମାସିକ ଟୋଲ୍ ପାସ୍ ସହିତ ବାର୍ଷିକ ଟୋଲ୍ ପାସ୍ ପାଇବାର ସୁବିଧା ମିଳିପାରେ । କେବଳ ବାର୍ଷିକ ନୁହେଁ, ଯଦି ଜଣେ ଗାଡି ଚାଳକ ଚାହେଁ ତେବେ ଜୀବନବ୍ୟାପୀ ଏକ ଟୋଲ୍ ପାସ୍ ପାଇପାରିବେ ।
ଏହି ପାସ୍ ସାହାଯ୍ୟରେ, ଆପଣ ବର୍ଷସାରା ଜାତୀୟ ରାଜପଥରେ କୌଣସି ବାଧା ବିନା ଯାତ୍ରା କରିପାରିବେ । ଲାଇଫଟାଇମ୍ ଟୋଲ୍ ପାସ୍ ସାହାଯ୍ୟରେ, ଆପଣ ୧୫ ବର୍ଷ ପାଇଁ ଟୋଲ୍ ନଦେଇ ହାଇୱେରେ ଗାଡ଼ି ଚଲାଇ ପାରିବେ ।
ଏତିକି ଟଙ୍କା ଦେବାକୁ ହେବ- କେନ୍ଦ୍ର ସରକାର ଖୁବ୍ଶୀଘ୍ର ବାର୍ଷିକ ଏବଂ ଜୀବନବ୍ୟାପୀ ଟୋଲ୍ ପାସ୍ର ସୁବିଧା ଆରମ୍ଭ କରିବାକୁ ଯାଉଛନ୍ତି । ବର୍ତ୍ତମାନ କେବଳ ମାସିକ ଟୋଲ୍ ପାସ୍ ଅଛି । ବାର୍ଷିକ ଏବଂ ଜୀବନବ୍ୟାପୀ ଟୋଲ୍ ପାସର ସୁବିଧା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।
ଏହି ପାସର ଶୁଳ୍କ ସମ୍ପର୍କରେ ଚୂଡ଼ାନ୍ତ ହାର ପ୍ରକାଶ କରାଯାଇ ନାହିଁ । କିନ୍ତୁ ପ୍ରସ୍ତାବ ଅନୁଯାୟୀ ଚାଳକକୁ ବାର୍ଷିକ ପାସ ପାଇଁ 3000 ଟଙ୍କା ଏବଂ ଜୀବନବ୍ୟାପୀ ଟୋଲ୍ ପାସ ପାଇଁ 30000 ଟଙ୍କା ଦେବାକୁ ପଡ଼ିପାରେ ।